Unknown

 

 

 

 

 

 

 

 

 

 

ପର୍ବପର୍ବାଣି କଥା

ସଙ୍କଳୟିତା

ଶ୍ରୀ ନରସିଂହ ମିଶ୍ର ଓ ଶ୍ରୀ ରଘୁନାଥ ମିଶ୍ର

 

-ପଦେ-

 

ଆମେ ପ୍ରତି ମାସରେ କେତେ ଓଷା, ଉପାସ ଓ ପୂଜା ପାର୍ବଣ ପାଳନ କରୁଁ । କିନ୍ତୁ ସେହି ପବିତ୍ରତମ ଦିନଗୁଡ଼ିକ ପଛରେ ଯେଉଁ ସ୍ମୃତିଭରା ଲୋକକଥା ଭରି ରହିଛି ସେ ବିଷୟରେ ଆମେ ଅଜ୍ଞ । ପର୍ବଗୁଡ଼ିକ କେବଳ ପାଳନ କରୁଥାଉଁ ପିଠାପଣା ଓ ଆନନ୍ଦର କଳରୋଳ ମଧ୍ୟରେ । ଜାତୀୟ ସମାଧି ମଧ୍ୟରେ ଏହାର ପ୍ରକୃତ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଲୁଚି ରହିଛି ।

 

ଆମେ ଚେଷ୍ଟା କରିଛୁଁ ପିଲାମାନଙ୍କ ପୂଜା ପର୍ବର ପିଠା ଥାଳିରେ ଲୋକ କଥନର ଚଟଣି ବାଢ଼ିବାକୁ । ପିଲାମାନେ ତାହା ଗ୍ରହଣ କଲେ ଉପକୃତ ହେବୁଁ ।

 

ଏ ଦିଗରେ ଆମକୁ ଯଥେଷ୍ଟ ଭାବରେ ଉତ୍ସାହ ଦେଇଛନ୍ତି ଇଉନାଇଟେଡ୍‍ ବୁକ୍‍ ହାଉସର ସଂସ୍ଥାପକ ଶ୍ରୀଯୁକ୍ତ ଗୋକୁଳଚନ୍ଦ୍ର କର । ଆମର ଅନ୍ୟାନ୍ୟ ବନ୍ଧୁ ଓ ଛାତ୍ରମାନେ ମଧ୍ୟ ସଂକଳନ କାର୍ଯ୍ୟରେ ସାହାଯ୍ୟ କରିଛନ୍ତି । ଆମେ ଏ ସମସ୍ତଙ୍କ ପାଖରେ ଚିରକୃତଜ୍ଞ ।

 

ଶିଲିଂ

ବିନୀତ

ତା ୨୫-୭-୫୬

ନରସିଂହ

 

ରଘୁନାଥ

★★★

 

ସୂଚୀପତ୍ର

 

୧.

ପଣାସଂକ୍ରାନ୍ତି

୨.

ସାବିତ୍ରୀ ଅମାବାସ୍ୟା

୩.

ରଜଦୋଳି

୪.

ଗୁଣ୍ଡିଚା ଯାତ୍ରା

୫.

ଜନ୍ମାଷ୍ଟମୀ

୬.

ବାଲି ତୃତୀୟା

୭.

ଗଣେଶ ପୂଜା ଓ ହରିତାଳିକା

୮.

ସୋମନାଥ ବ୍ରତ

୯.

ରାଧାଷ୍ଟମୀ

୧୦.

ଅନନ୍ତ ବ୍ରତ

୧୧.

ଖୁଦୁରୁକୁଣୀ

୧୨.

ଦ୍ୟୁତି ବାହନ

୧୩.

ଭାଇ ଜିଉନ୍ତିଆ

୧୪.

ଦଶହରା

୧୫.

ଜହ୍ନିଓଷା

୧୬.

କୋଜାଗରୀ ବା କୁମାରପୂର୍ଣ୍ଣିମା

୧୭.

ନାଗ ଚତୁର୍ଥୀ

୧୮.

ବଡ଼ଓଷା

୧୯.

ଧାନ ମାଣିକା

୨୦.

ଶ୍ରୀପଞ୍ଚମୀ

୨୧.

ଶିବରାତ୍ର

୨୨.

ଦୋଳପୂର୍ଣ୍ଣିମା

★★★

 

ପଣାସଂକ୍ରାନ୍ତି

 

ଆମର ଏହି ପୃଥିବୀ କେଡ଼େ ସୁନ୍ଦର ! କେତେ ନଦୀ, ପର୍ବତ, ଜୀବ ଜନ୍ତୁ, ମଣିଷ ଏହି ପୃଥିବୀ ଉପରେ ଥାଆନ୍ତି । ପୃଥିବୀ ନଟୁପରି ଅନବରତ ଘୂରି ଘୂରି ଏକ ବର୍ଷରେ ପୁଣି ସୂର୍ଯ୍ୟର ଚାରିପାଖରେ ବୁଲି ଯାଉଛି । ଯେଉଁ ଦିନଠାରୁ ବୁଲିବା ଆରମ୍ଭ କରିଥାଏ, ଠିକ୍‍ ବର୍ଷକପରେ ପୃଥିବୀ ସେହି ଦିନରେ ଆସି ପହଞ୍ଚେ । ଏହା ନୂତନ ବର୍ଷର ନୂତନ ଦିନ । ଏହାକୁ ପଣାସଂକ୍ରାନ୍ତି କିମ୍ୱା ମହାବିଷୁବ ସଂକ୍ରାନ୍ତି ବୋଲି କୁହାଯାଏ । ପ୍ରତିବର୍ଷ ବୈଶାଖ ମାସର ପ୍ରଥମ ଦିନରେ ଏହି ଉତ୍ସବଟିକୁ ପାଳନ କରାଯାଏ ।

 

ଓଡ଼ିଶାର ଘରେ ଘରେ ଏହି ପର୍ବଟି ପାଳିତ ହୁଏ । କେତେକଙ୍କର ବିଶ୍ୱାସ, ଏହିଦିନ ହିଙ୍ଗୁଳା ଠାକୁରାଣୀ ଏ ଭୂଇଁରେ ବିଜେ କରନ୍ତି । ଘରମାନଙ୍କରେ ତୁଳସୀ ମୂଳରେ ସଂକ୍ରାନ୍ତି ପୂଜା କରାଯାଏ । ତୁଳସୀ ଗଛ ଉପରେ ଗୋଟିଏ ଛାମୁଣ୍ଡିଆ କରାଯାଇ ତହିଁରେ ଗୋଟିଏ ଛୋଟ ଠେକି ଝୁଲାଇ ଦିଆଯାଏ । ଠେକି ଦେହରେ ଗୋଟିଏ ସରୁ କଣା ଥାଏ । ତହିଁରେ କୁଶଟିଏ ଖଞ୍ଜି ଦିଆଯାଏ । ଠେକିରେ ପାଣି ଭରିଦେଲେ ସେଥିରୁ ବିନ୍ଦୁ ବିନ୍ଦୁ ହୋଇ ତୁଳସୀ ଗଛଉପରେ ପଡ଼େ ।

 

ଗାଁର ଦାଣ୍ଡ ମଝିରେ ଲୋକମାନେ ଘିଅଦୀପ ଜାଳି, ପଣା ଓ ଭୋଗ ବାଢ଼ି, ଛିଟ ଲୁଗା ଥୋଇ ଠାକୁରାଣୀଙ୍କୁ ପୂଜା କରନ୍ତି । ସାଧାରଣତଃ ପାଚିଲା ଆମ୍ବକୁ ପଣା କରି ଭୋଗ ବଢ଼ାଯାଏ । ଲୋକମାନେ ସେହିଦିନଠାରୁ ପଣାଖିଆ ଆରମ୍ଭ କରନ୍ତି । ସେଥିପାଇଁ ଏହାକୁ ପଣାସଂକ୍ରାନ୍ତି ବୋଲି କୁହାଯାଏ ।

 

ଅନେକ ଜାଗାରେ ଏ ଦିନ ହିଙ୍ଗୁଳାଙ୍କର ଯାତ୍ରା ହୁଏ । ନିମ୍ନ ଶ୍ରେଣୀର ଲୋକମାନେ ନିଷ୍ଠାର ସହିତ ଏହି ପୂଜାକୁ ପାଳନ କରନ୍ତି । ଯେଉଁମାନେ ନିଜେ ଓଷା କରନ୍ତି ସେମାନଙ୍କୁ ଓଷାତୀ କୁହାଯାଏ । ହିଙ୍ଗୁଳା ପୂଜାର ତିନି ଚାରିଦିନ ପୂର୍ବରୁ ଓଷାତୀମାନେ ମଙ୍ଗଳାଙ୍କର ମୂର୍ତ୍ତି ଓ ଛତି ନେଇ ଗାଁ ଗାଁ ବୁଲନ୍ତି । ନିରାଟ ଦ୍ୱିପ୍ରହର ବେଳେ ଗାଁ ଦାଣ୍ଡରେ ସେମାନେ ନାଚନ୍ତି । ଗୀତ ଗାଇ ଗାଇ ମଙ୍ଗଳାଙ୍କର ମହିମା ପ୍ରଚାର କରନ୍ତି । ଏମାନଙ୍କୁ ପାଟୁଆ ମଧ୍ୟ କୁହାଯାଏ । ପାଟୁଆମାନେ ଅଣ୍ଟାରେ ଘାଗରା ପିନ୍ଧି, ଗୋଡ଼ରେ ଘୁଙ୍ଗୁର ବାନ୍ଧି ନାଚି ନାଚି ମଙ୍ଗଳାଙ୍କ ସ୍ତୁତି ପାଠ କରନ୍ତି । ତାଙ୍କ ସଙ୍ଗରେ ଗ୍ରାମର ଆଉ କେତେଜଣ ଲୋକ ଥାଆନ୍ତି । ସେମାନେ ବାଦ୍ୟ ବଜାନ୍ତି ।

 

ଗାଁର ସବୁ ପାଟୁଆମାନଙ୍କ ମଧ୍ୟରେ ଜଣେ ବଡ଼ ପାଟୁଆ ଥାଏ । ତାକୁ କୋଠପାଟୁଆ ବୋଲାଯାଏ । ପୂଜାଦିନ ସମସ୍ତ ପାଟୁଆ ଉପବାସ କରନ୍ତି । ଉପରବେଳା ସମସ୍ତେ ଗୋଟିଏ ବଡ଼ ପୋଖରୀ ତୁଠରେ ରୁଣ୍ଡ ହୁଅନ୍ତି । ପୂଜାକାମ ଆରମ୍ଭ ହୁଏ । ଏହି ପୂଜାର ପୂଜକଙ୍କୁ ଜାଡ଼ୁଆ କୁହାଯାଏ ।

 

ପୂଜା ସମୟରେ ପୋଖରୀ ତୁଠରେ ଗାଁର ବହୁତ ଲୋକ ଜମା ହୁଅନ୍ତି । ହରିବୋଲ ହୁଳହୁଳିରେ ଗାଁ ମାଳ ଉଛୁଳି ଉଠେ । ଏହି ସମୟରେ ପାଟୁଆମାନଙ୍କର ପିଠି ଗୋଟିଏ କଣ୍ଟାରେ ଫୋଡ଼ାଯାଏ । କଣ୍ଟାର ଦୁଇ ଅଗ ମୁନିଆଁ । ଏହାର ମଝିରୁ ଦୁଇ ପାଖକୁ ବଙ୍କେଇ ହୋଇ ରହିଥାଏ-। କଣ୍ଟା ଅଗରେ ଗୋଟିଏ ଦଉଡ଼ି ବନ୍ଧାଯାଇ ତାହା ପାଟୁଆମାନଙ୍କ ପିଠି ଉପରେ ପଡ଼ିଥାଏ । ପିଠି ଫୋଡ଼ା ହେବା ସମୟରେ ପାଟୁଆମାନେ ମଙ୍ଗଳାଙ୍କ ଗୀତ ଗାଇ ବାଦ୍ୟ ରୋଳରେ କଷ୍ଟ ଭୁଲିଯାନ୍ତି-

 

ଯାତ୍ରାପୂର୍ବରୁ ଯାତ ପଡ଼ିଆରେ ଚର୍‍କି ଦୋଳିର ବ୍ୟବସ୍ଥା ହୋଇଥାଏ । ପ୍ରଥମେ ଗୋଟିଏ ଖମ୍ୱ ମାଟିରେ ପୋତାଯାଏ ଓ ଆଉ ଗୋଟିଏ ଖମ୍ବ ଆଡ଼ି ବାଗରେ ଏପରି ଭାବରେ ତା’ ଉପରେ ଖଞ୍ଜି ଦିଆ ଯାଇଥାଏ ଯେ ତାହା ମୂଳ ଖମ୍ୱ ଉପରେ ଘିରି ଘିରି ହୋଇ ବୁଲେ । ଘୂରୁଥିବା ଖମ୍ୱର ଗୋଟିଏ ପାଖରେ ପେଣ୍ଡାଏ ଆମ୍ୱ ବାନ୍ଧି ଦିଆ ଯାଇଥାଏ ଓ ପାଟୁଆ ଖମ୍ୱକୁ ତା’ ବାମ ବାହୁରେ ଭିଡ଼ିଧରି ସେଠାରେ ଶୂନ୍ୟରେ ଝୁଲୁଥାଏ । ଗାଁ ଲୋକମାନେ ଖମ୍ୱର ଅନ୍ୟ ପାଖରେ ଗୋଟିଏ ଦଉଡ଼ି ବାନ୍ଧିଦେଇ ତାକୁ ଘୂରାନ୍ତି । ପାଟୁଆ ଓ ଆମ୍ୱ ପେନ୍ଥା ଘିରି ଘିରି କରି ଘୂରେ । ଏହି ଦୋଳି ଖେଳ ପ୍ରଥମେ କୋଠପାଟୁଆ ଆରମ୍ଭ କରେ ।

 

ଲୋକମାନଙ୍କର ବିଶ୍ୱାସ ଯେ ଏ ଆମ୍ୱ ଯେ ଖାଇବ ତା’ର ସମସ୍ତ ରିଷ୍ଟ ଦୂରହେବ । ମଙ୍ଗଳା ତା’ ଉପରେ ପ୍ରସନ୍ନ ହେବେ । ଖେଳ ଶେଷରେ ଆମ୍ୱ ପାଇବା ପାଇଁ ଲୋକମାନଙ୍କ ମଧ୍ୟରେ ଚହଳ ପଡ଼ିଯାଏ । ଦୋଳିରୁ ଓହ୍ଲାଇ ପାଟୁଆମାନେ ପିଠିରୁ କଣ୍ଟା ବାହାର କରନ୍ତି । ଅନ୍ୟ ଲୋକମାନେ ଚିଲ ଝାମ୍ପିଲାପରି ଆମ୍ୱଗୁଡ଼ିକୁ ଛିଣ୍ଡାଇ କରି ନେଇଯାନ୍ତି ।

 

ପଣାସଂକ୍ରାନ୍ତି ଦିନ ଓଡ଼ିଆ ଘରେ ନୂତନ ବର୍ଷର ନୂଆ ପାଞ୍ଜି ଚଳେ ।

★★★

 

ସାବିତ୍ରୀ ଅମାବାସ୍ୟା

 

ଅତି ପୁରୁଣା କାଳର କଥା । ମଦ୍ର ବୋଲି ଏକ ଦେଶ ଥିଲା । ସେଠାର ରାଜାଙ୍କ ନାମ ଅଶ୍ୱପତି । ତାଙ୍କ ଉଆସ ଧନ, ଜନ, ଗୋପ, ଲକ୍ଷ୍ମୀରେ ଭରପୂର ଥିଲା । ହେଲେ କ’ଣ ହେବ, କେବଳ ଗୋଟିଏ ଅଭାବରେ ରାଜା ରାଣୀଙ୍କର ମନରେ ଆଦୌ ଆନନ୍ଦ ନ ଥାଏ ।

 

ଥରେ ଜଣେ ଋଷି ରାଜାଙ୍କର ଅତିଥି ହେଲେ । ରାଜା ଓ ରାଣୀ ବିଧିମତେ ଅତିଥି ସତ୍କାର କଲେ । ସେ ଜାଣନ୍ତି, ଅତିଥି ସନ୍ତୁଷ୍ଟ ହେଲେ ମନକାମନା ପୂରଣ ହୁଏ । ରାଜାଙ୍କର ଆଦର ଯତ୍ନ ଓ ସେବା ସତ୍କାରରେ ମୁଗ୍‍ଧ ହୋଇ ସେ ତାଙ୍କ ଉପରେ ପ୍ରସନ୍ନ ହେଲେ । ରାଜା ଏପରି ସୁଯୋଗ ପାଇ ଋଷିଙ୍କୁ ନିଜର ଦୁଃଖ ବିଷୟ କହିଲେ । ଋଷି ଖୁସି ହୋଇ ରାଜାଙ୍କୁ ଗୋଟିଏ ମନ୍ତ୍ର ଶିଖାଇ ଦେଲେ । କହିଲେ, ‘‘ରାଜା, ତୁମେ ଏ ମନ୍ତ୍ର ସାଧନା କଲେ ଗୋଟିଏ ଉତ୍ତମା ସୁନ୍ଦରୀ କନ୍ୟା ଲାଭ କରିବ ।’’ ଏହା କହି ସେ ଚାଲିଗଲେ ।

 

ପ୍ରକୃତରେ ରାଜା ସେହି ମନ୍ତ୍ର ଜପି ଜପି ଅନେକ ଦିନ ପରେ ଗୋଟିଏ ପରମା ସୁନ୍ଦରୀ କନ୍ୟା ଲାଭ କଲେ । ରାଜ୍ୟ ସାରା ଚହଳ ପଡ଼ିଗଲା । ଏତେବେଳେ ରାଜା ରାଣୀଙ୍କର ଆନନ୍ଦ ଦେଖେ କିଏ ? ସତେ ଯେପରି ପୁଣ୍ୟ ବଳରୁ ସ୍ୱର୍ଗର ଅପ୍‍ସରା ଉର୍ବଶୀ ତାଙ୍କ କୋଳରେ ଦେଖା ଦେଇଛି । ଝିଅଟିର ନାମ ଦିଆଗଲା ସାବିତ୍ରୀ ।

 

ଫୁଲ ବଗିଚାରେ ସୁନେଲି ପ୍ରଜାପତି ପରି ସାବିତ୍ରୀ ଉଆସରେ ଆନନ୍ଦରେ ବୁଲୁଥାଏ । ଆସ୍ତେ ଆସ୍ତେ ତା’ର ବୟସ ବଢ଼ିଲା । ଝିଅର ବିବାହ ବୟସ ଆସି ପହଞ୍ଚିଲାଣି । ଦିନେ ସାବିତ୍ରୀ ସେହି ଋଷି ଆଶ୍ରମକୁ ବୁଲି ଯାଇଥିଲେ । ସେଠାରେ ସେ ଜଣେ ରୂପବାନ ଯୁବକଙ୍କୁ ଦେଖି ଆନନ୍ଦରେ ବିହ୍ୱଳ ହୋଇ ଉଠିଲେ । କି ସୁନ୍ଦର ତାଙ୍କ ରୂପ, କେଡ଼େ ଶାନ୍ତମୟ ସେ ଚେହେରା । ତାଙ୍କୁ ବିବାହ କରିବା ପାଇଁ ସାବିତ୍ରୀ ମନ ବଳାଇଲେ ।

 

ଘରକୁ ଫେରିଆସି ସେ ମା’ଙ୍କ ପାଖରେ ନିଜର ମନକଥା ଖୋଲିକରି କହିଲେ । ଆସ୍ତେ ଆସ୍ତେ ଏ ଖବର ରାଜାଙ୍କ କାନକୁ ଗଲା । ସେ ଅନୁସନ୍ଧାନ କରି ଜାଣିଲେ, ସେହି ଯୁବକ ଜଣକ ଅବନ୍ତୀ ରାଜ୍ୟର ରାଜା ଦ୍ୟୁମତସେନଙ୍କ ପୁତ୍ର । ତାଙ୍କର ନାମ ସତ୍ୟବାନ । ବିଭାଘର ପାଇଁ ସମସ୍ତ ଆୟୋଜନ ଚାଲିଲା ।

 

ଏଥି ମଧ୍ୟରେ ଦିନେ ନାରଦ ଋଷି ଅଶ୍ୱପତିଙ୍କ ଉଆସରେ ଆସି ପହଞ୍ଚିଲେ । ରାଜାଙ୍କଠାରୁ ଶୁଣିବାକୁ ପାଇଲେ, ତାଙ୍କ ଝିଅ ସତ୍ୟବାନଙ୍କୁ ବିବାହ କରିବା କଥା ସ୍ଥିର ହୋଇଛି । ନାରଦ କହିଲେ, ‘‘ରାଜା ତୁମେ ଯାହାକୁ ଜ୍ୱାଇଁ କରିବାକୁ ଯାଉଛ, ଠିକ୍‍ ବର୍ଷକ ପରେ ତା’ର ମୃତ୍ୟୁ ହେବ । ତା’ର ଜୀବନକାଳ ଆଉ ଅଧିକ ନୁହେଁ ।’’

 

ରାଜା ଏପରି ଅଶୁଭ କଥା ଶୁଣି ସେ ପ୍ରସ୍ତାବ ବନ୍ଦ କରିବାକୁ ଠିକ୍‍ କଲେ । କିନ୍ତୁ ଝିଅ ଏ ଖବର ପାଇ ଆଦୌ ବିଚଳିତ ହେଲାନାହିଁ । ଝିଅର ମନ ବଦଳାଇବାକୁ ରାଜା ଯେତେ ଚେଷ୍ଟା କଲେ କିଛି ଫଳ ହେଲା ନାହିଁ । ସେ ଜିଦ୍‍ ଧଇଲା, ଯାହାକୁ ସେ ପତିରୂପେ ଥରେ ବରଣ କଲାଣି ତା’ ବ୍ୟତୀତ ଅନ୍ୟ କାହାକୁ ଗ୍ରହଣ କରିପାରିବ ନାହିଁ । ବାଧ୍ୟହୋଇ ରାଜା ଶେଷରେ ସତ୍ୟବାନଙ୍କ ସହିତ ନିଜ ଝିଅକୁ ବିଭାକରିଦେଲେ । ବିବାହ ପରେ ଝିଅ ଶ୍ୱଶୁର ଘରକୁ ଗଲା ।

 

ରାଜା ଦ୍ୟୁମତସେନ ଅନ୍ଧ । ରାଜ୍ୟ ହରାଇ ଶତ୍ରୁମାନଙ୍କଦ୍ୱାରା ବିତାଡ଼ିତ ହୋଇ ବଣରେ ବାସ କରୁଥିଲେ । ସତ୍ୟବାନ ବଡ଼ କଷ୍ଟସହିଷ୍ଣୁ । ସେ ନିଜ ହାତରେ ସବୁ କାମ କରନ୍ତି । ପିତାମାତାଙ୍କର ସେବାରେ ତାଙ୍କର ଅଧିକାଂଶ ସମୟ ଯାଏ । ସେ କୁରାଢ଼ି ନେଇ ବଣରୁ ପ୍ରତିଦିନ କାଠ ଆଣନ୍ତି । ସାବିତ୍ରୀ ମନଦୁଃଖରେ ଦିନ ଗଣୁଥାନ୍ତି–କେଉଁ ଦିନ ବର୍ଷେ ପୂରଣ ହେବ ।

 

ସେ ଦିନ ଜ୍ୟେଷ୍ଠମାସ ଅମାବାସ୍ୟା । ଆଜି ବର୍ଷ ପୂରିବାର ଦିନ । ସତ୍ୟବାନ କୁରାଢ଼ି ଧରି ଜଙ୍ଗଲକୁ ବାହାରିବା ସମୟରେ ସାବିତ୍ରୀ ମଧ୍ୟ ତାଙ୍କ ସହିତ ବାହାରିଲେ । ସ୍ୱାମୀ ତାଙ୍କୁ ଜଙ୍ଗଲକୁ ନେବାକୁ ମନା କରିବାରୁ ସେ କହିଲେ, ‘‘ମୋ ମନ ଆଜି ବଡ଼ ବ୍ୟସ୍ତ ହେଉଛି; ତୁମକୁ ଏକାକୀ ଜଙ୍ଗଲକୁ ଆଜି ଛାଡ଼ିଦେବିନାହିଁ । ମୁଁ ନିଶ୍ଚୟ ଯିବି ।’’ ଉଭୟେ ବଣକୁ ଗଲେ ।

 

ସତ୍ୟବାନ ସ୍ତ୍ରୀଙ୍କୁ ଗୋଟିଏ ଗଛମୂଳରେ ବସାଇ ଦେଇ ନିଜେ ଟାଙ୍ଗିଆ ଧରି ଗଛ ଉପରକୁ ଚଢ଼ିଲେ । କିଛି ସମୟ କାଠ ହାଣିବା ପରେ ହଠାତ୍‍ ତାଙ୍କର ମୁଣ୍ଡ ବୁଲାଇଲା । ଟାଙ୍ଗିଆ ତଳକୁ ଖସି ପଡ଼ିଲା । ସେ ଗଛରୁ ଓହ୍ଲାଇ ଆସି ସାବିତ୍ରୀଙ୍କ କୋଳରେ ମୁଣ୍ଡ ଦେଇ ଶୋଇଲେ । ଚାହୁଁ ଚାହୁଁ ତାଙ୍କର ପ୍ରାଣବାୟୁ ଉଡ଼ିଗଲା । ସାବିତ୍ରୀ ସେହିପରି ସ୍ୱାମୀଙ୍କ ମସ୍ତକ କୋଳରେ ରଖି ବିକଳରେ କାନ୍ଦୁଥାଆନ୍ତି । କିଛି ସମୟ ପରେ ଯମଦୂତମାନେ ସତ୍ୟବାନଙ୍କୁ ଯମପୁରକୁ ନେଇଯିବାକୁ ଆସିଲେ । ସାବିତ୍ରୀ କିନ୍ତୁ ସ୍ୱାମୀଙ୍କୁ ଆଦୌ ଛାଡ଼ିଲେ ନାହିଁ । ସେମାନେ ଯେତେ ଭୟ ଦେଖାଇଲେ ମଧ୍ୟ ସେ ଡରିଲେ ନାହିଁ । ଯମଦୂତମାନେ ଫେରିଯାଇ ଯମରାଜାଙ୍କୁ ଏସବୁ କଥା କହିଲେ । ଯମରାଜା ଦେଖିଲେ, ସେ ନ ଗଲେ ନ ଚଳେ । ତେଣୁ ସେ ନିଜେ ସେହି ଗଛମୂଳରେ ଆସି ପହଞ୍ଚିଲେ ।

 

ଯମରାଜାଙ୍କୁ ଦେଖିଲାକ୍ଷଣି ସାବିତ୍ରୀ ଉଠି ଠିଆ ହେଲେ । ଯମ କହିଲେ, ‘‘ତୁମର ସ୍ୱାମୀ ମରିଯାଇଛନ୍ତି । ମୁଁ ତାଙ୍କୁ ଛାଡ଼ି କେବେ ଫେରିବି ନାହିଁ ।’’ ଏହା କହି ସତ୍ୟବାନଙ୍କ ଜୀବନ ସାଙ୍ଗରେ ଧରି ଆଗକୁ ଚାଲିଲେ । ସାବିତ୍ରୀ ଏହା ଦେଖି ଗଗନ ପବନ ଥରାଇ କାନ୍ଦିଲେ ଓ ଯମରାଜାଙ୍କ ପଛେ ପଛେ ଦଉଡ଼ିଲେ । ଯମରାଜା କହିଲେ, ‘‘ତୁମେ ଫେରିଯାଅ; ମୋ ପଛେ ପଛେ କୁଆଡ଼େ ଆସୁଛ ?’’

 

ସାବିତ୍ରୀ କହିଲେ, ‘‘ଯମରାଜ, ମୁଁ ମୋ ସ୍ୱାମୀଙ୍କୁ ଛାଡ଼ି କେଉଁଠାକୁ ଯିବି ? ତାଙ୍କରି ସଙ୍ଗରେ ଆସିଥିଲି । ସେ ଯେଉଁଆଡ଼େ ଯିବେ ମୁଁ ସେଠାକୁ ଯିବି ।’’

 

ଯମରାଜା କହିଲେ, ‘‘କି ଆଶ୍ଚର୍ଯ୍ୟ କଥା ! ତୁମେ ବଞ୍ଚି ଥାଉ ଥାଉ କିପରି ମୋ ପୁରକୁ ଯିବ ? ତୁମ ସ୍ୱାମୀଙ୍କର ଜୀବନ ବ୍ୟତୀତ ଯେଉଁ ବର ମାଗିବ ତାହା ଦିଆ ଯିବ । ତୁମେ ତାହା ନେଇ ଫେରି ଯାଅ ।’’

 

ସାବିତ୍ରୀ କହିଲେ, ‘‘ଯମରାଜ, ଶ୍ୱଶୁର ମୋର ଅନ୍ଧ ଓ ରାଜ୍ୟହୀନ । ସେ ତାଙ୍କର ରାଜ୍ୟ ଓ ଚକ୍ଷୁ ଫେରି ପାଆନ୍ତୁ ।’’ ଯମରାଜା ‘ତଥାସ୍ତୁ’ କହି ଆଗେଇ ଚାଲିଲେ । ସାବିତ୍ରୀ ତଥାପି ଫେରିଲେ ନାହିଁ । ଯମରାଜା ତାଙ୍କୁ ଦେଖି ପୁଣି ବିରକ୍ତ ହୋଇ କହିଲେ, ‘‘ବର ତ ପାଇଲ; ପୁଣି କାହିଁକି ଆସୁଛ ? ଆଚ୍ଛା, ଆଉ ଗୋଟିଏ ବର ମାଗ ।’’ ସାବିତ୍ରୀ କହିଲେ, ‘‘ଯମରାଜ, ମୋର ଶହେ ପୁଅ ହୁଅନ୍ତୁ ।’’ ସେ ‘ତଥାସ୍ତୁ’ କହି ଚାଲିଯିବା ସମୟରେ ସାବିତ୍ରୀ ତାଙ୍କର ପଛେ ପଛେ ପୁଣି ଗଲେ । ଏଥର ଯମରାଜା ଅଧିକ ବିରକ୍ତ ହୋଇ କହିଲେ, ‘‘ବର ତ ପାଇଲ; ପୁଣି କାହିଁକି ଆସୁଛ-?’’

 

ସାବିତ୍ରୀ କହିଲେ, ‘‘ଆପଣ ତ ମୋ ସ୍ୱାମୀଙ୍କୁ ନେଇ ଯାଉଛନ୍ତି; ମୁଁ କିପରି ଶହେ ପୁଅ ପାଇବି ?’’

 

ଏତେବେଳକେ ଯମରାଜାଙ୍କ ମୁଣ୍ଡରେ ଚେତା ପଶିଲା । ସେ ବାଧ୍ୟହୋଇ ସତ୍ୟବାନଙ୍କ ଜୀବନ ଫେରାଇ ଦେଇ ଅନ୍ତର୍ଦ୍ଧାନ ହୋଇଗଲେ । ସତ୍ୟବାନ ନିଦରୁ ଉଠିଲାପରି ଆଖି ମଳି ମଳି ଠିଆ ହେଲେ । ଏତେବେଳେ ସାବିତ୍ରୀଙ୍କ ଆନନ୍ଦ ଦେଖେ କିଏ ? ଦୁହେଁଯାକ ଘରକୁ ଫେରିଆସି ଦେଖିଲେ, ଯମଙ୍କ ବର ଅନୁସାରେ ସବୁ ବଦଳି ଯାଇଛି । ଶ୍ୱଶୁର ଆଖି ଓ ରାଜ୍ୟ ପାଇଛନ୍ତି । ସେ ତାଙ୍କ ଆଗରେ ସବୁ ଘଟଣା କହିଲେ । ସାବିତ୍ରୀ ସେହି ଦିନଠାରୁ ଲକ୍ଷ୍ମୀନାରାୟଣ ବ୍ରତ କରିଥିଲେ-

 

ସ୍ୱାମୀ ଓ ନିଜ ବଂଶର ଶୁଭ ମନାସି ଆମ ଦେଶର ସ୍ତ୍ରୀଲୋକମାନେ ଏ ବ୍ରତ ପାଳନ କରନ୍ତି । ଏ ଦିନ ସାବିତ୍ରୀ, ଯମରାଜା ଓ ଲକ୍ଷ୍ମୀନାରାୟଣଙ୍କ ପୂଜା କରାଯାଏ । ଏହାକୁ ସାବିତ୍ରୀ ବ୍ରତ କହନ୍ତି । ଏ ବ୍ରତ ପାଳନ କଲେ ସତୀ ସାବିତ୍ରୀଙ୍କ ପରି ଭାଗ୍ୟବତୀ ହେବେ ବୋଲି ସ୍ତ୍ରୀଲୋକମାନେ ଭାବନ୍ତି ।

★★★

 

ରଜଦୋଳି

 

ରଜ ସଙ୍କ୍ରାନ୍ତି । ଆଷାଢ଼ର ପହିଲି ଦିନ !!

 

ଖରାଦିନର ତାଳୁଫଟା ଖାଁ ଖାଁ ଖରାରେ ମା’ ବସୁଧା ମୁହଁ ମାଡ଼ି ପଡ଼ିଥାଏ । ଉପରେ ଜଳନ୍ତା ସୂର୍ଯ୍ୟର ତାତି । ଭୂଇଁ ଉପର ଜଳନ୍ତା ଠକ୍‍...ଠକ୍‍... । ସବୁଜ ଘାସ କେରାଏ କାହିଁ ନ ଥାଏ । ଗଛର ପତ୍ର ସବୁ ଝାଉଁଳି ପଡ଼ିଥାଏ । ସବୁ ଶୁଖିଲା–ସବୁ ନୀରସ !!

 

ନୂଆ ଅଷାଢ଼ ଆସିଲେ ପାଣି ବରଷେ । ଭୂଇଁ ଭିତରୁ ଡହକ ଉଠେ । ବାସନା ମହକେ-। ମା’ ବସୁଧାର ଦେହ ଫୁଲି ଫୁଲି ଉଠେ । ବସୁଧା ପେଟରୁ ନାନା ରକମ ଗଛ, ଲତା, ଘାସ ଜନମ ହୁଅନ୍ତି । ତା’ ମୁହଁରେ ହସ ଦେଖାଦିଏ । ସେଇଥିପାଇଁ ଏ ରଜକମେଇ । ତା’ରି ଛୁଆ ଏ ମଣିଷ ଜାତି ଖୁସିରେ ନାଟ କରେ । ମାଟି ମା’ ଦେହରେ ନୂଆ ଜୀବନ ଆସିଛି । ତା’ ଛାତି ଫଟାଇ ନେଳି ନେଳି ଧାନଗଛଗୁଡ଼ିକ ଫୁଟି ପଡ଼ିବ । ଦିନ କେଇଟା ଗଲେ କେରି କେରି ସୁନା ଧାନ ଝରି ପଡ଼ିବ । ମଣିଷ ତାହାରିଦ୍ୱାରା ଜୀବନ ରଖିବ । ତା’ ଛୁଆ ମଣିଷ ଜାତିର ପରମାୟୁ ବଢ଼ିବ ।

 

ରଜ କମେଇରେ ମାଟି ମା’କୁ ତିନିଦିନ ବିଶ୍ରାମ ଦିଆଯାଏ । ସେହି ସମୟ ଭିତରେ ସେ କ୍ଷେତ ଉପୂଜାଇବା ପାଇଁ ପ୍ରସ୍ତୁତ ହୁଏ । ସେହି ତିନିଦିନ ମାଟି ଉପରେ ଆଘାତ କରାଯାଏ ନାହିଁ । ଆମ ଦେଶର ପାଞ୍ଜିକାରମାନେ ଆଗରୁ ଗଣନା କରି ଏହି ଦିନ ଠିକ୍‍ କରି ଦେଇଛନ୍ତି ।

 

ଆମ ଓଡ଼ିଶାରେ ଏହି ପର୍ବ ଭଲରୂପେ ପାଳିତ ହୁଏ । ତିନିଦିନଯାକ ପିଠାପଣା କରି ମହା ମଉଜରେ ଲୋକମାନେ ଦିନ କାଟନ୍ତି । ସେ ଦିନମାନଙ୍କରେ ସମସ୍ତଙ୍କୁ ସବୁ କାମରୁ ଛୁଟି । ମନମଉଜରେ ଦିନ କାଟିବା ପାଇଁ ଲୋକମାନେ ନାନା ଖେଳ ଉତ୍ସବର ଯୋଗାଡ଼ କରିଥାନ୍ତି । ପିଲାମାନଙ୍କର ଖେଳ ରୋଳରେ ଗାଁ ଦାଣ୍ଡ ଉଛୁଳି ଉଠେ ।

ରଜ ତିନିଦିନ ଝିଅ ବୋହୂଙ୍କର ବେଶି ମଜା । ଦୋଳି ଗୀତ ଗାଇ ଗାଇ ସେମାନେ ଦୋଳି ଖେଳନ୍ତି । କେତେ ଜାତିର ଦୋଳି–ରାମଦୋଳି, ଚରକି ଦୋଳି, ପଟା ଦୋଳି, ନତୁବା ଖାଲି ଦଉଡ଼ି ଦୋଳି । ଗାଁ ସାରା ଯେଉଁଆଡ଼େ ଦେଖିବ–ଦୋଳି । ମନେହୁଏ ସତେଯେପରି ଏହା ଦୋଳିପରବ । ଭୂଇଁକୁ ନଛୁଇଁ ଖାଲି ଦୋଳି ଦୋଳନାରେ ସମୟ କଟାଇ ଦେବା ବୋଧହୁଏ ଲକ୍ଷ୍ୟ-। କେଡ଼େ ସୁନ୍ଦର ଦିନ । ସମସ୍ତଙ୍କ ପାଇଁ ଉତ୍ସବର ଆୟୋଜନ । ଘରେ ଘରେ ହସର ଢେଉ ଉଛୁଳା ଆନନ୍ଦ ।

ରଜ ତିନିଦିନ ମା’ ବସୁଧାକୁ ଛୁଇଁବା ମନା ବୋଲି ଶାସ୍ତ୍ରରେ ଅଛି । ସେବ କାଳରୁ ଏହି ଦୋଳିର ବ୍ୟବସ୍ଥା । କେତେକ ସ୍ଥାନରେ ଏହି ତିନିଦିନ ଯାକ ଚୁଲି ଜଳାଯାଏ ନାହିଁ । ରଜ ପୂର୍ବ ଦିନଠାରୁ ତିନିଦିନ ଯାଏ ଖାଇବା ଜିନିଷ ତିଆରି ହୋଇ ରହିଥାଏ । ଏପରିକି ପାନ ଖାଇବା ପାଇଁ ଗୁଆ ମଧ୍ୟ ପୂର୍ବରୁ କାଟିକରି ରଖା ଯାଇଥାଏ । ଆଉ ମଧ୍ୟ କେତେକ ସ୍ଥାନରେ ଭୂଇଁକୁ ନଛୁଇଁବା ପାଇଁ ତା’ ଉପରେ ଲୁଗା ଓ କାର୍ପେଟ ପ୍ରଭୃତି ବିଛେଇ ଥାନ୍ତି ।

ପୁରୁଷମାନଙ୍କ ଅପେକ୍ଷା ସ୍ତ୍ରୀମାନଙ୍କର ରଜ ମଉଜ ଅଧିକ । ନୂଆ ବେଶଭୂଷାରେ ମଣ୍ଡିହୋଇ ସେମାନେ ମହାଆନନ୍ଦରେ ଦୋଳିରେ ଝୁଲୁଥାନ୍ତି । ନଶୁଣିଲା ଲୋକ ମଧ୍ୟ ଦଣ୍ଡେ ଛିଡ଼ା ହୋଇ ତାହା ଶୁଣିବ । ସହର ଅପେକ୍ଷା ମଫସଲରେ ଏ ଗୀତର ଚଳଣି ବେଶି–

 

ଦୋଳି କଲା କେଁ ... କଟ,

ମୋ’ଭାଇ ମୁଣ୍ଡରେ ସୁନା ମୁକୁଟ ... ଲୋ

ଦିଶୁଥିବ ଝଟ ଝଟ ... ।୧।

ଚଉରା ମୂଳରେ ଚିତା,

ଏ ବାଟେ ଗଲେ କି ମୋହରି ନନା ଲୋ ...

ଦିଶିଗଲା ପାଟ ଛତା ...।୨।

 

ଏହି ଗୀତ ଭିତରେ ଝିଅବୋହୂମାନେ କେତେ ସୁଖ, ଦୁଃଖ ମିଶା ନିଜର ମନକଥା ଢାଳି ଦିଅନ୍ତି । ଏହି ମନ ଉଛୁଳା ଗୀତଗୁଡ଼ିକ ଭାରି ଭଲ ଲାଗେ ।

 

ତିନିଦିନ ପରେ ଚତୁର୍ଥ ଦିନ ‘ମହା ଲଛମା’ ବା ମହାଲକ୍ଷ୍ମୀ ସ୍ନାନ । ମହାଲକ୍ଷ୍ମୀ–ମା’ ବସୁଧା ସ୍ନାନ କରିବେ । ସେଇ ଦିନଠାରୁ ଚଷା ଚାଷରେ ଲାଗେ । ଲଙ୍ଗଳ ମୁନରେ ବସୁଧାର ଛାତି ଚିରି ବିହନ ବୁଣେ । ପୃଥିବୀ ଉପରେ ସବୁଜ ଘାସ ମୁଣ୍ଡ ଟେକେ ।

 

ନୂଆ ଆଷାଢ଼ର ନୂଆ ମେଘ ମାଟି ମା’ ଦେହରେ ଖେଳିଯାଏ । ଫୁଲ ଫଳରେ ଟାଆଁସା ଭୂଇଁ ଜିଇଁ ଉଠେ । ପୃଥିବୀର ରୂପ ବଦଳି ଯାଏ । ସବୁଆଡ଼େ ନୂଆ ଜୀବନ ନୂଆ ହସ ଉକୁଟି ଉଠେ । ଆହା, କି ଆନନ୍ଦର ଦିନ ଏ ରଜ ପର୍ବ ।’

★★★

 

ଗୁଣ୍ଡିଚାଯାତ୍ରା

 

ଶ୍ରୀ ଜଗନ୍ନାଥ ଓଡ଼ିଶାର ବଡ଼ ଠାକୁର । ଏ ଦେଶରେ କେତେ ଯେ ଦେବଦେବୀ ପୂଜାପାଆନ୍ତି ତାହାର କଳନା କିଏ କରିବ ! ସେଥିପାଇଁ ଓଡ଼ିଶା ସାରା ଦେବ ମନ୍ଦିରରେ ଛାଇ ହୋଇଛି । ଓଡ଼ିଶା ଦେବ ଭୂମି ବୋଲି ଜଗତରେ ଲୋକେ ଜାଣନ୍ତି । ପୁରୀ ଦେଉଳରେ ଜଗନ୍ନାଥ ବିଜେ କରିଛନ୍ତି । ସେ ହେଉଛନ୍ତି ବଡ଼ଠାକୁର । ତାଙ୍କ ପାଇଁ ଆମ ଓଡ଼ିଶାକୁ ପୃଥିବୀଯାକ ଲୋକେ ଜାଣନ୍ତି । ଜଗନ୍ନାଥଙ୍କର ସବୁ ଉତ୍ସବ ଭିତରେ ‘‘ରଥଯାତ୍ରା’’ ହେଉଛି ପ୍ରଧାନ । ସେହି ଯାତ ଦେଖିବାପାଇଁ ଓଡ଼ିଶାକୁ ନାନା ଦେଶରୁ ଲୋକମାନେ ଆସନ୍ତି ।

 

ରଥଯାତ୍ରା ଦୁଇ ଦିନ ହୁଏ । ଆଷାଢ଼ ମାସ ଶୁକ୍ଳପକ୍ଷ ଦ୍ୱିତୀୟା ଦିନ ଶ୍ରୀ ଗୁଣ୍ଡିଚା ଓ ଦଶମୀ ଦିନ ବାହୁଡ଼ା ଯାତ୍ରା ହୁଏ । ଶ୍ରୀ ଗୁଣ୍ଡିଚା ଦିନ ଜଗନ୍ନାଥେ ମାଉସୀ ଘରକୁ ଯାଆନ୍ତି । ସେଠାରେ ସାତ ଦିନ ରହି ଦଶମୀ ଦିନ ପୁଣି ମନ୍ଦିରକୁ ଫେରନ୍ତି । ଜଗନ୍ନାଥଙ୍କ ସହିତ ତାଙ୍କ ବଡ଼ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରା ମଧ୍ୟ ଯାଇଥାନ୍ତି । ତିନିଜଣଙ୍କ ପାଇଁ ତିନୋଟି ସ୍ୱତନ୍ତ୍ର ରଥ । ଯାତ୍ରାଦିନ ରଥ ତିନୋଟି ଲୋକ ଗହଳି ଭିତରେ ଘିଡ଼ି ଘିଡ଼ି ହୋଇ ଚାଲେ । ଘଣ୍ଟ, ଶଙ୍ଖ, ହୁଳହୁଳି ଶବ୍ଦରେ ଦାଣ୍ଡ ଉଛୁଳି ପଡ଼େ ।

 

ଏହି ଯାତ୍ରାଟି ପ୍ରଥମେ ଗୁଣ୍ଡିଚା ରାଣୀ ଆରମ୍ଭ କରିଥିଲେ । ତାଙ୍କରି ନାମ ଅନୁସାରେ ଯାତ୍ରାଟିର ନାମ ଗୁଣ୍ଡିଚା ରଖାଯାଇଛି । ଗୁଣ୍ଡିଚା ହେଉଛନ୍ତି ରାଜା ଇନ୍ଦ୍ରଦ୍ୟୁମ୍ନଙ୍କର ସ୍ତ୍ରୀ । ତାଙ୍କର ଘର ଅବନ୍ତୀ ଦେଶରେ । ସେ ବଡ଼ ଜଗନ୍ନାଥ ଭକ୍ତ ଥିଲେ । ଜଗନ୍ନାଥଙ୍କୁ ପାଇବା ପାଇଁ ମନ ତାଙ୍କର ଭାରି ବ୍ୟସ୍ତ ହେଉଥାଏ । ଦିନେ ରାଣୀ ନିଜର ମନକଥା ରାଜାଙ୍କ ଆଗରେ କହିଲେ । ରାଜା ଜଗନ୍ନାଥଙ୍କୁ ପାଇବା ପାଇଁ ନାନା ଚେଷ୍ଟା କଲେ; କିନ୍ତୁ କିଛି ଫଳ ହେଲା ନାହିଁ ।

 

ରାଣୀଙ୍କର ଅଚଳା ଭକ୍ତି ଦେଖି ପ୍ରଭୁ ଜଗନ୍ନାଥଙ୍କ ମନରେ ଦୟା ଜାତ ହେଲା । ସେ ଦିନେ ରାତିରେ ରାଜାଙ୍କୁ ସ୍ୱପ୍ନରେ କହିଲେ, ‘‘ଉତ୍କଳ ଖଣ୍ଡରେ ଚିତ୍ରୋତ୍ପଳା ବୋଲି ଗୋଟିଏ ନଦୀ ଅଛି । ସେଠାରେ ଜଣେ ଶବର ମୋର ମୂର୍ତ୍ତି ରଖି ପୂଜା କରୁଛି । ତୁମେ ସେଠାକୁ ଗଲେ ମୋର ଦର୍ଶନ ପାଇ ପାରିବ ।’’ ରାଜା ଭାବିଲେ, ଭଗବାନଙ୍କର ଦୟା ହେଲାଣି; ଏଥର ଦର୍ଶନ ନିଶ୍ଚୟ ମିଳିବ । ତା’ ପର ଦିନ ସକାଳୁ ସେ ରାଣୀଙ୍କୁ ସାଙ୍ଗରେ ନେଇ ଜଗନ୍ନାଥଙ୍କୁ ଦର୍ଶନ କଲେ ।

 

ଠାକୁରଙ୍କୁ ଦେଖିବା ପରଠାରୁ ତାଙ୍କୁ ପାଇବା ପାଇଁ ସେ ନାନା ଚେଷ୍ଟାକଲେ । ପୁରୀ କ୍ଷେତ୍ରରେ ଜଗନ୍ନାଥଙ୍କ ମନ୍ଦିର ତୋଳାଇ ସେ ତାଙ୍କର ମୂର୍ତ୍ତିକୁ ଆଣି ଥାପନା କଲେ । ବର୍ତ୍ତମାନ ଯେଉଁ ଜାଗାରେ ମନ୍ଦିର ଅଛି ସେଠାରେ ପୂର୍ବରୁ ବଣ ବୁଦା ଲାଗି ରହିଥିଲା । ଏବେ ସେସବୁ ସଫା କରାଯାଇ ଲୋକବସ୍ତି ହୋଇଗଲାଣି । ସେ ପୁରୁଣା ଦେଉଳ ଜାଗାରେ କେତେ ଲୋକ କେତେ ନୂଆ ମନ୍ଦିର ତୋଳାଇଲେଣି; କିନ୍ତୁ ଗୁଣ୍ଡିଚାଯାତ ଆଜିଯାଏ ଚାଲି ଆସୁଛି । ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ନାମ ଅନୁସାରେ ଆଜି ମଧ୍ୟ ଇନ୍ଦ୍ରଦ୍ୟୁମ୍ନ ପୋଖରୀ ରହିଛି ।

 

ଗୁଣ୍ଡିଚା ରାଣୀ ଏବର ବଡ଼ ମନ୍ଦିରଠାରୁ ଟିକିଏ ଦୂରରେ ଆଉ ଗୋଟିଏ ଛୋଟ ମନ୍ଦିର ତୋଳାଇଥିଲେ । ତାହା ହେଲା ଜଗନ୍ନାଥଙ୍କର ମାଉସୀ ଘର । ସେ ବ୍ୟବସ୍ଥା କଲେ ଯେ, ପ୍ରତିବର୍ଷ ଆଷାଢ଼ ଶୁକ୍ଳପକ୍ଷ ଦ୍ୱିତୀୟାଦିନ ମହାପ୍ରଭୁ ରଥରେ ବିଜେକରି ସେହି ସାନ ମନ୍ଦିରକୁ ଯିବେ । ମାଉସୀ ଘରେ ସେ ସାତଦିନ ରହି ଦଶମୀ ଦିନ ନିଜ ମନ୍ଦିରକୁ ବାହୁଡ଼ି ଆସିବେ । ତାକୁ କୁହାଯିବ ବାହୁଡ଼ାଯାତ୍ରା । ସେହିଦିନଠାରୁ ବାହୁଡ଼ାଯାତ୍ରା ପାଳନ କରାଯାଉଅଛି । ସେଦିନ ପୁଣିଥରେ ରଥ ଟଣାଯାଏ । ପୁଣି ଲୋକଭିଡ଼ ହୁଏ । ସେହି ଦିନରୁ ଏହି ଦୁଇଟି ଯାତ୍ରା ଚଳି ଆସୁଛି । କେତେକାଳ ବିତି ଗଲାଣି; ରାଜା ଇନ୍ଦ୍ରଦ୍ୟୁମ୍ନ ଓ ଗୁଣ୍ଡିଚା ରାଣୀଙ୍କୁ କେହି ଭୁଲିପାରି ନାହାନ୍ତି ।

 

ଏହି ରଥଯାତ୍ରା ଦିନ ଆଉ ଗୋଟିଏ ସୁବିଧା ହୁଏ । ସେଦିନ ବ୍ରାହ୍ମଣଠାରୁ ଆରମ୍ଭ କରି ଚାଣ୍ଡାଳ ପର୍ଯ୍ୟନ୍ତ ଓ ରାଜାଠାରୁ ଆରମ୍ଭ କରି ରାଜ୍ୟର ଭିଖାରି ପର୍ଯ୍ୟନ୍ତ ଏକସହିତ ରଥଦଉଡ଼ି ଧରି ଟାଣନ୍ତି । ସେଦିନ ରାଜା ପ୍ରଜା, ଛୁଆଁ ଅଛୁଆଁର ପ୍ରଶ୍ନ ରହେନାହିଁ । ଖୋଲା ଆକାଶ ତଳେ ସମସ୍ତେ ପ୍ରାଣ ଭରି ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରନ୍ତି । ସମସ୍ତେ ଜଗନ୍ନାଥଙ୍କୁ ପୂଜା କରନ୍ତି । ସେହିଦିନ ସମସ୍ତଙ୍କ ଭାଗ୍ୟରେ ଦେବ ଦର୍ଶନ ଓ ରାଜ ଦର୍ଶନ ସମ୍ଭବ ହୋଇଥାଏ ।

 

ପୂଜା ପୀଠରେ ଜାତିର ପ୍ରଶ୍ନ ନଥାଏ । ସମସ୍ତେ ଯେପରି ଭାଇ ଭାଇ–ଗୋଟିଏ ମା’ର ସନ୍ତାନ; ଏକାଠି ରୁଣ୍ଡ ହୋଇ ଏକ ମନରେ ଭଗବାନଙ୍କର ପୂଜା କରନ୍ତି । ସମୁଦ୍ର ସହିତ ବାଦ କରି ବଡ଼ଦାଣ୍ଡରେ ମଣିଷର ସମୁଦ୍ର ଉଛୁଳି ଉଠେ ।

 

ଏ ପର୍ବ ପ୍ରତ୍ୟେକ ସ୍ଥାନରେ ପାଳନ କରାଯାଏ । ଓଡ଼ିଶାର ଏହା ଗୋଟିଏ ବଡ଼ ପର୍ବ ।

★★★

 

ଜନ୍ମାଷ୍ଟମୀ

 

ସବୁ କାଳରେ ଦୁଷ୍ଟଙ୍କୁ ଦଣ୍ଡ ଦେବା ପାଇଁ ଭଗବାନ ଦେହ ଧରି ଜନ୍ମ ହୁଅନ୍ତି । ମଥୁରାରେ ଜଣେ ରାଜା ଥିଲେ । ସେ ଭାରି ଦୁଷ୍ଟ । ଦେବତା ଓ ମନୁଷ୍ୟମାନଙ୍କୁ ସେ ଭାରି କଷ୍ଟ ଦେଉଥିଲେ । ତାଙ୍କ ପ୍ରତାପରେ ସ୍ୱର୍ଗ ମର୍ତ୍ତ୍ୟ ଥରୁଥିଲା । ଗୁଣ ଅନୁସାରେ ତାଙ୍କର ନାମ ଥିଲା କଂସ-। ସେ ମନୁଷ୍ୟ କିମ୍ୱା ଦେବତା ନୁହନ୍ତି । ସେ ହେଉଛନ୍ତି ଅସୁର । ସେ ବର ପାଇଥିଲେ ଯେ, ତାଙ୍କୁ କେହି ଶତ୍ରୁ ମାରିପାରିବେ ନାହିଁ । ଯଦି ମାରିବେ, କେବଳ ତାଙ୍କର ଭଣଜା ମାରିବେ । କାହାରି ପ୍ରତି ତାଙ୍କର ଖାତିରି ନ ଥିଲା । ଯେତେବେଳେ ସେ ଜାଣିଲେ ଯେ ନିଜର ଭଣଜା ବ୍ୟତୀତ ଅନ୍ୟ କେହି ତାଙ୍କୁ ମାରିପାରିବେ ନାହିଁ, ସେତେବେଳେ ସେ ଏକ କୌଶଳ କଲେ । ନିଜ ଭଉଣୀ ଦେବକୀଙ୍କୁ ନେଇ ବନ୍ଦୀକରି ରଖିଲେ । କଂସ ବଡ଼ ନିଷ୍ଠୁର । ଦେବକୀଙ୍କ ଗର୍ଭରୁ ଯେତୋଟି ପିଲା ହେଲେ, ସେଗୁଡ଼ିଙ୍କୁ ସେ ମାରିପକାଇଲେ ।

 

କଂସ ରାଜାର ଅତ୍ୟାଚାର ଦିନକୁ ଦିନ ବଢ଼ିବାକୁ ଲାଗିଲା । ମଣିଷ ଓ ଦେବତା ବହୁତ କଷ୍ଟ ପାଇଲେ । ଭଗବାନଙ୍କ ପାଖରେ ଏ ଦୁଃଖ କହିବାକୁ ଦିନେ ଦେବତାମାନେ ସମସ୍ତେ ଠିକ୍‍ କଲେ । ପ୍ରଥମେ ଦେବତାମାନଙ୍କ ମଧ୍ୟରେ ସଭା ହେଲା । କଂସାସୁରକୁ ମାରିବା ପାଇଁ ସମସ୍ତେ ନାନାପ୍ରକାର ଉପାୟ ଚିନ୍ତା କଲେ । ଶେଷରେ ନାନା ଆଲୋଚନା ପରେ ଠିକ୍‍ ହେଲା ଯେ, ଭଗବାନ ନିଜେ ଯାଇ ଦେବକୀଙ୍କ ପୁଅ ହୋଇ ଜନ୍ମ ହେବେ । ପାର୍ବତୀ ଗୋପପୁରର ରାଣୀ ଯଶୋଦାଙ୍କର ଝିଅ ରୂପରେ ଜନ୍ମ ହେବେ । ଦେବକୀଙ୍କର ସ୍ୱାମୀ ବସୁଦେବ ପୁଅକୁ ଗୋପପୁରକୁ ନେଇ ଯଶୋଦାଙ୍କ କୋଳରେ ରାତିରେ ଶୁଆଇ ଦେବେ ଓ ଝିଅଟିକୁ ନେଇଆସି ନିଜ ସ୍ତ୍ରୀଙ୍କ କୋଳରେ ଦେବେ । ଏହିସବୁ ଘଟଣା କେହି ଜାଣିବେ ନାହିଁ । ଭଗବାନ ମାୟା କରିବେ । ରାତି ଭିତରେ ସବୁ କାମ ସରିବ । ଏହିପରି ପ୍ରସ୍ତାବ ଠିକ୍‍ ହୋଇଗଲା । ଭଗବାନ ସେଥିରେ ଏକମତ ହେଲେ ।

 

ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ । ବନ୍ଦିଶାଳାକୁ ଆଲୋକିତ କରି ଭଗବାନ ଛୋଟ କଅଁଳା ପିଲା ରୂପରେ ଦେବକୀଙ୍କ କୋଳରେ ଜନ୍ମ ହେଲେ । ଦେବକୀ ଏଡ଼େ ସୁନ୍ଦର କଅଁଳ ଗୁଲୁଗୁଲୁ ଛୁଆଟିକୁ ଦେଖି ବିକଳ ହୋଇ କାନ୍ଦିଲେ । ନିଷ୍ଠୁର କଂସ ଦେଖିଲେ ତାକୁ ମାରିଦେବ । ଏହି ସମୟରେ ଶୂନ୍ୟରୁ ଶବ୍ଦ ଶୁଣାଗଲା–

 

‘‘ବସୁଦେବ ! ତୁମେ ଏ ପୁଅଟିକୁ ଏହି ରାତି ମଧ୍ୟରେ ନେଇ ଗୋପପୁରରେ ଯଶୋଦାଙ୍କ କୋଳରେ ଦେଇ ତାଙ୍କ କୋଳରୁ ଝିଅଟିକୁ ବଦଳାଇ ଆଣ ।’’

 

ବସୁଦେବ ଏହି ଦୈବୀ ବାଣୀ ଶୁଣି, ଭୟରେ ଥରି ଥରି ପୁଅଟିକୁ ଧରି ବନ୍ଦିଘରୁ ବାହାରକୁ ବାହାରି ଆସିଲେ । ଚାରିଆଡ଼େ କିଟି କିଟି ଅନ୍ଧାର । ଆକାଶ ଫଟାଇ ମେଘ ଭାଙ୍ଗି ପଡ଼ୁଛି । ଚିକ୍‍... ଚିକ୍‍........ବିଜୁଳି ଚମକୁଛି । ପିଲାଟିକୁ ଛାତିରେ ଆଉଜେଇ ସେ ଅନ୍ଧାର ଓ ବର୍ଷା ମଧ୍ୟରେ ଗୋପପୁରକୁ ଚାଲିଲେ ।

 

ଯାଉ ଯାଉ ବାଟରେ ଯମୁନା ନଦୀ ପଡ଼ିଲା । ନଦୀ ଦୁଇକୂଳ ଖାଉଛି । ଅକାତ କାତ ପାଣି । ଏ ଛୋଟ ପିଲାଟିକୁ ଧରି ସେ କିପରି ଏହି ଭରା ନଈକୁ ପାର ହେବେ । ସେ ମନେମନେ ଭଗବାନଙ୍କୁ ସ୍ମରଣ କଲେ । ଚାହୁଁ ଚାହୁଁ ଯମୁନା ନଈ ଶୁଖିଲା ପଡ଼ିଗଲା । ନଦୀ ପାର ହୋଇ ବସୁଦେବ ଅକ୍ଳେଶରେ ଗୋପପୁରରେ ପହଞ୍ଚିଲେ । ସେତେବେଳକୁ ନଗର ସାରା ନିଘୋଡ଼ ନିଦରେ ଶୋଇ ପଡ଼ିଥାନ୍ତି । ସେ ଗୋଡ଼ ଚିପି ଚିପି ଯଶୋଦା ଶୋଇଥିବା ସ୍ଥାନରେ ଯାଇ ପହଞ୍ଚିଲେ । ସେତେବେଳକୁ ରାଣୀ ନିଦରେ ଘୁଙ୍ଗୁଡ଼ି ମାରୁଛନ୍ତି । ସେ ଆସ୍ତେ ଆସ୍ତେ ପିଲାଟିକୁ ଯଶୋଦାଙ୍କ କୋଳରେ ଶୁଆଇ ଦେଇ ଝିଅଟିକୁ ଧରି ପଳାଇ ଆସିଲେ । ପୁଣି ସେହି ଅନ୍ଧାର ଭିତରେ ଫେରିଆସି ଦେବକୀଙ୍କ କୋଳରେ ଝିଅଟିକୁ ଶୁଆଇ ଦେଲେ ।

 

ରାତି ପାହିଲା । କଂସ ଖବର ପାଇ ଝିଅଟିକୁ ମାରିବା ପାଇଁ ଭଉଣୀ ହାତରୁ ଛଡ଼ାଇ ନେଲା । କୌଣସି କାକୁତି ମିନତି ଶୁଣିଲା ନାହିଁ । ଆହା, ଝିଅଟି କେଡ଼େ ସୁନ୍ଦର । ସତେ ଯେପରି ଗୋଟିଏ ରତ୍ନ ପ୍ରତିମା । କଂସର ହାତରେ ଖିଲି ଖଲି ହୋଇ ହସୁଥାଏ । ହସଗୁଡ଼ାକ କଂସ ଦେହରେ ଛୁଞ୍ଚି ପରି ଗଳି ଯାଉଥାଏ । କଂସ ରାଗରେ ଅଥୟ ହୋଇ ଝିଅଟିକୁ ଗୋଟିଏ ପଥରରେ କଚାଡ଼ି ଦେଲାକ୍ଷଣି ଗୋଟିଏ ବିଜୁଳିରେଖା ପରି ତାହା ଆକାଶକୁ ଉଠିଗଲା । କଂସ ରଜାର ଦେହ ଭୟରେ ଥରିଉଠିଲା । ସଙ୍ଗେ ସଙ୍ଗେ ଶୁନ୍ୟରୁ ଶୁଣାଗଲା, ‘‘କଂସରାଜା, ତୁମକୁ ଯେ ହତ୍ୟା କରିବ ସେ ଗୋପପୁରରେ ବଢ଼ୁଛି ।’’ ଏହା ଶୁଣି କଂସ ରାଗରେ ଲାଲ ପଡ଼ିଗଲା ।

 

ସତକୁ ସତ ଭଗବାନ ଶ୍ରୀକୃଷ୍ଣ, ଯେ କି ଯଶୋଦାଙ୍କର ପୁଅ ରୂପରେ ବଢ଼ୁଥିଲେ, ସେ ଗୋପପୁରରୁ ଆସି କଂସାସୁରକୁ ମାରିଥିଲେ ।

 

ଶ୍ରୀକୃଷ୍ଣ ଦେବକୀଙ୍କ ଗର୍ଭରେ ଭାଦ୍ରମାସ କୃଷ୍ଣପକ୍ଷ ଅଷ୍ଟମୀ ଦିନ ଜନ୍ମ ହୋଇଥିଲେ ଓ ସଂସାରରୁ କଂସପରି ଅସୁରକୁ ମାରି ଶାନ୍ତି ଆଣିଥିଲେ । ଏହି କାରଣରୁ ଘରେ ଘରେ ତାଙ୍କର ଜନ୍ମଉତ୍ସବ ପାଳନ କରାଯାଏ । ତାଙ୍କର ଜନ୍ମଦିନକୁ ହରିଜନ୍ମ ବା ଜନ୍ମାଷ୍ଟମୀ ବୋଲି କୁହାଯାଏ ।

★★★

 

ବାଲିତୃତୀୟା

 

ଆମ ଦେଶ ଭାରତବର୍ଷର ଉତ୍ତରରେ ହିମାଳୟ ପ୍ରଦେଶ । ତାହାକୁ ଆମ ଦେଶର ପାଚେରୀ ବୋଲି କୁହାଯାଏ । ସେ ପର୍ବତ ଏତେ ଉଚ୍ଚ ଯେ, ସେ ବାଟ ଦେଇ ଯିବା ଆସିବା କରିବା ସମ୍ଭବପର ନୁହେଁ । ଏହା ପୃଥିବୀ ଭିତରେ ବଡ଼ ପର୍ବତ ଓ ସୁନ୍ଦର ପଣରେ ମଧ୍ୟ କମ୍‍ ନୁହେଁ-। ଦେହ ସାରା ନାନା ଜାତିର ଗଛ, ଲତା, ପତ୍ର ଫୁଲରେ ଭରି ରହିଛି । ଝରଣାଗୁଡ଼ିକ ଝରଝର ହୋଇ ବହିଯାଉଛନ୍ତି । ହିମାଳୟକୁ ପର୍ବତମାନଙ୍କର ରାଜା ବୋଲି କୁହାଯାଏ ।

 

ଏହି ପର୍ବତ ରାଜାଙ୍କର ଗୋଟିଏ ସୁନ୍ଦରୀ ଝିଅ ଥିଲେ । ରୂପ ଗୁଣରେ ସେ ସମସ୍ତଙ୍କୁ ଜିଣିଥିଲେ । ତାଙ୍କ ନାମ ପାର୍ବତୀ । ଶିବଙ୍କଠାରେ ତାଙ୍କର ଅଚଳା ଭକ୍ତି ଥିଲା । ବହୁତ କଷ୍ଟ ସହି ସେ ତାଙ୍କୁ ପୂଜା କରୁଥାନ୍ତି ।

 

ପାର୍ବତୀଙ୍କର ରୂପ ଓ ଗୁଣ ଦେଖି ଏଣେ ବିଷ୍ଣୁ ବିଭୋର ହୋଇଗଲେଣି । ତାଙ୍କୁ ବିବାହ କରିବା ପାଇଁ ସେ ଇଚ୍ଛାକଲେ । ତେବେ ଏ ପ୍ରସ୍ତାବ ଉଠାଇବ କିଏ ? ସେ ତେଣୁ ନାରଦ ଋଷିଙ୍କୁ ହିମାଳୟ ରାଜାଙ୍କ ପାଖକୁ ପଠାଇଲେ । ନାରଦ ଋଷି ମଧ୍ୟସ୍ଥ ହୋଇ ଏ କାମ କରିବା ପାଇଁ ଗଲେ-

 

ଋଷି ବୀଣା ବଜାଇ ହିମାଳୟ ରାଜାଙ୍କର ଉଆସରେ ଆସି ପହଞ୍ଚିଲେ । ରାଜା ନାରଦଙ୍କୁ ଦେଖିଲା କ୍ଷଣି ଭାରି ଖୁସି ହୋଇଗଲେ । ସଙ୍ଗେ ସଙ୍ଗେ ଘର ଭିତରକୁ ପାଛୋଟି ନେଲେ । କିଛି ସମୟ ପାଇଁ ନାନା ଆଡ଼ୁ କଥାବାର୍ତ୍ତା ଆରମ୍ଭ ହେଲା । ନାରଦ ସୁବିଧା ଖୋଜୁଥାନ୍ତି, ବିବାହ ବିଷୟରେ ପ୍ରଶ୍ନ କରିବେ ବୋଲି ।

 

ହିମାଳୟ ଋଷିଙ୍କର ଆସିବାର କାରଣ ପଚାରିଲେ । ଏତେବେଳେ ନାରଦଙ୍କୁ ସୁବିଧା ମିଳିଛି । ସେ କିଛି ନ ଲୁଚାଇ ସବୁ କଥା କହିଲେ । ହିମାଳୟ ସବୁ କଥା ଶୁଣି ଆନନ୍ଦିତ ହେଲେ । ଏହା କ’ଣ କମ୍‍ ସୌଭାଗ୍ୟର କଥା । ସ୍ୱୟଂ ବିଷ୍ଣୁ ତାଙ୍କ ଝିଅ ପାର୍ବତୀଙ୍କୁ ବିବାହ କରିବାକୁ ଚାହୁଁଛନ୍ତି-। ରାଜା କନ୍ୟାଦାନ କରିବା ପାଇଁ ନାରଦଙ୍କ ପାଖରେ ସତ୍ୟ କଲେ । ଋଷି ଏ ଶୁଭ ଖବର ନେଇ ସ୍ୱର୍ଗକୁ ଫେରିଗଲେ ।

 

ଏଥି ମଧ୍ୟରେ ହିମାଳୟ ରାଜା ଝିଅର ବିବାହ ପାଇଁ ସବୁପ୍ରକାର ଆୟୋଜନ କରିବାକୁ ବସିଲେ । ସବୁ ଠିକ୍‍ଠାକ୍‍ ହେଲା ।

 

ଆଜି ରାଜଜେମାଙ୍କର ବିଭାଘର । ଉଆସରେ ଆନନ୍ଦର ଢେଉ ଖେଳୁଛି । ରାଜ୍ୟର ଟିକି ପୁଷି ପିଲା ମଧ୍ୟ ଆନନ୍ଦରେ ଲାଞ୍ଜ ଫୁଲାଇ ନାଚୁଛି ।

 

ପାର୍ବତୀଙ୍କ ମନରେ କାହିଁକି କେଜାଣି ସୁଖ ନ ଥାଏ । ଆଖିରେ ତାଙ୍କର ଲୁହ । ଏ’କି ଆଶ୍ଚର୍ଯ୍ୟର କଥା ! ଯେ ବିଷ୍ଣୁଙ୍କ ପରି ବର ପାଇବ ସେ ପୁଣି କାନ୍ଦୁଛି କାହିଁକି ? ପ୍ରକୃତରେ ପାର୍ବତୀ ଶିବଙ୍କୁ ଏତେ ଭକ୍ତି କରୁଥିଲେ ଯେ ତାହା ବର୍ଣ୍ଣନାତୀତ । ସେ ଶିବଙ୍କୁ ସ୍ୱାମୀରୂପେ ପାଇବା ପାଇଁ ମନେମନେ ସ୍ଥିର କରିଥିଲେ । କିନ୍ତୁ ବାପା ତାଙ୍କୁ ବିଷ୍ଣୁଙ୍କ ସହିତ ବିବାହ ଦେବାକୁ ସ୍ଥିର କରିଛନ୍ତି । ପାର୍ବତୀ ଏଥିରେ ମଙ୍ଗିଲେ ନାହିଁ । ଯାହାଙ୍କୁ ସେ ପତିରୂପେ ମନ ମଧ୍ୟରେ ବରଣ କରି ସାରିଛନ୍ତି ତାଙ୍କ ବ୍ୟତୀତ ଅନ୍ୟ କାହାକୁ ଗ୍ରହଣ କରିପାରିବେ ନାହିଁ ।

 

ପାର୍ବତୀ ନାନା କଥା ଭାବି ତାଙ୍କର ଜଣେ ସାଥୀକୁ ସାଙ୍ଗରେ ନେଇ, ଉଆସରୁ ଲୁଚି ଲୁଚି ଜଙ୍ଗଲ ମଧ୍ୟକୁ ପଳାଇଗଲେ । ସେଦିନ ଭାଦ୍ରବ ମାସ ଶୁକ୍ଳ ତୃତୀୟା । ରାତିରେ ଦୁଇ ସଖୀ ମିଶି ଯିବା ସମୟରେ ବାଟରେ ଗୋଟିଏ ନଦୀ ପଡ଼ିଲା । ଦୁହେଁଯାକ ସେହି ନଦୀ ବାଲିରେ ଶିବଲିଙ୍ଗ ତିଆରି କରି ପୂଜାକଲେ । ତାଙ୍କର କଠୋର ପୂଜାରେ ଶିବଙ୍କର ଆସନ ଟଳମଳ ହେଲା-। ସେ ଶେଷରେ ଆସି ପାର୍ବତୀଙ୍କ ପାଖରେ ପହଞ୍ଚିଲେ । ପାର୍ବତୀ ସେତେବେଳକୁ ଧ୍ୟାନମଗ୍ନା । ସେ ଧ୍ୟାନ ମଧ୍ୟରେ ଦେଖିପାରିଲେ, ଜଣେ ଦିବ୍ୟ ପୁରୁଷ ତାଙ୍କ ସମ୍ମୁଖରେ ଛିଡ଼ାହୋଇ ଆନନ୍ଦରେ ହସୁଛନ୍ତି । ପାର୍ବତୀ ଜାଣିଲେ ଯେ, ସେ ହେଉଛନ୍ତି ଶିବ । ଠାକୁରଙ୍କ ପାଦରେ ମୁଣ୍ଡ ଲଗାଇ ପ୍ରଣାମ ବାଢ଼ିଲେ ।

 

ଶିବ ହସି ହସି କହିଲେ, ‘‘ପାର୍ବତୀ, ତୁମେ ସାମାନ୍ୟ ବାଳିକା ହେଲ ମଧ୍ୟ ପୂଜା ଓ ଭକ୍ତି ବଳରେ ମୋର ଆସନ ଥରାଇ ପାରିଛ । ମୁଁ ତୁମର ପୂଜାରେ ସନ୍ତୁଷ୍ଟ ହୋଇଛି । ବର୍ତ୍ତମାନ କି ବର ମାଗିବାକୁ ଚାହୁଁଛ ମାଗ ।’’

 

ପାର୍ବତୀ ହାତଯୋଡ଼ି ଜଣାଇଲେ, ‘‘ପ୍ରଭୁ ! ଯଦି ମୋ’ଠାରେ ଆପଣଙ୍କର ଦୟା ହେଲା, ତେବେ ମୋତେ ଏହି ବର ଦିଅନ୍ତୁ, ଯେପରି ମୁଁ ଆପଣଙ୍କୁ ସ୍ୱାମୀରୂପେ ପାଇ ପାରିବି ।’’ ଶିବ ‘ତଥାସ୍ତୁ’ ବୋଲି କହି ଉଭେଇ ଗଲେ । ଦୁଇ ସଖୀ ନଈ ବାଲିରେ ଶୋଇପଡ଼ିଲେ ।

 

ପାର୍ବତୀଙ୍କୁ ନଅରରେ ନ ପାଇ ଚାରିଆଡ଼େ ଚହଳ ପଡ଼ିଲା । ରାଜା ପାଗଳଙ୍କ ପରି ନିଜେ ଝିଅକୁ ଖୋଜୁଛନ୍ତି । ସେ ବୁଲି ବୁଲି ଆସି ନଦୀ କୂଳରେ ଝିଅକୁ ଦେଖିଲେ । ଏତେବେଳେ ଆନନ୍ଦ ଦେଖେ କିଏ ? ପାର୍ବତୀଙ୍କୁ ମନଦୁଃଖର କାରଣ ପଚାରିଲେ । ଝିଅ ମନକଥା ସବୁ ଗୋଟି ଗୋଟି କରି ତାଙ୍କ ଆଗରେ କହିଲା । ଶେଷରେ ସେଇୟା ହେଲା । ପାର୍ବତୀ ଶିବଙ୍କୁ ବିବାହ କଲେ-

 

ହିନ୍ଦୁଘରର ଝିଅ ବୋହୂମାନେ ଏହି ବ୍ରତ ପାଳନ କରନ୍ତି । ବାଲିରେ ଶିବଲିଙ୍ଗ ତିଆରି କରି ଭାଦ୍ରବ ମାସ ଶୁକ୍ଳପକ୍ଷ ତୃତୀୟା ଦିନ ଶିବଙ୍କୁ ପୂଜା କରନ୍ତି । ସେମାନଙ୍କର ବିଶ୍ୱାସ ଏ ପୂଜା ପାଳନ କଲେ ମନକାମନା ପୂର୍ଣ୍ଣହୁଏ ।

★★★

 

ଗଣେଶ ପୂଜା ଓ ହରିତାଳିକା

 

ଥରେ ମହାଦେବ ବାସୁଆ ବଳଦ ପିଠିରେ ବସି ସ୍ୱର୍ଗପୁରରୁ ପୃଥିବୀକୁ ବୁଲିବା ପାଇଁ ବାହାରିଲେ । ସେ ନାନା ସ୍ଥାନରେ ବୁଲି, ଶେଷରେ ହଟକେଶ୍ୱର ବୋଲି ଗୋଟିଏ ସ୍ଥାନରେ ପହଞ୍ଚିଲେ । ଖୁବ୍‍ ସୁନ୍ଦର ଜାଗା । ମହାଦେବ ବାସୁଆକୁ ପଡ଼ିଆରେ ଚରିବା ପାଇଁ ଛାଡ଼ି ଦେଲେ । ନିଜେ ସେଠାରେ ବସି ଯୋଗ ସାଧିଲେ ।

 

ଏଣେ ପାର୍ବତୀ ଘରେ ଅଛନ୍ତି । ମହାଦେବଙ୍କର ଆସିବା ବାଟକୁ ସେ ଅପେକ୍ଷା କରି ବସିଥାନ୍ତି । ବହୁତ ଦିନ ବିତିଗଲା; ମହାଦେବ ଫେରିଲେ ନାହିଁ । ପାର୍ବତୀ ମନେମନେ ଭାବିଲେ, ସେ ଏପରି ଗୋଟିଏ କାମ କରିବେ, ଯେଉଁଥିରେ ତାଙ୍କ ସମୟ ବିତିଯିବ । ଏହା ସ୍ଥିର କରି ବିଷ୍ଣୁଙ୍କ ପରି ଗୋଟିଏ ସୁନ୍ଦର ପୁତ୍ର ସେ ତିଆରି କରିବାକୁ ବସିଲେ । କେଉଁ କଥା ତାଙ୍କୁ ଅଜଣା ? ସେ ସଙ୍ଗେ ସଙ୍ଗେ ନିଜ ଦେହର ମଳିକୁଟି ବାହାର କରି ସେଥିରେ ଗୋଟିଏ ସୁନ୍ଦର ମୂର୍ତ୍ତି ଗଢ଼ିଲେ । ଗଢ଼ଣ କାମ କେତେଦିନ ମଧ୍ୟରେ ଶେଷ ହେଲା ।

 

ଇସ୍‍... କି ସୁନ୍ଦର ମୂର୍ତ୍ତି ! କି ସୁନ୍ଦର ତା’ର ହସ । ସତେ ଯେପରି ଜିଅନ୍ତା ଢଳ ଢଳ ଛୁଆଟି ମା’ କୋଳରେ ହସି କୁଦି ନାଚୁଛି । ପାର୍ବତୀ ଆନନ୍ଦରେ ବିଭୋର ହୋଇ ସେହି ମୂର୍ତ୍ତିଟିକୁ ମନ୍ତ୍ରଦ୍ୱାରା ଜୀବନ ଦେଲେ । ଚାହୁଁ ଚାହୁଁ ନିର୍ଜୀବ ମୂର୍ତ୍ତିଟି କୁରୁକୁରୁ ହୋଇ ହସିଉଠିଲା । ସେ ଜୀବନ ପାଇଛି । ନୂଆ ଜୀବନ ! କେଡ଼େ ସୁନ୍ଦର ସେ ପୁଅଟି ।

 

ଏହି ରୂପ ପ୍ରତିମା ପିଲାଟିକୁ ଦେଖିବା ପାଇଁ ପାର୍ବତୀ ସ୍ୱର୍ଗର ସମସ୍ତ ଦେବତାମାନଙ୍କୁ ନିମନ୍ତ୍ରଣ କଲେ । ସବୁ ଦେବତା ପିଲାଟିକୁ ଦେଖି ଭାରି ଖୁସି ହେଲେ । କେବଳ ଶନିଶ୍ଚର ପାର୍ବତୀଙ୍କ ନୂଆ ପୁଅକୁ ଦେଖିବା ପାଇଁ ଆସିଲେ ନାହିଁ । ପାର୍ବତୀ ବହୁତ ଅନୁରୋଧ କଲେ । ଶେଷରେ ଶନି ଦେବତା ବାଧ୍ୟହୋଇ ଆସିଲେ । ହେଲେ କ’ଣ ହେଲା, ସେ ପିଲାଟିକୁ ଚାହିଁଦେବା ମାତ୍ରେ ତା’ର ମୁଣ୍ଡଟି ଜଳିଗଲା । ପାର୍ବତୀ ମନଦୁଃଖରେ ବହୁତ କାନ୍ଦିଲେ । ଦେବତାମାନେ ମଧ୍ୟ ଏ ଦୃଶ୍ୟ ସହିପାରିଲେ ନାହିଁ । ସମସ୍ତେ ନିଜ ଦେହରୁ କିଛି କିଛି ଅଂଶ ଦେଇ ପୁଅଟିକୁ ଜିଆଁଇ ଦେଲେ-। ପାର୍ବତୀ ବର୍ତ୍ତମାନ ମହାଖୁସି । ପୁଅ ପୁଣିଥରେ ମହା ଆନନ୍ଦରେ ହସିଉଠିଲା । ଦେବତାଗଣ ନିଜ ନିଜର କିଛି କିଛି ଅଂଶ ଦେଇ ଏ ପୁଅଟିକୁ ତିଆରି କରିଥିବାରୁ ତାଙ୍କର ନାମ ଦିଆଗଲା ‘‘ଗଣେଶ’’-। ସବୁ ଦେବତାଙ୍କୁ ପୂଜା କରାଯିବା ପୂର୍ବରୁ ପ୍ରଥମେ ଗଣେଶଙ୍କୁ ପୂଜା କରାଯାଏ ।

 

ଦିନକର କଥା । ଗଣେଶ ଏଥିମଧ୍ୟରେ ବଡ଼ ହୋଇଗଲେଣି । ଥରେ ପାର୍ବତୀ ପୁଅକୁ ଘରର ଦ୍ୱାର ପାଖରେ ବସାଇଦେଇ କହିଲେ, ‘‘ଘର ମଧ୍ୟକୁ କାହାକୁ ଛାଡ଼ି ଦେବୁ ନାହିଁ ।’’ କିଛି ସମୟ ପରେ ମହାଦେବ ନିଜେ ଆସି ପହଞ୍ଚିଲେ । ଗଣେଶ ବାଟ ଓଗାଳିଲେ । ତାଙ୍କୁ ଘର ମଧ୍ୟକୁ ଯିବାକୁ ଛାଡ଼ିଲେ ନାହିଁ । ମହାଦେବ ଜାଣନ୍ତି ନାହିଁ ଯେ ଗଣେଶ ତାଙ୍କର ନିଜର ପୁଅ । ବାପ ପୁଅ ମଧ୍ୟରେ କଳହ ହେଲା ଓ ଶେଷରେ ମହାଦେବ ପୁଅକୁ ହାଣିଦେଲେ । ଚାହୁଁ ଚାହୁଁ ଗଣ୍ଡି ମୁଣ୍ଡ ଅଲଗା ହୋଇଗଲା । ସେ ଭିତରକୁ ଯାଇ ପାର୍ବତୀଙ୍କ ପାଖରେ ପହଞ୍ଚିଲେ । ଖଣ୍ଡାରେ ରକ୍ତ ଲାଗିଛି । ପାର୍ବତୀ ତା’ର କାରଣ ପଚାରିଲେ ।

 

ମହାଦେବ କହିଲେ, ‘‘ଘର ଭିତରକୁ ପଶିବା ସମୟରେ ଗୋଟାଏ ମେଞ୍ଚଡ଼ ଟୋକା ମୋ ବାଟ ଓଗାଳି ଗୋଳମାଳ କଲା । ତେଣୁ ମୁଁ ତାକୁ ହାଣି ଦେଇଛି । ଏକଥା ଶୁଣି ପାର୍ବତୀ ମହା ବ୍ୟସ୍ତ ହୋଇ କାନ୍ଦି କାନ୍ଦି ଦୁଆର ପାଖରେ ଆସି ଦେଖନ୍ତି ତ ଗଣେଶଙ୍କର ଗଣ୍ଡି ରକ୍ତ ସାଲୁବାଲୁ ହୋଇ ପଡ଼ି ରହିଛି । ସେ ଫେରିଆସି ମହାଦେବଙ୍କୁ ଗଣେଶଙ୍କର ଜନ୍ମ କଥା କହିଲେ ଓ ତାଙ୍କୁ ବଞ୍ଚାଇ ଦେବାକୁ ପ୍ରାର୍ଥନା କଲେ ।

 

ମହାଦେବ ତାଙ୍କୁ ବଞ୍ଚାଇବାକୁ ଯାଇ ଦେଖିଲେ, ପାଖରେ ମୁଣ୍ଡଟି ନାହିଁ । ମୁଣ୍ଡଟି ଖୋଜି ଆଣିବାକୁ ସେ ନିଜ ଦ୍ୱାରପାଳ ନନ୍ଦୀଙ୍କୁ ପଠାଇଲେ । ନନ୍ଦୀ ମଧ୍ୟ ତାହା ପାଇଲେ ନାହିଁ । ତା’ପରେ ମହାଦେବ କହିଲେ, ‘‘ନନ୍ଦୀ, ତୁମେ ଯାଅ; ଯେ ଉତ୍ତର ଦିଗକୁ ମୁଣ୍ଡ କରି ଶୋଇଥିବ ତା’ର ମୁଣ୍ଡକୁ କାଟି ଆଣିବ ।’’ ନନ୍ଦୀ ବାଟରେ ଯିବା ସମୟରେ ଦେଖିଲେ, ଐରାବତ ହାତୀ ଉତ୍ତରକୁ ମୁଣ୍ଡ କରି ଶୋଇଛି । ସେ ସଙ୍ଗେ ସଙ୍ଗେ ତାହାର ମୁଣ୍ଡ କାଟି ଆଣି ମହାଦେବଙ୍କ ହାତରେ ଦେଲେ । ମହାଦେବ ଗଣେଶଙ୍କ ଗଣ୍ଡି ଓ ହାତୀର ମୁଣ୍ଡ ଏକାଠି ଯୋଡ଼ିଦେଇ ତାଙ୍କୁ ବଞ୍ଚାଇ ଦେଲେ । ସେହି ଦିନଠାରୁ ତାଙ୍କର ମୁଣ୍ଡ ହାତୀମୁଣ୍ଡ ହୋଇଛି ।

 

ସେ ବିଦ୍ୟା ଦେବତା । ତାଙ୍କୁ ଯେ ପୂଜା କରେ ତା’ର ଜ୍ଞାନ ବୁଦ୍ଧି ବଢ଼େ । ଆମର ବିଦ୍ୟାଳୟମାନଙ୍କରେ ଗଣେଶ ପୂଜା ଗୋଟିଏ ପ୍ରଧାନ ପର୍ବ । ପିଲାମାନେ ଭକ୍ତିରେ ଗଣେଶଙ୍କୁ ପୂଜା କରନ୍ତି । ଏହି ଉତ୍ସବ ଭାଦ୍ରବ ମାସ ଶୁକ୍ଳପକ୍ଷ ଚତୁର୍ଥୀ ଦିନ ପାଳନ କରାଯାଏ । ଗଣେଶଙ୍କ ନାମ ଅନୁସାରେ ଏହାକୁ ‘ଗଣେଶ ଚତୁର୍ଥୀ’ ବୋଲି କୁହାଯାଏ । ବିଦ୍ୟା, ଯଶ ପ୍ରଭୃତି ମିଳେ ବୋଲି ଲୋକେ ଏ ବ୍ରତ ପାଳନ କରନ୍ତି ।

 

ଏହି ଚତୁର୍ଥୀ ଦିନଟି ଗଣେଶଙ୍କର ଜନ୍ମଦିନ । ଦିନକର ଘଟଣା । ଗଣେଶ ଖୁସି ମନରେ ବୁଲୁଥାନ୍ତି; ଏହି ସମୟରେ ଚନ୍ଦ୍ର ତାଙ୍କୁ ଦେଖି ଉପହାସ କଲେ । ଗଣେଶ ମନେମନେ ବଡ଼ ଅପମାନ ପାଇଲେ । ତାଙ୍କ ମନରେ ଗଭୀର ଦୁଃଖ ହେଲା । ଏକଥା ଗଣେଶଙ୍କର ଅନ୍ୟ ସାଥୀମାନେ ଶୁଣି ମେଳି କଲେ । ସେମାନେ ଠିକ୍‍ କଲେ, ଗଣେଶଙ୍କ ଜନ୍ମ ତିଥିରେ କେହି ଚନ୍ଦ୍ରଙ୍କର ମୁହଁ ଚାହିଁବେ ନାହିଁ । ସେହି ଦିନଠାରୁ ଗଣେଶ ଚତୁର୍ଥୀଦିନ ଚନ୍ଦ୍ରଙ୍କର ମୁହଁ ଚାହିଁବା ମନା ଓ ସେଦିନ କେହି ଚନ୍ଦ୍ରପୂଜା କରନ୍ତି ନାହିଁ ।

 

ଏହି ଚତୁର୍ଥୀ ଦିନଠାରୁ ଶରତକାଳ ଆରମ୍ଭ ହୁଏ ଓ ରାତିରେ ଆକାଶରେ ‘ଛାୟାପଥ’ ବା ‘ହରିତାଳି’ ଦେଖାଯାଏ । ତେଣୁ ଏ ଦିନକୁ ହରିତାଳିକା ମଧ୍ୟ କହନ୍ତି ।

★★★

 

ସୋମନାଥ ବ୍ରତ

 

ଜଣେ ବ୍ରାହ୍ମଣ ଥିଲେ । ସେ ଭାରି ପଣ୍ଡିତ । ତାଙ୍କର ବହୁତଗୁଡ଼ିଏ ପିଲାଛୁଆ । ବିଚରା ଗରିବ ଲୋକ; ଦୁଇ ଦିନରେ ଦିନେ ଗଣ୍ଡେ ଖାଇବାକୁ ମିଳେ ନାହିଁ । ଭୋକ ଉପାସରେ ଅଥୟ ହୋଇ ପିଲାମାନେ କଟାଳ କଲେ ବ୍ରାହ୍ମଣ କିଛି ଉପାୟ ନ ପାଇ କାନ୍ଦନ୍ତି । ଦିନେ ପିଲାମାନେ ଅତି ଅଝଟ ହୋଇ ଭାତପାଇଁ କାନ୍ଦିବାରୁ ବ୍ରାହ୍ମଣୀ ବ୍ରାହ୍ମଣ ଉପରେ ବଡ଼ ବିରକ୍ତ ହେଲା; କହିଲା, ‘‘ତୁମେ ତୁନି ହୋଇ ଘରେ ବସିରହିଲେ କ’ଣ ଆମର ଦୁଃଖ ମେଣ୍ଟିବ ? କୁଆଡ଼େ ବିଦେଶ କରିବାକୁ ଯାଉନାହଁ; କିଛି ପଇସାପତ୍ର ଆଣିବ । ଏତେଗୁଡ଼ିଏ ପିଲାଛୁଆ ବଞ୍ଚିବେ କିପରି ?

 

ଏପରି କଥାରେ ବ୍ରାହ୍ମଣଙ୍କର ମନରେ ଭୀଷଣ କଷ୍ଟ ହେଲା । ସେ ଘରୁ ବାହାରିଯାଇ ସୋମନାଥ ମହାପ୍ରଭୁଙ୍କୁ ନିଜର ଦୁଃଖ ଜଣାଇବାକୁ ସ୍ଥିର କଲେ । ବ୍ରାହ୍ମଣୀକୁ କହିଲେ, ‘‘ତୁମେ ସୋମନାଥ ମହାପ୍ରଭୁଙ୍କ ପାଇଁ କିଛି ଭୋଗ ଯୋଗାଡ଼ କର । ମୁଁ ତାହା ସଙ୍ଗରେ ନେଇ ଯିବି ।’’ ଘରେ ତ କିଛି ନାହିଁ । ବ୍ରାହ୍ମଣୀ ଖୁଦ କୁଣ୍ଡାରେ ପିଠା ସାତୋଟି ତିଆରି କରି ସ୍ୱାମୀଙ୍କ ଲୁଗାକାନିରେ ବାନ୍ଧିଦେଲା । ବ୍ରାହ୍ମଣ ସେତକ ନେଇ ସୋମନାଥଙ୍କୁ ସ୍ମରଣ କରି ଘରୁ ବାହାରିଲେ ।

 

ବଣ, ପାହାଡ଼, ନଈ, ନାଳ ଡେଇଁ ବ୍ରାହ୍ମଣ ଏକା ଏକା ଚାଲିଥାନ୍ତି । କିଛି ଦୂର ଯିବାପରେ ସେ ଜଣେ ପୁରୁଣା ବନ୍ଧୁଙ୍କୁ ବାଟରେ ଭେଟିଲେ । ବହୁତ ଦିନପରେ ଦୁଇ ବନ୍ଧୁଙ୍କର ଭେଟ ହେବାରୁ ମନ ଭାରି ଖୁସି । ଦୁହେଁ ଠିକ୍‍ କଲେ, ସାଙ୍ଗହୋଇ ସୋମନାଥଙ୍କୁ ଦର୍ଶନ କରିବାକୁ ଯିବେ । ସେଇଆ ହେଲା ।

 

ଚାଲି ଚାଲି ସାତଦିନ ବିତିଗଲା । ଏପର୍ଯ୍ୟନ୍ତ ଉଭୟଙ୍କର ତୁଣ୍ଡ ଓଦା ହୋଇ ନାହିଁ । ଗୋଡ଼ ଆଉ ଆଗକୁ ଚଳିଲା ନାହିଁ । ସେମାନେ ହାଲିଆ ହୋଇ ଗୋଟାଏ ଗଛମୂଳରେ ବସିଲେ । ବନ୍ଧୁ ଜଣକ ଭୋକ ସମ୍ଭାଳି ନପାରି ପୁଡ଼ିଆ ଭିତରେ ଥିବା ପିଠାକୁ ଖାଇବାକୁ କହିଲେ । ବ୍ରାହ୍ମଣ କହିଲେ, ‘‘ଏହା ପ୍ରଭୁ ସୋମନାଥଙ୍କ ପାଇଁ ଆସିଛି । ତାଙ୍କର ଦର୍ଶନ ନ ପାଇବା ପର୍ଯ୍ୟନ୍ତ ମୁଁ ତୁଣ୍ଡରେ ଜଳ ମଧ୍ୟ ଦେବି ନାହିଁ । ତୁମେ ଭୋକିଲା; ତେଣୁ ଗୋଟିଏ ଖାଅ ।’’

 

ସୋମନାଥ ମହାପ୍ରଭୁ ବ୍ରାହ୍ମଣଙ୍କର ମନର ବଳ ଓ ଭକ୍ତି ଦେଖି ତାଙ୍କ ଉପରେ ସନ୍ତୁଷ୍ଟ ହେଲେ । ପୁଡ଼ିଆ ମଧ୍ୟରେ ଥିବା ପିଠାଗୁଡ଼ିକ ସୁନାର ପିଠା ହୋଇଗଲା । ବନ୍ଧୁ ପିଠା ଖାଇବା ପାଇଁ ପୁଡ଼ିଆଟି ଖୋଲିବା କ୍ଷଣି ସେଥିରୁ ସାତଟି ସୁନା ଚକୁଳି ପାଇଲେ । ଆନନ୍ଦରେ ଅଧୀର ହୋଇ ଘରକୁ ଫେରିଯିବାକୁ ବ୍ରାହ୍ମଣଙ୍କୁ ଅନୁରୋଧ କଲେ । ବ୍ରାହ୍ମଣ ସେଥିରେ ରାଜି ହେଲେ ନାହିଁ । କହିଲେ, ‘‘ବନ୍ଧୁ, ତୁମେ ଏଥିରୁ ତିନୋଟି ସୁନା ଚକୁଳି ନିଅ ଓ ଚାରୋଟି ଆମ ଘରେ ଦେବ । ବର୍ତ୍ତମାନ ତୁମେ ଘରକୁ ଫେରିପାର ।’’

 

ବ୍ରାହ୍ମଣଙ୍କର ବନ୍ଧୁ ପିଠାତକ ନେଇ ଘରକୁ ଫେରିଗଲା । ଦେଖିଲା, ବ୍ରାହ୍ମଣଙ୍କ ଘର ଧନ, ସମ୍ପତ୍ତି, ସୁନା, ରୂପାରେ ଭରି ହୋଇ ରହିଛି । ସତେ ଅବା ରଜାଘର ।

 

ବ୍ରାହ୍ମଣ ବଣ ମଧ୍ୟରେ ଚାଲି ଥାଆନ୍ତି । କେତେବେଳେ ପ୍ରଭୁ ସୋମନାଥଙ୍କ ଦର୍ଶନ ମିଳିବ । କେତେ ହିଂସ୍ରଜନ୍ତୁଙ୍କର ଗର୍ଜନ ତାଙ୍କ କାନରେ ପଡ଼ୁଥାଏ । ତଥାପି ଭୟ ନାହିଁ । ଏକ ଧ୍ୟାନ ସୋମନାଥ । ଏହିପରି ବୁଲି ବୁଲି ଦେହ କଣ୍ଟା ହେବାକୁ ବସିଲା । ବ୍ରାହ୍ମଣ ଆଉ ବାଟ ଚାଲି ପାରିଲେ ନାହିଁ । ଶେଷକୁ ଅଚେତ ହୋଇ ପଡ଼ିଗଲେ । ଏହି ସମୟରେ ଜଣେ ବାବାଜି ବେଶଧାରୀ ପୁରୁଷ ତାଙ୍କ ପାଖକୁ ଆସିଲେ । ସେ ବ୍ରାହ୍ମଣଙ୍କ ହାତ ଧରି ତାଙ୍କୁ ତଳୁ ଉଠାଇଲେ । କିଛି ସମୟପରେ ସେ ଚେତା ପାଇଲେ ଓ ନିଜର ଦୁଃଖକଥା ବାବାଜିଙ୍କ ପାଖରେ କହିଲେ ।

 

ବାବାଜି ବ୍ରାହ୍ମଣଙ୍କୁ ସୋମନାଥଙ୍କ ମନ୍ଦିର ପାଖରେ ପହଞ୍ଚାଇ ଦେଇ କେଉଁଆଡ଼େ ଉଭେଇ ଗଲେ । ମନ୍ଦିର ଭିତରେ ସୁନାର ସିଂହାସନ ଝଟକୁଛି । ତା’ ଉପରେ ଧବଳବର୍ଣ୍ଣ ସୋମନାଥ ବିଜେ ହୋଇଛନ୍ତି । ସତେ ଅବା ଦୁଧରେ ତିଆରି । ବ୍ରାହ୍ମଣ ଠାକୁରଙ୍କ ପାଦତଳେ ପଡ଼ି ଦୁଃଖ ଜଣାଇଲେ ।

 

ସୋମନାଥ ଆଜ୍ଞା ଦେଲେ, ‘‘ବ୍ରାହ୍ମଣ, ମୁଁ ତୁମ ପୂଜାରେ ଖୁସି ହୋଇଛି । ତୁମର ସବୁ ଦୁଃଖ ଦୂର ହେବ । ମୋର ପୂଜା ସବୁ ସ୍ଥାନରେ ପ୍ରଚାର କର । ପ୍ରତି ବର୍ଷ ଭାଦ୍ରବ ମାସ ଶୁକ୍ଳପକ୍ଷ ଷଷ୍ଠୀଦିନ ମୋର ପୂଜା ପ୍ରଥମେ ଆରମ୍ଭ ହେବ ଓ ଆଶ୍ୱିନ ମାସ ଶୁକ୍ଳପକ୍ଷ ଦଶମୀ ଦିନ ପୂଜା ଶେଷ ହେବ ।’’

 

ବ୍ରାହ୍ମଣ ଦର୍ଶନ ସାରି ଘରକୁ ଫେରି ଦେଖିଲେ, ସବୁ ବଦଳି ଯାଇଛି । ଧନଜନ, ଗୋପଲକ୍ଷ୍ମୀରେ ଘର ଭରପୂର । ଏତେ ଦିନ ପରେ ବ୍ରାହ୍ମଣଙ୍କୁ ଯାଇ ଘରର ସମସ୍ତେ ଆନନ୍ଦରେ ବିଭୋର ହୋଇଗଲେ ।

 

ସୋମନାଥଙ୍କ କୃପାରୁ ଏପରି ଧନସମ୍ପତ୍ତି ପାଇଛନ୍ତି ବୋଲି ସେ ସମସ୍ତଙ୍କୁ କହିଲେ । ସୋମନାଥଙ୍କ ପୂଜାବିଧି ଚାରିଆଡ଼େ ପ୍ରଚାର କଲେ ।

 

ସେହି ଦିନଠାରୁ ଏହି ବ୍ରତ ଚଳି ଆସୁଛି । ଲୋକମାନଙ୍କର ବିଶ୍ୱାସ, ସୋମନାଥଙ୍କ ପୂଜାକଲେ ବ୍ରାହ୍ମଣଙ୍କ ପରି ମନକାମନା ପୂର୍ଣ୍ଣହୁଏ ଓ ଘରର ଶିରୀ ସମ୍ପତ୍ତି ବଢ଼େ ।

★★★

 

ରାଧାଷ୍ଟମୀ

 

ସ୍ୱର୍ଗରେ ଚହଳ ପଡ଼ିଛି । ଦେବତାମାନଙ୍କୁ ଭୋକ ଶୋଷ ନାହିଁ । ଦେବରାଜ ଇନ୍ଦ୍ର କାଠପରି ବସିଛନ୍ତି । ଏକ ନୂଆ କଥା–ସୂର୍ଯ୍ୟ ମନ୍ଦର ପର୍ବତରେ ବସି ତପ କରୁଛନ୍ତି । ସମସ୍ତଙ୍କର ଭୟ–ସୂର୍ଯ୍ୟ ନିଶ୍ଚୟ ଇନ୍ଦ୍ରପଦ ନେବେ ।

 

ସୂର୍ଯ୍ୟଙ୍କର ତପସ୍ୟା ଦେଖିଲେ ଆଖି ଖୋଷି ହୋଇଯିବ । ସେ ଗୋଡ଼ ଉପରକୁ ଓ ମୁଣ୍ଡ ତଳକୁ କରି ତପସ୍ୟା କରୁଥାନ୍ତି । ସବୁ ଦେବତା ଭୟରେ ଯାଇ ଭଗବାନଙ୍କ ନିକଟରେ ପହଞ୍ଚିଲେ । ସୂର୍ଯ୍ୟ କାହିଁକି ଏପରି କଠୋର ତପସ୍ୟା କରୁଛନ୍ତି ତା’ର କାରଣ ପଚାରିଲେ । ଭଗବାନ କହିଲେ, ‘‘ସେ କାହିଁକି ଏପରି ତପସ୍ୟା କରୁଛନ୍ତି ମୁଁ ଜାଣେ । ସେ ଇନ୍ଦ୍ରପଦ ପାଇଁ ତପ କରୁନାହାନ୍ତି । ସେଥିପାଇଁ ବ୍ୟସ୍ତ ହେବା ଦରକାର ନାହିଁ ।’’ ଭଗବାନଙ୍କଠାରୁ ଏତକ ଶୁଣି ଦେବତାମାନେ ବୋଧ ହୋଇ ଫେରିଆସିଲେ ।

 

ଭଗବାନ ହଳଦିଆ ପାଟ ପିନ୍ଧି, ଗରୁଡ଼ ଉପରେ ବସି, ମନ୍ଦର ପର୍ବତରେ ଆସି ପହଞ୍ଚିଲେ । ସୂର୍ଯ୍ୟ ଦେବତା ଯୋଗବଳରେ ଏକଥା ଜାଣିପାରି ଆଖି ଫିଟାଇ ଚାହିଁଲେ । ଆଗରେ ସ୍ୱୟଂ ଭଗବାନ ଛିଡ଼ା ହୋଇଛନ୍ତି । ଚାରି ହାତରେ ଶଙ୍ଖ, ଚକ୍ର, ଗଦା, ପଦ୍ମ ଶୋଭା ପାଉଛି । ମୁହଁରେ ଅସରନ୍ତି ମିଠା ହସ ଉକୁଟି ଉଠିଛି । ସୂର୍ଯ୍ୟ ତାଙ୍କର ପାଦତଳେ ପଡ଼ି କହିଲେ, ‘‘ପ୍ରଭୁ, ଆପଣଙ୍କ ଦର୍ଶନ ପାଇ ମୁଁ ମୋ ଜୀବନକୁ ଧନ୍ୟ ମନେକରୁଛି ।’’

 

ଭଗବାନ କହିଲେ, ‘‘ସୂର୍ଯ୍ୟଦେବ, ମୁଁ ତୁମ ପୂଜାରେ ଖୁସି ହୋଇଛି । ବର୍ତ୍ତମାନ ତୁମେ ମନଇଚ୍ଛା ବର ମାଗ ।’’ ସୂର୍ଯ୍ୟ କହିଲେ, ‘‘ହେ ଭଗବାନ, ଆପଣ ଯଦି ମୋ ଉପରେ ଏତେ ସନ୍ତୁଷ୍ଟ, ତେବେ ମୋତେ ଏହି ବର ଦିଅନ୍ତୁ–ମୋର ଏପରି ଗୋଟିଏ ପୁତ୍ର ଜାତ ହେଉ ଯାହାର ବଳରେ ଆପଣ ମୋର ବଶ ହୋଇପାରିବେ ।’’

 

ଭଗବାନ କହିଲେ, ‘‘ଏ ତିନି ଭୁବନରେ ଏପରି କେହି ନାହିଁ ମୁଁ ଯାର ଅଧୀନ; ତଥାପି ମୁଁ ହେଉଛି ମୋ ସ୍ତ୍ରୀ ରାଧାଙ୍କର ଅଧୀନ ଓ ରାଧା ମଧ୍ୟ ମୋର ଅଧୀନା । ସେ ତୁମର ଝିଅ ହୋଇ ଜନ୍ମ ହେଲେ ମୁଁ ତୁମର ବଶ ହୋଇପାରିବି । ତାହାହେଲେ ତୁମର ଆଶା ପୂରଣ ହେବ । ତୁମେ ବୃନ୍ଦାବନରେ ବୃଷଭାନୁ ନାମରେ ବୈଶ୍ୟ ବଂଶରେ ଜନ୍ମଲାଭ କରିବ ଓ ରାଧା ତୁମର ଝିଅହୋଇ ଜନ୍ମ ହେବେ । ମୁଁ ନନ୍ଦରାଜାଙ୍କ ଘରେ ଗୋପାଳ ବଂଶରେ ବଢ଼ିବି । ସେହି ସମୟରେ ତୁମେ ମୋତେ ରାଧାଙ୍କ ଜରିଆରେ ବଶ କରିପାରିବ ।’’ ଏହା କହି ଭଗବାନ ଉଭେଇଗଲେ ।

 

କେତେକ ବର୍ଷ ବିତିଗଲା । ବୃଷଭାନୁ ନାମରେ ସୂର୍ଯ୍ୟଦେବ ବୃନ୍ଦାବନରେ ବୈଶ୍ୟ ବଂଶରେ ଜନ୍ମଲାଭ କଲେ । ସେ ବଡ଼ ହେବା ପରେ କୀର୍ତ୍ତିଦା ନାମ୍ନୀ ଗୋଟିଏ କନ୍ୟାକୁ ବିଭା ହେଲେ । କୀର୍ତ୍ତିଦାଙ୍କର ଭଗବାନଙ୍କ ଉପରେ ଅଚଳା ଭକ୍ତି । ଭାଦ୍ରମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥିରେ କୀର୍ତ୍ତିଦାଙ୍କର ଗୋଟିଏ ଝିଅ ଜନ୍ମ ହେଲା । ଚାରିଆଡ଼େ ଚହଳ ପଡ଼ିଯାଇଛି । କେତେ ଲୋକ ଆସି ବୃଷଭାନୁଙ୍କ ଦୁଆରେ ଠିଆ । ଏଡ଼େ ସୁନ୍ଦର ଝିଅ କେହି କେବେ ଦେଖିନାହିଁ । ବୃଷଭାନୁ ଆନନ୍ଦରେ ଝିଅର ନାମ ଦେଲେ ‘ରାଧା’ ।

 

ରାଧା ଶୁକ୍ଳପକ୍ଷ ଚନ୍ଦ୍ରପରି ଦିନକୁ ଦିନ ବଢ଼ିବାକୁ ଲାଗିଲେ । ଯେତେବେଳେ ତାଙ୍କର ବିବାହ ବୟସ ଆସି ପହଞ୍ଚିଲା, ସେ ଭଗବାନଙ୍କୁ ନିଜର ପତିରୂପେ ପାଇବାପାଇଁ ପ୍ରତିଦିନ ସୂର୍ଯ୍ୟ ପୂଜା କରନ୍ତି ।

 

ଭଗବାନ ଶ୍ରୀକୃଷ୍ଣ ରୂପରେ ନନ୍ଦଘରେ ଜନ୍ମ ହୋଇଛନ୍ତି । ସେ ମଧ୍ୟ ମନେମନେ ରାଧାଙ୍କୁ ଭାରି ଭଲପାଉଥିଲେ । ଏହି ଭିତର କଥା ରାଧା ବା କାହୁଁ ଜାଣିବେ ? ଭଗବାନ ବା ଜଣାଇଦେବେ କିପରି ? ଭଗବାନ ଗୋପପୁରରେ ଥାଇ ମାୟା କଲେ । ବୃଷଭାନୁ ରାଧାଙ୍କୁ ଅଭିମନ୍ୟୁ ବୋଲି ଜଣେ ଲୋକସହିତ ବିବାହ ଦେଲେ । ତାଙ୍କ ଘର ଗୋବର୍ଦ୍ଧନ ପର୍ବତରେ ।

 

ରାଧା ସବୁଦିନେ ଲୁଚି ଲୁଚି ଆସି ଶ୍ରୀକୃଷ୍ଣଙ୍କ ସହିତ ଦେଖାକରନ୍ତି ଓ ଶ୍ରୀକୃଷ୍ଣ ମଧ୍ୟ ରାଧାଙ୍କୁ ଦେଖାକରନ୍ତି । ରାଧା ଯେ ପ୍ରକୃତରେ ଶ୍ରୀକୃଷ୍ଣଙ୍କର ସ୍ତ୍ରୀ ଓ ମାୟା ରୂପ ନେଇ ଜନ୍ମ ହୋଇଛନ୍ତି ଏକଥା କେହି ଜାଣିପାରିଲେ ନାହିଁ । ଏବରି ଭାବରେ ଭଗବାନ ବୃଷଭାନୁରୂପୀ ସୂର୍ଯ୍ୟଙ୍କର ବଶ ହେଲେ ।

 

ଭଗବାନ ନିଜେ ଯାହାର ବଶ, ତା’ଠାରୁ ବଳି ବଡ଼ କିଏ ଅଛି ? ଭଗବାନ କହନ୍ତି, ‘‘ସେ ଯାହାର ଅଧୀନ ତାହାକୁ ପୂଜାକଲେ ସେ ବେଶି ଖୁସି ହୁଅନ୍ତି । ରାଧା ଭଗବାନଙ୍କର ସମସ୍ତଙ୍କଠାରୁ ବଡ଼ ଭକ୍ତ । ଯେଉଁମାନେ ରାଧାଙ୍କୁ ଭକ୍ତି କରନ୍ତି ଭଗବାନ ତାଙ୍କ ଉପରେ ଅଧିକ ଖୁସି ହୁଅନ୍ତି । ସେଥିପାଇଁ ଆମ ଦେଶର ହିନ୍ଦୁମାନେ ଭାଦ୍ରମାସ ଶୁକ୍ଳପକ୍ଷ ଅଷ୍ଟମୀ ଦିନ ରାଧାଙ୍କର ଜନ୍ମ ଦିନକୁ ପାଳନ କରନ୍ତି ଓ ରାଧାଙ୍କ ପୂଜା କରନ୍ତି ।

 

ରାଧାଙ୍କୁ ପୂଜାକଲେ ଲୋକମାନଙ୍କର ସବୁ ଦୁଃଖକଷ୍ଟ ଦୂରହୁଏ । ଭଗବାନଙ୍କୁ ପୂଜା କରିବା ଯାହା ରାଧାଙ୍କୁ ପୂଜା କରିବାଦ୍ୱାରା ଠିକ୍‍ ସେହି ଫଳ ମିଳେ । ଏହା ହିନ୍ଦୁଘରେ ଏକ ପ୍ରଧାନ ପର୍ବ ।

★★★

 

ଅନନ୍ତବ୍ରତ

 

ସତ୍ୟ ଯୁଗର କଥା । ସୁମନ୍ତ ବୋଲି ଜଣେ ବ୍ରାହ୍ମଣ ଥିଲେ । ତାଙ୍କର ସ୍ତ୍ରୀଙ୍କର ନାମ ଦୀକ୍ଷା । ଝିଅର ନାମ ସୁଶୀଳା । ତାକୁ ସମସ୍ତେ ଶୀଳା ବୋଲି ଡାକନ୍ତି । ଶୀଳା ବଡ଼ ଶାନ୍ତଶିଷ୍ଟ । ଦେବତା ଓ ଗୁରୁଜନମାନଙ୍କୁ ସେ ଭାରି ଭକ୍ତି କରେ । କିଛି ଦିନ ପରେ ଶୀଳାର ମା’ ମରିଗଲେ । ସେ କାନ୍ଦି କାନ୍ଦି ଭାଗ୍ୟକୁ ଆଦରି ରହିଲେ ।

ସୁମନ୍ତ ଆଉଥରେ କର୍କଶା ନାମରେ ଏକ ସ୍ତ୍ରୀକୁ ବିବାହ କଲେ । କର୍କଶା ଭଲ ମଣିଷ ନୁହେଁ । ନାମ ଅନୁସାରେ ତା’ର ଗୁଣ । ସେ ଶୀଳାକୁ ଆଦୌ ଭଲ ପାଇଲା ନାହିଁ । ଅଧିକାଂଶ ସମୟରେ ତାକୁ ଅନେକ ମାଡ଼ ଗାଳି ଦିଏ । ବିଚାରୀ ଶୀଳା କାନ୍ଦି କାନ୍ଦି ଶେଷରେ ତୁନି ହୋଇ ରହେ; ନିରୋଳା ଥାନକୁ ଯାଇ ଭଗବାନଙ୍କୁ ପ୍ରାର୍ଥନା କରେ ।

କିଛି ଦିନ ପରେ ଶୀଳାର ବିବାହ ବୟସ ଆସି ପହଞ୍ଚିଲା । ସୁମନ୍ତ ଭାବିଲେ, ତାକୁ ଏଥର ବିଭା କରି ନ ଦେଲେ ରକ୍ଷା ନାହିଁ । କର୍କଶା ତ ସବୁଦିନେ ତା’ ସହିତ କଳି ଲଗାଇଲା । ଶେଷରେ ସୁମନ୍ତ ଗୋଟିଏ ଉପଯୁକ୍ତ ବର ବାଛି ଶୀଳାକୁ ବିବାହ ଦେଲେ । ଶୀଳାର ସ୍ୱାମୀଙ୍କର ନାମ କୌଣ୍ଡିନ୍ୟ । ବ୍ରାହ୍ମଣ ମନଲାଖି ବରଟିଏ ପାଇଛନ୍ତି ।

ବିବାହ ପରେ ନାନା ଭାର, ଯଉତୁକ ଝିଅକୁ ଦେବାପାଇଁ ସୁମନ୍ତ ଯୋଗାଡ଼ କଲେ । ଏହା ଦେଖି କର୍କଶାର ଦେହ ସହିଲା ନାହିଁ । ସାବତ ଝିଅ; ପୁଣି ଏତେ ଜିନିଷ ନେବ ! ସେ ଝିଅଠାରୁ ସବୁ ଛଡ଼ାଇ କରି ରଖିଲା । ସୁମନ୍ତ କ’ଣ କରିବେ ? ପାଟି ଫିଟାଇଲେ ଘରେ କଳି ତକରାଳ ବାହାରିବ । ସେ ମୂକପରି ତୁନିହୋଇ ବସିଥାନ୍ତି । ଝିଅ ଜ୍ୱାଇଁ ବିଦାୟ ନେଲେ । କେବଳ ପିନ୍ଧା ଲୁଗା ବ୍ୟତୀତ କିଛି ନେଇ ନାହାନ୍ତି । ଶୀଳାର କିନ୍ତୁ ଏଥିପାଇଁ ମନଦୁଃଖ ନ ଥାଏ । ସେ ଜାଣେ, ଭଗବାନ ଚାହିଁଲେ ନିର୍ଦ୍ଧନ ମଧ୍ୟ କୁବେର ହୋଇ ବସିବ । ତେବେ ସେ ମନଦୁଃଖ କରିବ କାହିଁକି ?

ବାଟରେ ଯାଉ ଯାଉ ଖରା ଅଧିକ ହେଲା । ବେଶି ବାଟ ଯାଇପାରିଲେ ନାହିଁ । ସାମାନ୍ୟ ବିଶ୍ରାମ କରିବା ପାଇଁ ନଦୀ କୂଳରେ ଥିବା ଗୋଟିଏ ଗଛ ମୂଳରେ ସେମାନେ ବସିଲେ । ଶୀଳା ଦେଖିଲା, ନିକଟରେ ଅନେକ ଗୁଡ଼ିଏ ସ୍ତ୍ରୀଲୋକ କ’ଣ ପୂଜା କରୁଛନ୍ତି । ସେ ସେମାନଙ୍କ ନିକଟକୁ ଗଲା । ତାଙ୍କୁ ଏହି ପୂଜା ବିଷୟରେ ପଚାରିଲା । ସ୍ତ୍ରୀଲୋକମାନେ ଶୀଳାକୁ ପୂଜାବିଧି ବତାଇ ଦେଲେ ଏବଂ କହିଲେ, ଏହି ପୂଜାର ନାମ ‘‘ଅନନ୍ତବ୍ରତ’’ । ସେ ସ୍ତ୍ରୀମାନଙ୍କ ସହିତ ଏହି ପୂଜା ନଦୀ କୂଳରେ କଲା ଓ ପୂଜା ପରେ ଅନନ୍ତବ୍ରତ ପିନ୍ଧି ସ୍ୱାମୀଙ୍କ ପାଖକୁ ଫେରିଆସିଲା । ତା’ପରେ ସେମାନେ ଘରକୁ ଫେରିଗଲେ ।

ସବୁ ବଦଳି ଯାଇଛି । କୌଣ୍ଡିନ୍ୟଙ୍କ ଚାଳଘର ପରିବର୍ତ୍ତେ ରାଜନଅର ପରି ସୁନ୍ଦର ଘର ସବୁ ଝଟକୁଛି । ଶିରୀ ସମ୍ପତ୍ତିରେ ଚାରିଆଡ଼ ଭରପୂର । ସ୍ୱାମୀ ଓ ସ୍ତ୍ରୀ ଏ ପରିବର୍ତ୍ତନ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ । ଭାବିଲେ, ଏହା ଭଗବାନଙ୍କର ମାୟା ।

କର୍କଶା ସିନା ଈର୍ଷା କରି ଧନସମ୍ପତ୍ତି ଛଡ଼ାଇ ରଖିଥିଲା; ଏବେ କ’ଣ ହେଲା ? ଭଗବାନ ଯାହାକୁ ରକ୍ଷା କରିବେ, ତା’ର କିଏ କ’ଣ କରିପାରିବ ? କଥାରେ ଅଛି–

 

‘‘ଯାହାକୁ ରଖିବେ ଅନନ୍ତ,

କି କରି ପାରେ ବଳବନ୍ତ ।’’

 

ଏହିପରି କିଛିଦିନ ଆନନ୍ଦରେ କଟିଗଲା । ଦିନେ ଶୀଳା ଓ କୌଣ୍ଡିନ୍ୟଙ୍କ ମଧ୍ୟରେ ହଠାତ୍‍ କଳିଗୋଳ ହେଲା । ବ୍ରାହ୍ମଣ ରାଗରେ ଶୀଳାର ହାତରୁ ସେହି ବ୍ରତଟି କାଟିନେଇ ନିଆଁକୁ ଫୋପାଡ଼ି ଦେଲେ । ଶୀଳା କେତେ କାକୁତି ମିନତି କରି କହିଲା, ‘‘ଦେଖ, ଆମେ ଏ ବ୍ରତ ବଳରୁ ଏତେ ଧନସମ୍ପତ୍ତି ପାଇଅଛେଁ; ତୁମେ ଏପରି ଅନ୍ୟାୟ କରନାହିଁ ।’’ ଏତକ କହିସାରି ଶୀଳା ଦଉଡ଼ି ଯାଇ ଚୁଲିରୁ ବ୍ରତଟିକୁ କାଢ଼ି ଆଣିଲା ଓ ଦୁଧ ହାଣ୍ଡିରେ ପକାଇ ରଖିଲା ।

 

ଅନନ୍ତ ମହାପ୍ରଭୁଙ୍କୁ କୌଣ୍ଡିନ୍ୟ ଏପରି ଅପମାନ ଦେବାରୁ ତାଙ୍କର ଧନସମ୍ପତ୍ତି କୁଆଡ଼େ ଉଭେଇ ଗଲା । ସେ ଏପରି ଅବସ୍ଥାରେ ପାଗଳ ପରି ହୋଇଗଲେ । ସମସ୍ତ ବନ୍ଧୁବାନ୍ଧବ ଆସ୍ତେ ଆସ୍ତେ ଶତ୍ରୁରେ ପରିଣତ ହେଲେ । କେହି ତାଙ୍କ ସହିତ କଥାବାର୍ତ୍ତା କଲେ ନାହିଁ । ଅନନ୍ତଙ୍କ କୃପାରୁ ତାଙ୍କୁ ଧନ ମିଳିଥିଲା ଓ କୋପରୁ ଏପରି ଦୁରବସ୍ଥା ଘଟିଛି ବୋଲି ବ୍ରାହ୍ମଣ ଜାଣିପାରିଲେ । ସେ ସେହି ଦିନଠାରୁ ପାଗଳଙ୍କ ପରି ବୁଲି ବୁଲି ଅନନ୍ତଙ୍କୁ ଖୋଜିବାକୁ ଲାଗିଲେ । ଜୀବନ ଯାଉ ପଛକେ ଅନନ୍ତଙ୍କୁ ନ ପାଇବା ପର୍ଯ୍ୟନ୍ତ ସେ ଘରକୁ ଫେରିବେ ନାହିଁ, ଏପରି ପ୍ରତିଜ୍ଞା କଲେ ।

 

ଏଥି ମଧ୍ୟରେ ବ୍ରାହ୍ମଣ ପୂରା ପାଗଳ ହୋଇଯାଇଛନ୍ତି । ବାଟରେ ଗଛ, ପତ୍ର, ବଣ, ପାହାଡ଼କୁ ଅନନ୍ତଙ୍କ କଥା ପଚାରନ୍ତି । କୌଣ୍ଡିନ୍ୟଙ୍କର ଏପରି ଅବସ୍ଥା ଦେଖି ଅନନ୍ତଙ୍କର ଦୟା ହେଲା । ସେ ଗୋଟିଏ ବୁଢ଼ା ବ୍ରାହ୍ମଣ ବେଶରେ ଆସି ତାଙ୍କ ପାଖରେ ପହଞ୍ଚିଲେ । କୌଣ୍ଡିନ୍ୟ ତାଙ୍କୁ କାନ୍ଦି କାନ୍ଦି ନିଜ ଦୁଃଖ କହିଲେ । ବୁଢ଼ା ବ୍ରାହ୍ମଣ କହିଲେ, ‘‘ତୁମେ ମୋ ପଛେ ପଛେ ଆସ ।’’ ଗୋଟିଏ ପର୍ବତ ପାଖରେ ଦୁହେଁଯାକ ପହଞ୍ଚିଲାକ୍ଷଣି ବୁଢ଼ା ବ୍ରାହ୍ମଣ କେଉଁଆଡ଼େ ଅଦୃଶ୍ୟ ହୋଇଗଲେ । କୌଣ୍ଡିନ୍ୟ ପଛକୁ ଫେରି ଚାହିଁଲା ବେଳକୁ ଶଙ୍ଖ, ଚକ୍ରଧାରୀ ସ୍ୱୟଂ ଭଗବାନ ଛିଡ଼ା ହୋଇଛନ୍ତି । ସେ ତାଙ୍କ ପାଦତଳେ ଲୋଟିଯାଇ ନିଜର ଦୋଷ ପାଇଁ କ୍ଷମା ମାଗିଲେ । ଭଗବାନ ଖୁସି ହୋଇ ତାଙ୍କୁ ଦୁଇଟି ବର ଦେଲେ । ପ୍ରଥମଟି ହେଉଛି, ସେ ଧନସମ୍ପତ୍ତି ଫେରିପାଇବେ ଓ ଦ୍ୱିତୀୟଟି ହେଉଛି, ମୃତ୍ୟୁ ପରେ ସେ ବୈକୁଣ୍ଠକୁ ଯିବେ । କୌଣ୍ଡିନ୍ୟ ଆନନ୍ଦରେ ଘରକୁ ଫେରିଗଲେ । ଭାଦ୍ରବମାସ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ଦିନ ଏ ପୂଜା କରାଯାଏ । ଆମ ଦେଶର ସ୍ତ୍ରୀ ଓ ପୁରୁଷ ଉଭୟେ ଏ ବ୍ରତ ପାଳନ କରନ୍ତି ।

★★★

 

ଖୁଦୁରୁକୁଣୀ

 

ତନ୍ମୟବନ୍ତ ନାମରେ ଜଣେ ସାଧବ ଥିଲେ । ସେ ବୋଇତରେ ସାତ ସମୁଦ୍ର ପାର ହୋଇ ବାଣିଜ୍ୟ କରନ୍ତି । ତାଙ୍କର ଅକଳନ୍ତି ଧନସମ୍ପତ୍ତି । ଘରର ଛାତ ସୁନାରେ ତିଆରି । ହୀରା, ନୀଳା, ମୋତି, ମାଣିକ୍ୟରେ ଘରଦ୍ୱାର ଭରି ରହିଥାଏ । ସାତ ପୁଅ, ସାତ ବୋହୂ–କେହି କାହାରିକୁ ଊଣା ନୁହନ୍ତି । ଝିଅଟି ସମସ୍ତଙ୍କଠାରୁ ସାନ–ତା’ର ନାଁ ତଅପୋଇ । ସମସ୍ତଙ୍କଠାରୁ ବଳି ସେ ସୁନ୍ଦରୀ । ମହା ଅଲିଅଳରେ ସେ ବାପ ମା’ଙ୍କ କୋଳରେ ବଢ଼ିଥିଲା ।

 

ଦିନକର କଥା । ତଅପୋଇ ମନ ମାରି ଶୋଇଛି । ଯେତେ ଡାକିଲେ କିଛି କଥା କହୁନି-। କ’ଣ ଘଟଣା ? ସମସ୍ତେ ଅବାକ୍‍ ହେଲେ । ସାଧବଘରର ସବା ସାନବୋହୂର ନାମ ନୀଳେନ୍ଦୀ-। ସେ ତଅପୋଇକୁ ପ୍ରାଣଠାରୁ ବଳି ଆହୁରି ଅଧିକ ଭଲପାଏ । ସେ ଶେଷରେ ଯାଇ କେତେ ଗେଲ କରି ଡାକିଲା । ତଅପୋଇ ଜିଗର କଲା, ‘‘ସୁନାରେ ଚାନ୍ଦ ତିଆରି କରି ନ ଦେଲେ ସେ ଭାତ ଖାଇବ ନାହିଁ ।’’ ତା’ ପରଦିନ ବଣିଆ ଡକା ଗଲା । ସୁନାର ଚାନ୍ଦ ତିଆରି ହେଲା । ତା’ ଚାରିପାଖେ ହୀରାର ତାରା ସବୁ ଖଞ୍ଜିଦିଆଗଲା । ହେଲେ କ’ଣ ହେବ, ଚାନ୍ଦ ଗଢ଼ା ଅଧା ହୋଇଛି, ସାଧବ ବୁଢ଼ା ମରିଗଲା ଓ ଚାନ୍ଦ ତିଆରି ଶେଷ ଦିନ ସାଧବାଣୀ ବୁଢ଼ୀ ମଲା । ମନଦୁଃଖରେ ସମସ୍ତେ ଥାନ୍ତି ।

 

ଚଇତ ମାସରେ ସାଧବ ପୁଅମାନେ ବଣିଜ କରିଯିବାକୁ ସମୁଦ୍ରରେ ବୋଇତ ମେଲିଲେ । ସାତ ବୋହୂ ମନଲାଖି ନାନା ଜିନିଷ ଆଣିବାକୁ ବରାଦ ଦେଲେ । ତଅପୋଇ କହିଲା, ତା’ପାଇଁ କଣ୍ଢେଇ ଆଣିଲେ ସେ ଖେଳିବ । ସାତ ପୁଅ ବଣିଜରେ ଯିବା ପୂର୍ବରୁ ସବୁ ବୋହୂମାନଙ୍କୁ ତାକିଦ୍‍ କରିଦେଇଗଲେ, ସେମାନେ ଯେପରି ତଅପୋଇର କୌଣସି ଅସୁବିଧା ନ କରନ୍ତି । ତା’ପରେ ସେମାନେ ଗଲେ ।

 

ଚାହୁଁ ଚାହୁଁ ଛ’ମାସ ବିତିଗଲା । ଦିନେ ସାତ ବୋହୂ ତଅପୋଇକୁ ବେଶ କରି ଦୋଳିରେ ଝୁଲାଉଥାନ୍ତି, ଏପରି ସମୟରେ ଜଣେ ରାଣ୍ଡୀ ବ୍ରାହ୍ମଣୀ ଆସି ସେଠାରେ ପହଞ୍ଚିଲା । ସେ ବଡ଼ ବୋହୂକୁ ନିରୋଳା ଥାନକୁ ଡାକିଆଣି ତଅପୋଇ ବିପକ୍ଷରେ କେତେ କ’ଣ କହିଲା । ଅନ୍ୟ ବୋହୂମାନଙ୍କୁ ମଧ୍ୟ ନାନା ଖରାପ କଥା କହି ସେମାନଙ୍କ ମନ ବଦଳାଇବାକୁ ଚେଷ୍ଟା କଲା । ସାନବୋହୂ କିନ୍ତୁ ସେପରି ନୁହେଁ । ସେ କୌଣସି କଥାରେ ଭୁଲିଲା ନାହିଁ । ଅନ୍ୟ ବୋହୂମାନେ ସମସ୍ତେ ମିଶି ଠିକ୍‍ କଲେ, ତଅପୋଇକୁ ଛେଳି ଚରାଇବା ପାଇଁ ପଠାଇବେ । ସାନବୋହୂ ସେମାନଙ୍କୁ ନାନା ଉପେଦଶ ଦେଇ ବୁଝାଇଲା; କିନ୍ତୁ କିଛି ଫଳ ହେଲା ନାହିଁ ।

 

ତଅପୋଇ ବାଧ୍ୟହୋଇ ତା’ ପରଦିନଠାରୁ ଛେଳି ଚରାଇବା ପାଇଁ ଗଲା । ସାତ ବୋହୂ ପାଳି କରି ତଅପୋଇକୁ ଖାଇବାକୁ ଦିଅନ୍ତି । ସେ ଗୋଟିଏ ଟୋକେଇରେ ଖାଇବା ଜିନିଷ ନେଇ ଛେଳି ଚରାଇବାକୁ ଯାଏ । ସାନବୋହୂର ପାଳିଦିନ ସେ ଭଲ ଭଲ ଜିନିଷ ତିଆରି କରି ନଣନ୍ଦକୁ ଖାଇବାକୁ ଦିଏ । ଅନ୍ୟ ବୋହୂମାନେ ଟୋକେଇରେ ମୂଷାଲଣ୍ଡି ଭରି ତା’ ଉପରେ ଅଳ୍ପ ଦୁଇଟା ଭାତ ପକାଇ ଦେଇଥାନ୍ତି । ଲୁଣ ବୋଲି ପାଉଁଶ ମୁଠାଏ ଦିଅନ୍ତି । ତଅପୋଇ ଭୋକରେ ଅସ୍ଥିର ହୋଇ ଟୋକେଇ ଖୋଲିଲା ବେଳକୁ ପାଏ ଗୁଡ଼ାଏ ମୂଷା ମାଟି । କେତେ କାନ୍ଦେ–କିଏ ବା ଦୁଃଖକଥା ବୁଝିବ । ଏହିପରି କେତେକାଳ ବିତିଗଲା । ଭାଇମାନେ ଘରକୁ ଫେରିଲେ ନାହିଁ । ସେମାନଙ୍କୁ ଝୁରି ଝୁରି ତା’ର ହାଡ଼ ଚମ ରହିଲା ।

 

ଭାଦ୍ରବ ମାସ । ଝିପି ଝିପି ହୋଇ ବର୍ଷା ହେଉଛି । ତଅପୋଇ ଛେଳି ଗୋଠରୁ ବଡ଼ ବୋହୂର ଛେଳି ‘ଆଦରମଣି’ କେଉଁଆଡ଼େ ପଳାଇଗଲା । ତଅପୋଇ ଘରକୁ ଫେରିବା ପରେ ବଡ଼ ବୋହୂ ତା’ ଛେଳିକୁ ନ ଦେଖି ତାକୁ ବହୁତ ଗାଳି ଦେଲା । ତଅପୋଇ କାନ୍ଦି କାନ୍ଦି କହିଲା, ‘‘ବଡ଼ବୋହୂ, ତୁମେ ମୋତେ ଗାଳି ଦିଅନି । ରାତି ପାହିଲେ ମୁଁ ତୁମ ଛେଳିକୁ ଖୋଜି କରି ଆଣିଦେବି ।’’ ବଡ଼ ବୋହୂର ଏକା ଜିଦ୍‍, ରାତି ଭିତରେ ସେ ଛେଳି ଖୋଜି ନ ଆଣିଲେ ତା’ କାନ କଟାଯିବ ।

 

ସେହି ବର୍ଷା ଅନ୍ଧାର ରାତିରେ ତଅପୋଇ ଛେଳି ଖୋଜିବାକୁ ଗଲା । ବହୁତ ଖୋଜି ଖୋଜି ଶେଷରେ ହତାଶ ହେଲା । କ’ଣ କରିବ ? ବହୁତ ବାଟ ବୁଲିବା ପରେ ଗୋଟିଏ ଗାଁ ଭିତରେ ପହଞ୍ଚିଲା । ଦେଖିଲା, ଗାଁର ଝିଅମାନେ ଖୁଦୁରୁକୁଣୀ ଓଷା କରୁଛନ୍ତି । ସେଥିରେ ମା’ ମଙ୍ଗଳାଙ୍କୁ ପୂଜା କରାଯାଏ । ଯେ ସେ ଓଷା ନିଷ୍ଠାର ସହ କରେ ତା’ ମନକାମନା ପୂର୍ଣ୍ଣହୁଏ ।

 

ତଅପୋଇ ମା’ ମଙ୍ଗଳାଙ୍କ ଗୋଡ଼ତଳେ ପଡ଼ି ଗୁହାରି କଲା, ‘‘ମା’, ମୁଁ ଯଦି ଆଦରମଣିକୁ ପାଏଁ, ମୋର ଭାଇମାନେ ଫେରି ଆସନ୍ତି, ତାହାହେଲେ ମୁଁ ପୂଜା କରିବି ।’’ ସତକୁ ସତ ସେ ଆଦରମଣିକୁ ପାଇ ଘରକୁ ନେଲା । ସେ ପର୍ଯ୍ୟନ୍ତ ପେଟରେ ଦାନା ପଡ଼ିନଥାଏ । ବଡ଼ ବୋହୂ ତାକୁ ଖାଇବାକୁ କିଛି ନ ଦେଇ ଛେଳି ଚରାଇବା ପାଇଁ ପୁଣିଥରେ ତାକୁ ବଣକୁ ପଠାଇ ଦେଲା । ଦିନ ତମାମ ସେ ଭୋକ ଓପାସରେ ଛେଳିଙ୍କ ପଛେ ପଛେ ବୁଲୁଥାଏ । ସନ୍ଧ୍ୟାବେଳକୁ କିଛି ଖାଇବାପାଇଁ ଟୋକେଇ ଖୋଲିବା କ୍ଷଣି ପାଇଲା ମୂଷାମାଟି । କଅଣ କରିବ ? କ’ଣ ବା ପାଖରେ ଅଛି ଯେ ଖାଇବ । ସାନବୋହୂ ତା’ କାନିରେ ଯେଉଁ ଖୁଦକଣି ଗଣ୍ଡାକ କେତେ ଦିନ ତଳେ ବାନ୍ଧିଦେଇଥିଲା ତାହାକୁ ଖାଇ ସେ ଭୋକ ମାରିଲା । ଅଧିକାଂଶ ଦିନ ଏହି କଞ୍ଚା ଖୁଦକଣି ଖାଇ ସେ ରହିଥାଏ । ଆଜି ତା’ର ମନକୁ ଏ ଘଟଣା ବେଶୀ ବାଧିଲା । ସେ ଠିକ୍‍ କଲା ଆଉ ଘରକୁ ଫେରିବ ନାହିଁ ।

 

ରାତିରେ ଏକା ବସି ତଅପୋଇ ଜଙ୍ଗଲ ମଧ୍ୟରେ କାନ୍ଦୁଥାଏ । ମା’ମଙ୍ଗଳାଙ୍କର ସତକୁ ସତ ଦୟା ହେଲା । ବଣ ନିକଟରେ ବଡ଼ ନଦୀ । ତଅପୋଇର ସାତ ଭାଇଯାକ ଆସି ସେହି ନଦୀ କୂଳରେ ବୋଇତ ବାନ୍ଧିଲେ । ସେତେବେଳକୁ ତା’ର କାନ୍ଦଣା ଶବ୍ଦରେ ବଣ ପାହାଡ଼ ଥରୁଥାଏ । ସାନଭାଇ ଭଉଣୀର ପାଟି ବାରି ପାରି ତା’ ପାଖକୁ ଆସିଲା । ସେ ହଠାତ୍‍ ତାକୁ ଚିହ୍ନିପାରିଲାନାହିଁ-। ତଥାପି ସାଧବପୁଅ ପଚାରିଲା, ‘‘ତୁମେ କିଏ ? ଏତେ ରାତିରେ ଏକୁଟିଆ କାହିଁକି ଏ ଜଙ୍ଗଲ ମଧ୍ୟରେ କାନ୍ଦୁଛ ?’’ ତଅପୋଇ ଭାଇ ପାଖରେ ନିଜର ପରିଚୟ ଦେଲା ଓ ତା’ ଜୀବନର ସମସ୍ତ ଦୁଃଖ ଘଟଣା ଗୋଟି ଗୋଟି କରି ତା’ ପାଖରେ କହିଲା । ସାନଭାଇ ଭଉଣୀକୁ ଚିହ୍ନିଲାକ୍ଷଣି ଆଦରରେ କୁଣ୍ଢାଇ ପକାଇଲା । ତା’ପରେ ତାକୁ ବୋଇତପାଖକୁ ନେଇଗଲା । ସେଠାରେ ଭାଇ ଭଉଣୀଙ୍କ ମଧ୍ୟରେ ଚିହ୍ନା ପରିଚୟ ହେଲା । ବଡ଼ଭାଇ ଭଉଣୀଠାରୁ ସବୁ ଘଟଣା ଶୁଣି ରାଗରେ ଲାଲ ପଡ଼ିଗଲା ।

 

ପରଦିନ ସକାଳେ ଭାଇମାନେ ନାନାପ୍ରକାର ଅଳଙ୍କାରରେ ଭଉଣୀକୁ ବେଶ କରିଦେଇ ବୋଇତର ମଙ୍ଗ କୋଣରେ ବସାଇ ଦେଲେ । ତା’ ହାତରେ ଗୋଟିଏ ଛୁରି ଦେଇ କହିଲେ, ‘‘ଶୁଣ, ତୋତେ ଯେଉଁମାନେ ହତାଦର କରି ଏତେ ଦୁଃଖ କଷ୍ଟ ଦେଇଛନ୍ତି, ସେମାନଙ୍କ ନାକ ଏଥିରେ କାଟି ଦେବୁ ।’’

 

ବୋହୂମାନଙ୍କ ପାଖକୁ ଖବର ଗଲା । ସେମାନଙ୍କ ମଧ୍ୟରେ ବର୍ତ୍ତମାନ ମହା ଭାଳେଣି ପଡ଼ିଗଲା–ତଅପୋଇ କାଇଁ ? କ’ଣ କରିବେ ? ସମସ୍ତେ ଦୀପ ଓ ପୂଜା ଜିନିଷ ନେଇ ବୋଇତ ବନ୍ଦାଇବାକୁ ଆସିଲେ । ଭାଇମାନେ ପଚାରିଲେ, ‘‘ତଅପୋଇ କୁଆଡ଼େ ଗଲା ?’’ ସାନବୋହୂକୁ ଛାଡ଼ି ସମସ୍ତେ କହିଲେ, ‘‘ତାକୁ ଜର ହୋଇଥିବାରୁ ଘରେ ଶୋଇଛି ।’’

 

ସାଧବଘର ବଡ଼ପୁଅ କହିଲା, ‘‘ମଙ୍ଗ କୋଣରେ ଠାକୁରାଣୀ ଅଛନ୍ତି; ତାଙ୍କୁ ପୂଜାକର । ସମସ୍ତେ ଜଣ ଜଣ କରି ବୋଇତ ମଙ୍ଗରେ ଥିବା ଠାକୁରାଣୀଙ୍କୁ ବନ୍ଦାଇବାକୁ ଗଲେ । ତଅପୋଇ ଏତିକିବେଳେ ବେଳ ପାଇଛି; ସେ ଜଣ ଜଣ କରି ଛଅ ବୋହୂଙ୍କର ନାକ କାଟିଦେଲା । ସବା ଶେଷରେ ନୀଳେନ୍ଦୀର ପାଳି ପଡ଼ିଲା । ତଅପୋଇ ସାନବୋହୂକୁ ଦେଖି ନିଜ ବେକରୁ ସୁନାମାଳ ବାହାର କରି ତାକୁ ପିନ୍ଧାଇ ଦେଲା ।

 

ସାନବୋହୂ ତଅପୋଇକୁ କାଖକରି ଘରକୁ ନେଲା । ଅନ୍ୟ ଛ’ବୋହୂ କାନ୍ଦି କାନ୍ଦି ବଣକୁ ପଳାଇଗଲେ । ଧନ ଦଉଲତ ସବୁ ଘରକୁ ବୁହାଗଲା । ତଅପୋଇ ଖୁଦୁରୁକୁଣୀ ଓଷା କରି ତା’ର ମନକାମନା ପୂର୍ଣ୍ଣ କରିଥିଲା ଓ ତା’ ଭାଇମାନେ ସୁଖରେ ଘରକୁ ଫେରିଥିଲେ । ତଅପୋଇ ପରି ସବୁ ଦୁଃଖରୁ ପାର ପାଇବାକୁ ଆମ ଦେଶର ଝିଅ ବୋହୂମାନେ ଏ ପୂଜା ପାଳନ କରନ୍ତି ।

★★★

 

ଦ୍ୟୁତିବାହନ

 

ସୂର୍ଯ୍ୟମଣ୍ଡଳ ନଗରରେ ଚହଳ ପଡ଼ିଛି । ରାଜାଘର ଧାନ ଦେଇଛନ୍ତି; କୁଟୁତୁଣୀମାନେ ଚାରି ଦିନରେ ଚାଉଳ ଦେବେ । ମେଘ ଚାରିଆଡ଼େ ଘୋଟିଛି । ଖରା ଆଦୌ ପଡ଼ୁନାହିଁ । ଧାନ ନ ଶୁଖିଲେ ଚାଉଳ କୁଟା ହେବ କିପରି ? ସେହି ନଗରର ଜଣେ ବିଧବା ବ୍ରାହ୍ମଣୀ କୁଟିବା ପାଇଁ ରଜାଘରୁ ଧାନ ଆଣିଛନ୍ତି । ତାଙ୍କୁ ଯେତେବେଳେ ନଅ ବରଷ ବୟସ ହୋଇଥିଲା, ସେତେବେଳେ ସେ ବିବାହ କରିଥିଲେ । ବିବାହର ବରଷ ନ ପୂରୁଣୁ ତାଙ୍କ ସ୍ୱାମୀଙ୍କର ମୃତ୍ୟୁ ହେଲା । ବ୍ରାହ୍ମଣୀ ବିଧବା ହେଲେ । ସେ ବିଚାରୀ ରଜାଘର କାମ କରି ଚଳନ୍ତି । ଏବେ ତ ଖରା ନାହିଁ; ରଜା ଘରକୁ ଚାଉଳ ଦେବେ କିପରି ?

 

ସେ ସୂର୍ଯ୍ୟ ଦେବତାଙ୍କୁ ପୂଜାକଲେ । କହିଲେ, ‘‘ପ୍ରଭୁ ! ଦୟାକରି ଯଦି ମୋ’ ଧାନତକ ଶୁଖାଇ ଦେବ ତାହାହେଲେ ମୁଁ ତୁମକୁ ବିବାହ କରିବି ।’’ ସୂର୍ଯ୍ୟଙ୍କର ଦୟା ହେଲା । ଧାନ ମଧ୍ୟ ଶୁଖିଲା । ବ୍ରାହ୍ମଣୀ ଠିକ୍‍ ସମୟରେ ଚାଉଳ ନେଇ ରଜାଘରେ ହାଜର କଲେ ।

 

ସୂର୍ଯ୍ୟ ବ୍ରାହ୍ମଣୀଙ୍କୁ ବିବାହ କରିବା ପାଇଁ ଆସିଲେ । ବ୍ରାହ୍ମଣୀ କିନ୍ତୁ ଏଥର ରାଜି ହେଲେ ନାହିଁ । ଏତେ ବଡ଼ ପାପ କରିବାକୁ ତାଙ୍କର ମନ ବଳିଲା ନାହିଁ । ବ୍ରାହ୍ମଣୀ ନିଜର ଦାସୀକୁ ବେଶ କରି ବିବାହ ବେଦୀରେ ବସାଇ ଦେଲେ । ସୂର୍ଯ୍ୟଙ୍କୁ କେଉଁ କଥା ଅଜଣା । ସେ ଏହା ଜାଣିପାରିଲେ ଏବଂ ଶେଷରେ ମାୟା କଲେ । ବିବାହ ଆୟୋଜନ ସବୁ ବନ୍ଦ ହୋଇଗଲା । କିଛିଦିନ ପରେ ବ୍ରାହ୍ମଣୀଙ୍କ ଗର୍ଭରୁ ଗୋଟିଏ ସୁନ୍ଦର ପୁତ୍ର ଜାତ ହେଲା । ସେ ଦିନ ଆଶ୍ୱିନ ମାସ କୃଷ୍ଣପକ୍ଷ ଅଷ୍ଟମୀ । ବ୍ରାହ୍ମଣୀ ପୁଅଟିର ନାମ ରଖିଲେ ଦ୍ୟୁତିବାହନ ।

 

ଦ୍ୟୁତିବାହନ ଆସ୍ତେ ଆସ୍ତେ ବଡ଼ ହେଲା । ତା’ର କେହି ବାପା ନାହାନ୍ତି ବୋଲି ସମସ୍ତେ ତାକୁ ଟାହିଟାପରା କଲେ । ସାଙ୍ଗମାନଙ୍କର ପରିହାସ ସେ ସହିପାରିଲା ନାହିଁ । ଦିନକର କଥା–ଦ୍ୟୁତିବାହନ ଖେଳିସାରି ସନ୍ଧ୍ୟାବେଳକୁ ଘରକୁ ଫେରିଲା । ଆଜି ମନ ତା’ର ମରିଯାଇଛି । ମୁହଁ ତା’ର ଶୁଖିଲା । ମା’ ତା’ର କାରଣ ପଚାରିବାରୁ ସେ ମନକଥା ସବୁ ମା’ ଆଗରେ ଖୋଲିକରି କହିଲା । ସେ ଜିଦ୍‍ କଲା, ତା’ ବାପକୁ ନ ଦେଖିବା ପର୍ଯ୍ୟନ୍ତ ସେ ଭାତ ଖାଇବ ନାହିଁ । ମା’ ତାକୁ ବହୁତ ଆଶ୍ୱାସନା ଦେଲେ । କହିଲେ; ‘‘ବାପରେ, ରାତି ହେଲାଣି; ତୁ ବର୍ତ୍ତମାନ ଖାଇସାରି ଶୋଇପଡ଼ । ସକାଳ ପାହିଲେ ତୋ ବାପାଙ୍କୁ ମୁଁ ନିଶ୍ଚୟ ଦେଖାଇ ଦେବି ।’’

 

ରାତି ପାହି ସକାଳ ହେଲା । ବ୍ରାହ୍ମଣୀ ପୁଅକୁ ନେଇ ବହାରକୁ ଗଲେ । ସେତେବେଳକୁ ପୂର୍ବ ଦିଗର ପାହାଡ଼ ଉପରେ ସୂର୍ଯ୍ୟ ଦେବତା ଲାଲ ଟହଟହ କରି ହସିଉଠୁଥାଆନ୍ତି । ବ୍ରାହ୍ମଣୀ ପୁଅକୁ କହିଲେ, ‘‘ଏହି ତୋର ବାପା । ଦ୍ୟୁତିବାହନ ଆଶ୍ଚର୍ଯ୍ୟ ହୋଇ ସୂର୍ଯ୍ୟଙ୍କ ଆଡ଼କୁ ଅନାଇ ଦେବାରୁ ସୂର୍ଯ୍ୟ ଦେବତା ଆକାଶ କୋଳରୁ ଦୁଇ ହାତ ବଢ଼ାଇ ପୁଅକୁ ନିଜ ପାଖକୁ ଟେକି ନେଲେ-

 

ସୂର୍ଯ୍ୟଙ୍କ କୋଳରେ ଦ୍ୟୁତିବାହନ ବସିଥାଆନ୍ତି । ସେ ଅନେକ ପ୍ରକାର ଅଳଙ୍କାର ଆଣି ପୁଅକୁ ପିନ୍ଧାଇ ଦେଲେ । ଦ୍ୟୁତିବାହନ କହିଲେ, ‘‘ଆପଣଙ୍କ ପରି ବାପା ଥାଉ ଥାଉ ମୋ ମା’ ଅପମାନ ପାଉଛନ୍ତି । ଆପଣ ଏହା ଦେଖି କିପରି ସହ୍ୟ କରୁଛନ୍ତି ବାପା ?’’ ସୂର୍ଯ୍ୟ କହିଲେ, ‘‘ଦ୍ୟୁତିବାହନ, ଶୁଣ, ଆଉ କେତେଦିନ ଗଲେ ତୁମେ ଓ ତୁମର ମା’ ପୃଥିବୀରେ ପୂଜା ପାଇବ ।’’ ଏହିପରି କେତେ କ’ଣ କହି ପୁଅକୁ ଛାଡ଼ି ଦେଲେ ।

 

ଦିନବେଳେ ଆକାଶରୁ ନାନାପ୍ରକାର ଅଳଙ୍କାର ଓ ପାଟଶାଢ଼ି ତଳକୁ ଖସିଲା । ଲୋକମାନେ ଜାଣିଲେ, ବ୍ରାହ୍ମଣୀ ସୂର୍ଯ୍ୟଙ୍କର ସ୍ତ୍ରୀ ଓ ଦ୍ୟୁତିବାହନ ତାଙ୍କର ପୁଅ ।

 

ସେହି ଦିନଠାରୁ ଦ୍ୟୁତିବାହନଙ୍କର ପୂଜା ଆମ ଦେଶରେ ଚଳି ଆସୁଛି । ଯେ ନିଷ୍ଠାର ସହ ଏ ପୂଜା କରେ ତା’ର ଯଥେଷ୍ଟ ମଙ୍ଗଳ ହୁଏ ଓ ଯେ ନିୟମରେ ବ୍ୟତିକ୍ରମ କରେ ତା’ର ବହୁତ କ୍ଷତି ହୁଏ । ଏ ପୂଜାକୁ ଦୁତିଆ ଓଷା କହନ୍ତି ।

 

ଥରେ ଗୁଡ଼ିଏ ସ୍ତ୍ରୀଲୋକ ମିଳି ଦୁତିଆ ଓଷା କରୁଥିଲେ । ଓଷା କୋଠି ପାଖରେ ଗୋଟିଏ ବଡ଼ ଗଛ ଥିଲା । ସେହି ଗଛ ଉପରେ ଗୋଟିଏ ଚିଲ ବସା ବାନ୍ଧି ରହିଥାଏ । ଗଛତଳେ ଖୋଲ ମଧ୍ୟରେ ଗୋଟିଏ ଶିଆାଳ ରହିଥାଏ । ଦୁହେଁଯାକ ପିଲାଦିନରୁ ସାଙ୍ଗ । ଓଷା କରିବାପାଇଁ ଉଭୟେ ସ୍ଥିର କଲେ । ସ୍ତ୍ରୀଲୋକମାନେ ଓଷା ଶେଷରେ ଯେଉଁ ପୂଜା ଜିନିଷ ଫୋପାଡ଼ି ଦେଇଗଲେ ତାକୁ ସବୁ ଗୋଟାଇଆଣି ଏମାନେ ପୂଜାକଲେ । ଯେଉଁ ହଳଦୀ ଛାଡ଼ିକରି ଯାଇଥିଲେ ତାକୁ ଲଗାଇ ଗାଧୋଇଲେ ଓ ରାତିରେ ଓଷାକାମ ଆରମ୍ଭ ହେଲା । ଚିଲ ମନପ୍ରାଣ ଭରି ପୂଜାରେ ଲାଗିପଡ଼ିଥାଏ । କିନ୍ତୁ ଶିଆଳ ଏତିକିବେଳେ ଗାତ ଭିତରେ ହାଡ଼ ଖଣ୍ଡେ କଡ଼ କଡ଼ କରି ଚୋବାଉଥାଏ ।

 

ଚିଲ ଶିଆଳକୁ ପଚାରିଲା, ‘‘ଭଉଣୀ, ତୁ ଏତେବେଳେ କଡ଼ କଡ଼ କରି କ’ଣ ଚୋବାଉଛୁ-?’’ ଶିଆଳ କହିଲା, ‘‘ନାହିଁ ମ ନାନୀ, କ’ଣ ଅଛି ଯେ ଚୋବାଇବି ? ଶୀତରେ ମୋ ଦାନ୍ତ ଏପରି ବାଡ଼େଇ ହୋଇ କଡ଼ କଡ଼ ଶବ୍ଦ ହେଉଛି ।’’

 

କେତେ ବର୍ଷ ବିତିଗଲା । ପ୍ରଥମେ ଶିଆଳ ମଲା ଓ ପରେ ଚିଲ ମଲା । ଦ୍ୟୁତିବାହନଙ୍କ ମାୟା ଦେଖ । ଶିଆଳ ଯେଉଁ ଘରେ ଜନ୍ମ ହୋଇଥିଲା ଚିଲ ମଧ୍ୟ ସେହି ଘରେ ଝିଅ ହୋଇ ଜନ୍ମ ହେଲା । ଶିଆଳ ହେଲା ବଡ଼ଭଉଣୀ–ତା’ର ନାମ ଶୀଳାବତୀ । ଚିଲ ହେଲା ସାନଭଉଣୀ–ତା’ର ନାମ କୁଳବତୀ । ଦୁହେଁଯାକ ମହା ଆନନ୍ଦରେ ଦିନ କାଟୁଥାନ୍ତି । ବିବାହ ବୟସ ହେବାରୁ ଶୀଳାବତୀ ଜଣେ ମନ୍ତ୍ରୀଙ୍କୁ ବିବାହ କଲା ଓ ସାନଭଉଣୀ କୁଳବତୀ ଗୋଟିଏ ସାଧବକୁ ବିବାହ କଲା ।

 

ଶିଳାବତୀ ଶିଆଳ ଥିବା ସମୟରେ ଦ୍ୟୁତିବାହନ ଓଷାରେ ଯେଉଁ ଅନୀତି କରିଥିଲା, ତା’ ଦୋଷରୁ ତା’ର ଯେତେ ପିଲାଝିଲା ହେଲେ ସବୁଗୁଡ଼ିକ ଗୋଟି ଗୋଟି ହୋଇ ମରିଗଲେ । କୁଳବତୀ ଚିଲ ଥିବାବେଳେ ପୂଜାର ନିୟମ ମାନି ଚଳିଥିବାରୁ ତା’ର ଏକୋଇଶଟି ପୁଅ ହେଲେ । ଏକକୁ ଆରେକ ସୁନ୍ଦର । ଶିଳାବତୀ କିନ୍ତୁ ପିଲାଛୁଆ ହରାଇ ମନଦୁଃଖରେ କାନ୍ଦୁଥାଏ ।

 

ପିଲାମାନେ ମାଉସୀ ଘରକୁ ବୁଲିବାକୁ ଯାଆନ୍ତି । ଶିଳାବତୀ ପିଲାମାନଙ୍କର ଶିରୀ ସହିପାରିଲାନି । ତାଙ୍କ ପ୍ରତି ତା’ର ହିଂସା ଦିନକୁ ଦିନ ବଢ଼ିବାକୁ ଲାଗିଲା । ଭଉଣୀର ପିଲାମାନଙ୍କୁ ଦେଖିଲେ ଛାତି ତା’ର କରତି ହୋଇଯାଏ । ତା’ର ଇଚ୍ଛା, ସାନଭଉଣୀର ପିଲାଗୁଡ଼ିକ ମରିଯାଆନ୍ତୁ-। ଶୀଳାବତୀ କୁଳବତୀର ପିଲାମାନଙ୍କୁ ମାରିଦେବାକୁ ମନେମନେ ସ୍ଥିର କଲା ।

 

ଦିନେ ପିଲମାନେ ମାଉସୀ ଘରକୁ ବୁଲିବାକୁ ଆସିଥାନ୍ତି । ଶୀଳାବତୀ ସେମାନଙ୍କୁ ଗୋଟିଏ ଘରକୁ ଡାକି ନେଇ ଗୋଟି ଗୋଟି କରି ହାଣି ପକାଇଲା । ମୁଣ୍ଡଗୁଡ଼ିକ ଗୋଟିଏ ଚାଙ୍ଗୁଡ଼ିରେ ରଖି ତା’ଉପରେ କନାଟିଏ ଘୋଡ଼ାଇ ଦେଇ ଭଉଣୀ ଘରକୁ ପଠାଇ ଦେଲା । ଦାସୀ ତାହା ନେଇ କୁଳବତୀ ଘରେ ପହଞ୍ଚି କହିଲା, ‘‘ତୁମ ବଡ଼ଭଉଣୀ ପୁତୁରାମାନଙ୍କପାଇଁ କ’ଣ ପଠାଇଛନ୍ତି ନିଅ ।’’ କୁଳବତୀ କହିଲା, ‘‘ପିଲାମନେ ମୋର ବୁଲି ଯାଇଛନ୍ତି । ଆସିଲେ ଖାଇବେ । ତୁ ସେତକ ଘର ଭିତରେ ରଖିଦେଇ ଯା ।’’

 

ଦ୍ୟୁତିବାହନଙ୍କ ମହିମା ଦେଖ; କିଛି ସମୟ ପରେ ଏକୋଇଶିଟି ଯାକ ପୁଅ ଫେରିଆସି ଖାଇବା ପାଇଁ ମା’ଙ୍କୁ ଜଳଖିଆ ମାଗିଲେ । ମା’ କହିଲେ, ‘‘ତୁମ ମାଉସୀ ତୁମମାନଙ୍କ ପାଇଁ କ’ଣ ପଠାଇଛି, ଘର ଭିତରେ ଥୁଆ ହୋଇଛି; ଯାଅ, ଆଣି ଖାଇବ ।’’ ଛୁଆମାନେ ଚାଙ୍ଗୁଡ଼ି ଖୋଲି ଦେଖିଲାବେଳକୁ ତା’ ମଧ୍ୟରେ ଗୁଡ଼ିଏ ନଡ଼ିଆ ଥୁଆ ହୋଇଛି । ସମସ୍ତେ ବାଣ୍ଟି କରି ତାହା ଖାଇଲେ-। ଦ୍ୟୁତିବାହନଙ୍କ କରୁଣାରୁ ପିଲାମାନେ ସମସ୍ତେ ବଞ୍ଚିଗଲେ । ମୁଣ୍ଡଗୁଡ଼ିକ ନଡ଼ିଆ ପାଲଟିଗଲା-

 

ଶୀଳାବତୀ ହିଂସା କରି ଥରକୁ ଥର ଏପରି ସେମାନଙ୍କୁ ମାରିଦିଏ ଓ ସେମାନେ ଥରକୁ ଥର ଜୀବନ ପାଆନ୍ତି । ଅନେକ ଦିନ ପରେ ଏକଥା ମନ୍ତ୍ରୀଙ୍କ କାନକୁ ଗଲା । ସେ ସ୍ତ୍ରୀକୁ ବହୁତ ଗାଳି ଦେଲେ । ଏଣେ କୁଳବତୀ ସ୍ୱପ୍ନରେ ଦ୍ୟୁତିବାହନଙ୍କଠାରୁ ତା’ ପୂର୍ବଜନ୍ମ କାହାଣୀ ଶୁଣିଲା ।

 

ଦିନେ ମନ୍ତ୍ରୀ ଓ ଶୀଳାବତୀ କ୍ଷମା ମାଗିବାକୁ କୁଳବତୀ ପାଖକୁ ଆସିଲେ । ଶୀଳାବତୀ ଯେଉଁ ପାପ କରିଥିଲା, ସେଥିପାଇଁ ଅନୁତାପ କଲା ଓ ଭଉଣୀଠାରୁ କ୍ଷମା ମାଗିଲା । କୁଳବତୀ ମଧ୍ୟ ତା’ ସ୍ୱପ୍ନ କଥା ସେମାନଙ୍କୁ କହିଲା । ତା’ପରେ ସମସ୍ତେ ଠିକ୍‍ କଲେ, ଦ୍ୟୁତିବାହନଙ୍କର ପୂଜା କରିବେ ।

 

ସମସ୍ତେ ମିଶି ଦ୍ୟୁତିବାହନଙ୍କର ପୂଜାକଲେ । ଠାକୁର ତାଙ୍କ ଉପରେ ସନ୍ତୁଷ୍ଟ ହୋଇ ବର ଯାଚିଲେ । ଦୁଇ ଭଉଣୀ ପ୍ରାର୍ଥନା କଲେ, ‘‘ହେ ଦେବତା, ଆମେ ଯଦି ପୂର୍ବଜନ୍ମରେ ଶିଆଳ ଓ ଚିଲ ହୋଇଥିଲୁଁ, ତେବେ ଆମକୁ ଏହି ବର ଦିଅନ୍ତୁ, ଯେ ଆପଣଙ୍କୁ ପୂଜା କରିବ ସେ ଚିଲ ଶିଆଳଙ୍କୁ ମଧ୍ୟ ପୂଜା କରିବ ।’’ ଦ୍ୟୁତିବାହନ ‘ତଥାସ୍ତୁ’ କହି ଉଭେଇଗଲେ । ସେହି ଦିନଠାରୁ ଦ୍ୟୁତିବାହନ ଓଷାରେ ଚିଲ ଶିଆାଳଙ୍କୁ ମଧ୍ୟ ପୂଜା ଦିଆଯାଏ ।

 

ଠାକୁରଙ୍କ ଦୟାରୁ ଶୀଳାବତୀଙ୍କର ପୁଅ ଝିଅ ହେଲେ । ଦୁଇ ଭଉଣୀ ମହା ସୁଖରେ ରହିଲେ । ଆଶ୍ୱିନ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ଦ୍ୟୁତିବାହନ ଜନ୍ମ ହୋଇଥିଲେ । ତେଣୁ ପ୍ରତିବର୍ଷ ସେହି ତିଥିରେ ତାଙ୍କ ଜନ୍ମ ଉତ୍ସବ ପାଳନ କରାଯାଏ ।

★★★

 

ଭାଇ ଜିଉନ୍ତିଆ

 

ଚମ୍ପାବତୀ ବୋଲି ଗୋଟିଏ ନଗର ଥିଲା । ବିକ୍ରମ ସେନ ନାମରେ ଜଣେ ରାଜା ସେଠାରେ ରାଜତ୍ୱ କରୁଥିଲେ । ତାଙ୍କର ଗୋଟିଏ ବୋଲି ଝିଅ । ନାମ ତା’ର ଅରୁଣା । ଝିଅଟି ଦେଖିବାକୁ ଗୋଟିଏ ଚାଉଳରେ ଗଢ଼ା । ଦେହ ସୋରିଷ ଫୁଲପରି ଗୋରା । ଏଡ଼େ ସୁନ୍ଦର ଝିଅ କୌଣସିଠାରେ ଦେଖା ନ ଥିଲା । ରାଜା ବଡ଼ ସ୍ନେହରେ ଝିଅଟିକୁ ପାଳିଥିଲେ ।

 

ଦିନେ ଅରୁଣା ସଖୀମାନଙ୍କ ସହିତ ବଗିଚାରେ ବସି ଫୁଲ ଗୁନ୍ଥୁଥାଏ । ସେହି ରାଜ୍ୟର ମନ୍ତ୍ରୀଙ୍କ ପୁଅ ମଦନସୁନ୍ଦର ପାରିଧି କରିବାକୁ ଯାଇଥିଲେ । ବଣସାରା ବୁଲି ବୁଲି ଭାରି ଶୋଷ ହେଲା । ଆଗରେ ରଜାଘର ବଗିଚା । ବଗିଚା ଭିତରେ ପାହାଚବନ୍ଧା ପୋଖରୀ । କାଚକେନ୍ଦୁ ପରି ନିର୍ମଳ ପାଣି । ମଦନସୁନ୍ଦର ସେଇଠି ବସି ପାଣି ପିଉଛନ୍ତି, ହଠାତ୍‍ ଅରୁଣାର ଆଖି ତାଙ୍କ ଉପରେ ପଡ଼ିଲା । ରୂପରେ କେହି କାହାକୁ କମ୍‍ ନୁହନ୍ତି ।

 

ରଜାଝିଅ ମଦନସୁନ୍ଦରଙ୍କ ପାଖକୁ ଯାଇ ହସି ହସି କହିଲା, ‘‘ଆମ ପୋଖରୀରୁ ପାଣି ପିଇଲେ ପଇସା ଦେବାକୁ ହୁଏ । କାହାକୁ କିଛି ନକହି ତୁମେ ବଗିଚାରେ ପଶିଥିବାରୁ ପ୍ରଥମ ଦୋଷ କରିଛ ଓ ପଇସା ନଦେଇ ପାଣି ପିଇଥିବାରୁ ଦ୍ୱିତୀୟ ଦୋଷ କରିଛ । ଏହିସବୁ ଦୋଷପାଇଁ ତୁମକୁ ଦଣ୍ଡ ଭୋଗିବାକୁ ହେବ ।’’

 

ମଦନସୁନ୍ଦର ଆଖି ଆଗରେ ଏଡ଼େ ସୁନ୍ଦରୀ ଅପସରାଟିକୁ ଦେଖି କିଛି ଭାବିପାରିଲେ ନାହିଁ । ସେ ଦେବୀ ନା ମାନବୀ ? ସେ ସଙ୍ଗେ ସଙ୍ଗେ ମୂଲ୍ୟ ବାବଦକୁ ହାତରୁ ସୁନାମୁଦିଟି ବାହାରକରି ରଜାଝିଅ ହାତରେ ଦେଲେ । ରଜାଝିଅ କହିଲେ, ‘‘ପାଣି ପିଇବାର ମୂଲ୍ୟ ବାବଦକୁ ସିନା ସୁନାମୁଦିଟି ଦେଲ । କିନ୍ତୁ ଯେଉଁ ଦୋଷ କରିଛ ସେଥିପାଇଁ ତୁମକୁ ଦଣ୍ଡ ଭୋଗିବାକୁ ପଡ଼ିବ । ଦଣ୍ଡ ସ୍ୱରୂପ ତୁମେ ଏଇ ସୁନାମୁଦିଟି ରଜାଝିଅ ହାତରେ ପିନ୍ଧାଇ ଦିଅ । ମଦନସୁନ୍ଦର ଆନନ୍ଦରେ ସୁନା ମୁଦିଟି ରଜାଝିଅ ହାତରେ ପିନ୍ଧାଇ ଦେଲେ । ଅରୁଣା ବଗିଚାରେ ବସି ଯେଉଁ ଫୁଲ ହାରଟି ଗୁନ୍ଥିଥିଲେ ତାହା ମଦନସୁନ୍ଦରଙ୍କ ଗଳାରେ ପିନ୍ଧାଇ ଦେଲେ । ନମସ୍କାର କରି କହିଲେ, ‘‘ମୁଁ ଆଜି ତୁମକୁ ବିବାହ କଲି ।’’ ଦୁହେଁ ପୋଖରୀ ପାହାଚରେ କିଛି ସମୟ ବସି ହସ ଖୁସିରେ କଟାଇବା ପରେ ଘରକୁ ଗଲେ ।

 

ଅରୁଣାର ସଖୀମାନେ ଯାଇ ରାଜାଙ୍କ ଆଗରେ ସବୁ କଥା କହିଲେ । ରାଜା ରାଗରେ ନିଆଁ ବାଣ । ଏ କ’ଣ ହେଲା ! ଯେଉଁ ମନ୍ତ୍ରୀ ତାଙ୍କ ତଳେ ଚାକିରି କରିଛି ତା’ର ପୁଅକୁ ଅରୁଣା ବିବାହ ହେବ ! ସେ ଅରୁଣାକୁ ପାଖକୁ ଡାକି କେତେ କଥା ବୁଝାଇଲେ । ରଜାଝିଅ କିଛି ବୁଝିଲେ ନାହିଁ । ତାଙ୍କର ଏକା ଜିଦ୍‍–ମଦନସୁନ୍ଦର ବ୍ୟତୀତ ଅନ୍ୟ କାହାକୁ ବିବାହ କରିବେ ନାହିଁ । ରାଜା ବର୍ତ୍ତମାନ ମହା ଅଡ଼ୁଆରେ ପଡ଼ିଲେ । କ’ଣ କରିବେ ? କୌଣସି ଉପାୟରେ ମଦନସୁନ୍ଦରକୁ ମରାଇ ଦେଲେ ଭଲ ହୁଅନ୍ତା ।

 

ରାତି ସାରା ରାଜାଙ୍କୁ ନିଦ ନାହିଁ । ଶେଷକୁ ଭାବି ଭାବି ଏକ ଉପାୟ ଚିନ୍ତା କଲେ । ତା’ ପରଦିନ ସକାଳୁ ଘାତକକୁ ଡକାଇ କହିଲେ, ‘‘ମନ୍ତ୍ରୀପୁଅକୁ ଶିକାର କରିବା ବାହାନାରେ ବଣକୁ ଡାକିନେଇ ହାଣିଦେବୁ ।’’ ଘାତକ ମଧ୍ୟ ଏଥିରେ ରାଜି ହେଲା ।

 

ସକାଳ ପାହିଲା । ରାଜା ମଦନସୁନ୍ଦରକୁ ଉଆସକୁ ଡାକି କହିଲେ, ‘‘ମୋ ଝିଅ ଗୋଟିଏ ସୁନ୍ଦର ହରିଣ ପାଇଁ କହିଛି; ତୁମେ ବଣକୁ ଯାଇ ତା’ପାଇଁ ଗୋଟିଏ ହରିଣ ଆଣିଦିଅ ।’’ ସେ ଏହା ଶୁଣି ଆନନ୍ଦରେ ବଣକୁ ଗଲେ । ଘାତକ ମଧ୍ୟ ତାଙ୍କ ସହିତ ଗଲା । ଯାଉ ଯାଉ ଉଭୟେ ଗୋଟିଏ ଝାଡ଼ ଜଙ୍ଗଲ ମଧ୍ୟରେ ପହଞ୍ଚିଲେ । ଘାତକ ଖଣ୍ଡା ଧରି ମନ୍ତ୍ରୀପୁଅକୁ ହାଣିବାକୁ ଯାଉଛି, ଠିକ୍‍ ଏହି ସମୟରେ ଗୋଟିଏ ହରିଣ ତାଙ୍କ ପାଖରେ ଆସି ପହଞ୍ଚିଗଲା । ଗୋଟିଏ ବାଘ ସେ ହରିଣଟିକୁ ତଡ଼ୁଥିଲା । ହରିଣ ପଛେ ପଛେ ବାଘ ମଧ୍ୟ ସେଠାରେ ପହଞ୍ଚିଲା । ସେ ଘାତକକୁ ହାବୁଡ଼ରେ ପାଇ ଜଙ୍ଗଲ ମଧ୍ୟକୁ ଧରି ପଳାଇଲା । ମଦନସୁନ୍ଦର ହରିଣଟିକୁ ହାତରେ ପାଇଲେ ।

 

ସେ ଘରୁ ବାହାରିବା ସମୟରେ ତାଙ୍କ ଭଉଣୀ ମାଳତୀ ଭାଇର ଶୁଭ ମନାସି ଦୁର୍ଗାଙ୍କୁ ପୂଜା କରିଥିଲା । ମା’ ଦୁର୍ଗା ସନ୍ତୁଷ୍ଟ ହେବାରୁ ମଦନସୁନ୍ଦର ବଞ୍ଚିଗଲେ ଓ ଘାତକ ବାଘ ମୁହଁରେ ପଡ଼ି ମଲା । ସେ ଶେଷରେ ସୁନ୍ଦର ହରିଣଟିକୁ ଧରି ରାଜା ଉଆସରେ ପହଞ୍ଚିଲେ ।

 

ରାଜା ଯେତେବେଳେ ଦେଖିଲେ, ମନ୍ତ୍ରୀପୁଅ ଫେରିଆସିଛି ସେତେବେଳେ ତାଙ୍କର ମହା ଭାଳେଣି ପଡ଼ିଲା । କିପରି ତାକୁ ମାରିବେ, ପୁଣି ବସି ଚିନ୍ତା କଲେ । ଶେଷକୁ ଠିକ୍‍ କଲେ, ବିଷ ଦେଇ ମାରିଦେବେ । ତାକୁ ନ ମାରିବା ପର୍ଯ୍ୟନ୍ତ ଝିଅକୁ ଅନ୍ୟ ଜାଗାରେ ବିବାହ ଦେଲେ ସେ ସେଥିରେ ରାଜି ହେବ ନାହିଁ ।

 

ତା’ ପରଦିନ ରାଜା ମଦନସୁନ୍ଦରକୁ ତାଙ୍କ ଘରେ ଖାଇବା ପାଇଁ ନିମନ୍ତ୍ରଣ କଲେ ଓ ଖାଦ୍ୟ ଜିନିଷରେ ବିଷ ମିଶାଇ ଦେଲେ । ମଦନ ବିଷ ଖାଇ ବେହୋସ ହୋଇଗଲେ ଓ ରାଜା ଚାକରଙ୍କଦ୍ୱାରା ତାଙ୍କୁ ନଦୀ ଜଳରେ ଭସାଇ ଦେଲେ । ଚାହୁଁ ଚାହୁଁ ରାତି ପହରେ ହେଲା । ଘରେ ସମସ୍ତେ ଚାହିଁ ବସିଥାନ୍ତି । ଅନେକ ରାତିଯାଏ ପୁଅ ଘରକୁ ଫେରିଲା ନାହିଁ ।

 

ମାଳତୀ ଭାଇର ଶୁଭ ମନାସି ନିଷ୍ଠାରେ ଦୁର୍ଗାଙ୍କ ପୂଜାରେ ଲାଗିଥାଏ । ଦୁର୍ଗା ତା’ର ପୂଜାରେ ସନ୍ତୁଷ୍ଟ ହେଲେ । ମଦନସୁନ୍ଦର ସମୁଦ୍ରରୁ ପହଁରି ପହଁରି ଆସି ରାତି ଅଧ ବେଳକୁ ଘରେ ପହଞ୍ଚିଲେ । କିନ୍ତୁ ହଠାତ୍‍ ତାଙ୍କର ଚେତା ହଜିଗଲା । ସେ ପଲଙ୍କ ଉପରେ ମଲାପରି ପଡ଼ିରହିଲେ-

 

ରାଜା ଏଣେ ନଅରରେ ମହା ନିଶ୍ଚିନ୍ତରେ ଶୋଇଛନ୍ତି । ରାତିରେ ସ୍ୱପ୍ନ ଦେଖିଲେ, ମା’ ଦୁର୍ଗା ତାଙ୍କ ଆଗରେ ଠିଆହୋଇ କହୁଛନ୍ତି, ‘‘ରାଜା ! ତୁମେ ଅକାରଣରେ କାହିଁକି ମୋର ଭକ୍ତ ମଦନସୁନ୍ଦରକୁ ହତ୍ୟା କରିବା ପାଇଁ ଚେଷ୍ଟା କରୁଛ ? ମୁଁ ତା’ ପାଖେ ପାଖେ ସଦାସର୍ବଦା ରହିଛି । ମଦନର ଭଉଣୀ ମାଳତୀ ଯେଉଁ ଦୁବରେ ମୋତେ ପୂଜା କରୁଥିଲା ତୁମେ ସେହି ଦୁବ ସାତଥର ମଦନ ଦେହରେ ବୁଲାଇ ଆଣ । ସେ ଜିଇଁ ଉଠିବ । ତା’ ସହିତ ମଧ୍ୟ ତୁମ ଝିଅ ଅରୁଣାକୁ ବିବାହ ଦେବ ।’’ ଦେବୀ ଏହା କହିସାରି ଉଭେଇ ଗଲେ ।

 

ରାଜା ସ୍ୱପ୍ନରୁ ଉଠି ମନ୍ତ୍ରୀଙ୍କ ଘରକୁ ଧାଇଁଲେ । ମାଳତୀ ଯେଉଁ ଦୁବରେ ଦେବୀଙ୍କୁ ପୂଜା କରିଥିଲା ସେଥିରେ ମଦନର ଦେହକୁ ସାତଥର ଆଉଁଷି ଆଣିଲେ । ମଦନ ନୂଆ ଜୀବନ ପାଇ ହସିଉଠିଲେ । ସତେ ଯେପରି ନିଦରୁ ଉଠିଛନ୍ତି ।

 

ଆଜି ରଜାଝିଅ ଓ ମନ୍ତ୍ରୀପୁଅର ବିବାହ ଦିନ । ରାଜ୍ୟ ସାରା ଆନନ୍ଦ କୋଳାହଳ । ଆଲୁଅ ରୋଷଣିରେ ନଅର ଝଟକୁଛି । ସମସ୍ତଙ୍କଠାରୁ ମାଳତୀ ମନରେ ବେଶୀ ଆନନ୍ଦ । ତା’ର ନୂଆ ଭାଉଜ ଆସିବ । ଶେଷରେ ବିବାହ ସରିଲା । ଅରୁଣା ଓ ମଦନସୁନ୍ଦର ଆନନ୍ଦରେ ରହିଲେ ।

 

ମାଳତୀ ଯେପରି ଭାବରେ ଦୁର୍ଗାଙ୍କୁ ପୂଜା କରି ଭାଇକୁ ବଞ୍ଚାଇଥିଲା ସେ କୀର୍ତ୍ତି ଏପର୍ଯ୍ୟନ୍ତ ମଧ୍ୟ ରହିଛି । ଭାଇକୁ ଜିଆଁଇବା ପାଇଁ ଏହି ପୂଜା ସେ କରିଥିବାରୁ ପୂଜାର ନାମ ‘‘ଭାଇଜିଉନ୍ତିଆ’’ । ଏ ପୂଜା ଆଶ୍ୱିନ ମାସ ଦୁର୍ଗାଷ୍ଟମୀ ଦିନ ପାଳନ କରାଯାଏ । ଆମ ଦେଶରେ ଝିଅମାନେ ଭାଇମାନଙ୍କର ଶୁଭ ମନାସି ଏ ବ୍ରତ ପାଳନ କରନ୍ତି ।

★★★

 

ଦଶହରା

 

ଅଯୋଧ୍ୟା ଦେଶର ରାଜାଙ୍କ ନାମ ଦଶରଥ । ତାଙ୍କର ଚାରୋଟି ପୁଅ ଥିଲେ । ରାମ, ଲକ୍ଷ୍ମଣ, ଭରତ ଓ ଶତ୍ରୁଘ୍ନ । ବାପାଙ୍କ ସତ୍ୟ ରକ୍ଷା କରିବା ପାଇଁ ରାମଚନ୍ଦ୍ର ପଞ୍ଚବଟୀ ବଣରେ ରହିଥାନ୍ତି-। ତାଙ୍କ ସାଥିରେ ତାଙ୍କ ସାନଭାଇ ଲକ୍ଷ୍ମଣ ଓ ସ୍ତ୍ରୀ ସୀତା ମଧ୍ୟ ଥିଲେ ।

 

ଦିନେ ଲଙ୍କାର ରାକ୍ଷସ ରାଜା ରାବଣ ଆସି ସୀତାଙ୍କୁ ଚୋରିକରି ନେଇଗଲା । ରାମଚନ୍ଦ୍ରଙ୍କ ସହିତ ସେଥିପାଇଁ ତାଙ୍କର ଭୀଷଣ ଯୁଦ୍ଧ ହେଲା । ଯୁଦ୍ଧରେ ତା’ର କୁଟୁମ୍ୱର ପ୍ରାୟ ସମସ୍ତେ ମଲେ । ଅସଂଖ୍ୟ ସୈନ୍ୟସାମନ୍ତ ମଲେ । ଶେଷକୁ ନିଜେ ରହିଲା ରାବଣ । ତା’ର ଦଶଟା ମୁଣ୍ଡ । ଅକଳନ୍ତି ବଳ । ତାକୁ ମାରିବା କ’ଣ ସହଜ କଥା ? ତଥାପି ରାମଚନ୍ଦ୍ର ତା’ର ମୁଣ୍ଡ କାଟିଦେଲେ । କି ଆଶ୍ଚର୍ଯ୍ୟ କଥା, ସଙ୍ଗେ ସଙ୍ଗେ ମୁଣ୍ଡ କଅଁଳିଗଲା । ଥର ଥର କରି ଦଶ ଥର ସେ ତା’ର ମୁଣ୍ଡ କାଟିଲେ; ତଥାପି ସେ ମଲାନାହିଁ ।

 

ଏହା ଦେଖି ରାମଚନ୍ଦ୍ର ହତାଶ ହୋଇପଡ଼ିଲେ । ସେ ଜାଣିଲେ ଯେ ଦୁର୍ଗାଦେବୀ ଲଙ୍କାପୁରରେ ରହୁଥିବାରୁ ତାଙ୍କ କୃପାରୁ ରାବଣ ମରୁନାହିଁ । ତେବେ କୌଣସିମତେ ଦେବୀଙ୍କୁ ସନ୍ତୁଷ୍ଟ କରି ଲଙ୍କାରୁ ବାହାର କରି ଆଣିବା ଦରକାର । ତା’ପରେ ସେ ଦୁର୍ଗାଙ୍କୁ ପୂଜା ମନାସିଲେ । ସେ ବୀର ହନୁମାନକୁ ପାଖକୁ ଡାକି କହିଲେ, ‘‘ବୀର ହନୁମାନ, ବର୍ତ୍ତମାନ ତୁମେ ଯାଇ ଦେବୀ ହ୍ରଦରୁ ଏକଲକ୍ଷ ପଦ୍ମଫୁଲ ତୋଳିଆଣ । ମନେରଖ, ସେଥିରୁ ଯେପରି ଗୋଟିଏ ମାତ୍ର ଫୁଲ କମ୍‍ ନ ହୁଏ । ଗୋଟିଏ ଫୁଲ ଊଣା ହେଲେ ମୋର ପୂଜା ଅପୂର୍ଣ୍ଣ ରହିବ । ହନୁମାନ ରାମଚନ୍ଦ୍ରଙ୍କର ପ୍ରଧାନ ଭକ୍ତ । ଆଦେଶ ପାଇବା ମାତ୍ରକେ ସେ ଚାଲିଗଲା ।

 

ଦେବୀ ହ୍ରଦରେ ନାନା ବର୍ଣ୍ଣର ଅସଂଖ୍ୟ ପଦ୍ମଫୁଲ ଫୁଟିଛି । କିଏ ତା’ର କଳନା କରିବ । ପାଣିରେ ପଶି ହନୁମାନ ମନଇଚ୍ଛା ଫୁଲ ତୋଳିଲା । ଗାଧୁଆ ପାଧୁଆ ଶେଷ କରି ସେ ଫୁଲତକ ଅତି ଯତ୍ନରେ ଧରି ରାମଚନ୍ଦ୍ରଙ୍କ ପାଖରେ ପହଞ୍ଚିଲା । ଫୁଲଗୁଡ଼ିକ ଦେଖି ସେ ମହା ଆନନ୍ଦରେ ଦେବୀ ପୂଜାର ଯୋଗାଡ଼ କଲେ ।

 

ମା’ ଦୁର୍ଗା ରାମଚନ୍ଦ୍ରଙ୍କର ମନ ବିଡ଼ିବା ପାଇଁ ଏକ ମାୟା କଲେ । ସେ ଶୂନ୍ୟରୁ ଆସି ସେହି ଫୁଲମାନଙ୍କ ମଧ୍ୟରୁ ଗୋଟିଏ ନେଇଗଲେ । ରାମଚନ୍ଦ୍ରଙ୍କୁ ଏକଥା ଜଣା ନାହିଁ । ସେ ଫୁଲ, ଚନ୍ଦନ, ଧୂପ, ଦୀପ ନୈବେଦ୍ୟ ପ୍ରଭୃତି ଆଣି ଦେବୀଙ୍କୁ ପୂଜାକଲେ । ପାଖରେ ବୀର ହନୁମାନ, ଲକ୍ଷ୍ମଣ ଓ ଆଉ ଆଉ ବୀରମାନେ ଠିଆହୋଇ ପୂଜା ଦେଖୁଥାନ୍ତି ।

 

ରାମଚନ୍ଦ୍ର ଫୁଲଗୁଡ଼ିକ ଦେବୀଙ୍କ ପାଦତଳେ କୁଢ଼ାଇ ଦେଇ ଗଣି ଗଣି ଗୋଟି ଗୋଟି କରି ସେଗୁଡ଼ିକ ତାଙ୍କ ଉପରେ ଚଢ଼ାଇଲେ । ଶେଷକୁ ଦେଖିଲେ ଗୋଟିଏ ପଦ୍ମଫୁଲ କମ୍‍ ପଡ଼ିଛି । ହନୁମାନକୁ ପାଖକୁ ଡାକି ତା’ର କାରଣ ପଚାରିଲେ । ସେ’ତ ଗଣି ଗଣି ଠିକ୍‍ ଏକ ଲକ୍ଷ ଫୁଲ ଆଣିଛି । ବର୍ତ୍ତମାନ କି ଉତ୍ତର ଦେବ ? ତେବେ କରାଯିବ କ’ଣ ? ଆଉ ଗୋଟିଏ ଫୁଲ ନ ହେଲେ ପୂଜା ହୋଇପାରିବ ନାହିଁ । ତାହା ଅପୂର୍ଣ୍ଣ ରହିବ ।

 

ହନୁମାନ କହିଲେ, ‘‘ମୁଁ ଯାଉଛି ଆଉ ଗୋଟିଏ ଫୁଲ ଅଣିବି ।’’ ରାମଚନ୍ଦ୍ର ଅନେକ ସମୟ ଭାବି ଭାବି ଠିକ୍‍ କଲେ, ଏହା ନିଶ୍ଚୟ ଦେବୀଙ୍କର ମାୟା; ତା’ ନ ହେଲେ ଫୁଲ ଊଣା ହୁଅନ୍ତା କାହିଁକି ?

 

ରାମଚନ୍ଦ୍ରଙ୍କ ମୁହଁରେ ହସ ଦେଖାଗଲା । ତାଙ୍କୁ ଏକ ଉପାୟ ଦିଶିଲା । ହନୁମାନକୁ ଦେବୀ ହ୍ରଦକୁ ପୁଣିଥରେ ଯିବାକୁ ମନାକଲେ । ଜଗତରେ ତାଙ୍କୁ ପଦ୍ମଲୋଚନ ବୋଲି କହନ୍ତି । ତାଙ୍କ ଆଖି ଦେଖିବାକୁ ଠିକ୍‍ ପଦ୍ମଫୁଲ ପରି । ଯେଉଁ ଫୁଲଟି ଊଣା ପଡ଼ିଛି ତା’ ବଦଳରେ ତାଙ୍କ ଆଖିରୁ ଗୋଟିଏ ହେଲେ ବଳିଯିବ ବୋଲି ସେ ସ୍ଥିର କଲେ ।

 

ରାମଚନ୍ଦ୍ର ଗୋଟିଏ ମୁନିଆଁ ଶରରେ ନିଜର ଆଖି ଖୋଳିବାକୁ ହାତ ଉଠାଇଛନ୍ତି, ଠିକ୍‍ ଏହି ସମୟରେ ଶୂନ୍ୟରୁ ଦୁର୍ଗା ଆସି ତାଙ୍କ ହାତକୁ ଧରି ପକାଇଲେ । ଭକ୍ତିର ମନ ପରୀକ୍ଷା କରିବା ପାଇଁ ଦେବୀ ଭକ୍ତକୁ ନାନା ଦୁଃଖ ଦେଇଥାନ୍ତି ।

 

ଦୁର୍ଗା ତାଙ୍କର ପ୍ରକୃତ ରୂପ ଦେଖାଇ ରାମଚନ୍ଦ୍ରଙ୍କ ପାଖରେ ଛିଡ଼ା ହୋଇ କହିଲେ, ‘‘ବାବୁ, ମୁଁ ତୁମର ପୂଜାରେ ସନ୍ତୁଷ୍ଟ ହୋଇଛି ।

 

ତୁମ ମନକଥା ମଧ୍ୟ ବୁଝିପାରିଲିଣି । ଦୁଷ୍ଟ ରାବଣକୁ ମାରିବା ପାଇଁ ଭାବିଛି । ତେବେ ମନେରଖ, ତୁମେ ଯଦି ବ୍ରହ୍ମ ଶରରେ ତାକୁ ମାରିପାରିବ ତେବେ ସେ ମରିବ । ମୁଁ ମଧ୍ୟ ତା’ କାମରେ ସନ୍ତୁଷ୍ଟ ନୁହେଁ । ଲଙ୍କାପୁର ଛାଡ଼ି ଆଜିଠାରୁ ଚାଲି ଯାଉଛି । ମୁଁ ଶେଷରେ ଆଶୀର୍ବାଦ କରୁଛି, ତୁମେ ସୀତାଙ୍କୁ ନେଇ ନିଜ ରାଜ୍ୟରେ ରାଜପଣ କର ।’’

 

ତା’ପରେ ରାମଚନ୍ଦ୍ର ବ୍ରହ୍ମାସ୍ତ୍ରରେ ରାବଣକୁ ମାରି ସୀତାଙ୍କୁ ଉଦ୍ଧାର କଲେ । ଆଶ୍ୱିନ ମାସ ଶୁକ୍ଳପକ୍ଷ ସପ୍ତମୀ ଦିନ ରାମଚନ୍ଦ୍ର ଦଶଶିର ରାବଣକୁ ମାରିବା ପାଇଁ ଦୁର୍ଗାଙ୍କ ପୂଜା ଆରମ୍ଭ କରିଥିଲେ ଓ ନବମୀ ଦିନ ଶେଷ କରିଥିଲେ । ସେହି ଅନୁସାରେ ଆମ ଦେଶରେ ଦୁର୍ଗାଙ୍କର ପୂଜା ସପ୍ତମୀ ଦିନ ଆରମ୍ଭ କରାଯାଇ ନବମୀ ଦିନ ଶେଷ କରାଯାଏ । ଏହି ପୂଜା ତିନିଦିନକୁ ଦଶହରା ପର୍ବ ବୋଲି କହନ୍ତି ।

★★★

 

ଜହ୍ନିଓଷା

 

ମହାରାଷ୍ଟ୍ର ଦେଶରେ ମହେଶ୍ୱର ନାମରେ ଜଣେ ଲୋକ ଥିଲା । ତା’ର ସ୍ତ୍ରୀର ନାମ ଜମ୍ୱୁବତୀ । ଦିନେ ଗାଁର ପିଲାମାନେ ସମସ୍ତେ ନାଚିକୁଦି ଆନନ୍ଦରେ ଜହ୍ନିଓଷା କରି ଡେଉଁ ଥିଲେ । ପୂଜା ଶେଷରେ ସେମାନେ ଭୋଗ ବାଢ଼ିଥିବା ମୁଢ଼ିତକ ଠାକୁରଙ୍କର ପ୍ରସାଦରୂପେ ବାଣ୍ଟିକରି ଖାଇଲେ । ଏହି ସମୟରେ ଜମ୍ୱୁବତୀ ସେହି ବାଟ ଦେଇ ଗାଧୋଇବାକୁ ଯାଉଥିଲା । ପିଲାମାନେ ମୁଢ଼ି ଖାଉଥିବାର ଦେଖି ସେ ଟାହିଟାପରା କରିବାରେ ଲାଗିଲା । କହିଲା, ‘‘ଜହ୍ନିଓଷା ଦିନ ଯେ ମୁଢ଼ି ଖାଏ ସେ ମରେ ।’’

 

ମା’ ବୃନ୍ଦାବତୀ ଏକଥା ଜାଣି ବଡ଼ ବିରକ୍ତ ହେଲେ । ସେ ଦେବୀ । ଏହା ତାଙ୍କରି ପୂଜା । ଓଷାତୀମାନଙ୍କୁ ଯେ ଏପରି କଥା କହିଲା, ତା’ ପରି ଅବିଶ୍ୱାସୀକୁ ସେ ପ୍ରକୃତ ଶାସ୍ତି ଦେବାକୁ ଠିକ୍‍ କଲେ ।

 

ଜମ୍ୱୁବତୀ ଗାଧୋଇବାକୁ ଆସିବା ସମୟରେ ତା’ର କୁନି ପୁଅଟିକୁ ଘରେ ଶୁଆଇ ଦେଇ ଆସିଥିଲା । ବୃନ୍ଦାବତୀ କୋପ କଲେ । ସେ ସଙ୍ଗେ ସଙ୍ଗେ କାଳ ସର୍ପକୁ ତା’ ଘରକୁ ପଠାଇଲେ । କାଳସର୍ପ ରାଗରେ ଫଣା ଟେକି ଫାଇଁ ଫାଇଁ ହେଉଥାଏ । ଆଦେଶ ପାଇବା ମାତ୍ରେ ଆଖି ପିଛୁଳାକେ ତା’ ଘରେ ଯାଇ ପହଞ୍ଚିଲା । ଇସ୍‍, କି ଭୟଙ୍କର ରୂପ ! ତାକୁ ଦେଖିଲେ କିଏ ନ ଡରିବ ? ଯାହାକୁ ସେ ଚୋଟେ ଦେଇଛି ସେ ଆଉ ବଞ୍ଚିବା ଅସମ୍ଭବ ।

 

କାଳସର୍ପ ଜମ୍ୱୁବତୀର ଘରେ ପହଞ୍ଚିଲା ବେଳକୁ ଘରେ କେହି ନ ଥାନ୍ତି । ପିଲାଟି ନିଘୋଡ଼ ନିଦରେ ଶୋଇପଡ଼ିଥାଏ । ସେ ସଙ୍ଗେ ସଙ୍ଗେ ତାକୁ ଚୋଟେ ପକାଇ ଦେଇ ପଳାଇଗଲା-

 

ଜମ୍ୱୁବତୀ ଗାଧୋଇ ସାରି ଘରକୁ ଫେରିଲା । ଦେଖିଲା, ତା’ ପିଲାଟି ଶୋଇଛି । ସେ ଲୁଗା ବଦଳାଇ ପିଲାଟିକୁ କ୍ଷୀର ଖୁଆଇବା ପାଇଁ ତାକୁ ଶେଯରୁ ଉଠାଇ କୋଳ କଲା ।

 

ଏଁ.....ଏ କଣ ହେଲା ? ପିଲାର ଦେହ ସାରା ହେମ କାକର । ହଲଚଲ କିଛି ନାହିଁ । ପାଟିରୁ ଲାଳ ଚେପ ଓ ଗରଳ ବାହାରୁଛି । ନିଃଶ୍ୱାସ ଯିବା ଆସିବା କରୁନାହିଁ । ଜମ୍ୱୁବତୀ ଆକୁଳ ହୋଇ କାନ୍ଦି ଉଠିଲା । ତା’ ବୁକୁ ଫଟା କାନ୍ଦ ଶୁଣି ଗାଁର ସବୁ ସ୍ତ୍ରୀଲୋକମାନେ ଜମା ହୋଇଗଲେ । ନିଜ କର୍ମକୁ ବାହୁନି ବାହୁନି ସେ କାନ୍ଦୁଥାଏ । କେଉଁ ଜନ୍ମରେ କି ପାପ କରିଥିଲା ଯେ ଆଜି ତାହାର ଫଳ ଭୋଗୁଛି ।

 

କିଛି ସମୟ ପରେ ମହେଶ୍ୱର କାମରୁ ଘରକୁ ଫେରିଆସିଲା । ଦେଖିଲା ବେଳକୁ ପୁଅ ମରିକରି ଶୋଇଛି । ସ୍ତ୍ରୀ ବସି କାନ୍ଦୁଛି । କି ଦୁର୍ଭାଗ୍ୟ ତା’ର । ଗୋଟିଏ ବୋଲି ପିଲା ଥିଲା ଯେ ସେ ମଧ୍ୟ ଶେଷରେ ମଲା ।

 

ସ୍ୱାମୀ ସ୍ତ୍ରୀ ଦୁହେଁଯାକ ମନଦୁଃଖରେ କାନ୍ଦୁଛନ୍ତି, ଏପରି ସମୟରେ ବୃନ୍ଦାବତୀ ମାୟା କଲେ । ସେ ଗୋଟିଏ ବୁଢ଼ୀ ରୂପ ଧରି ତା’ ଘରେ ଆସି ପହଞ୍ଚିଲେ । ଜମ୍ୱୁବତୀ ନିଜର ଦୁଃଖ କାହାଣୀ ବୁଢ଼ୀ ଆଗରେ କହିଲା । କେତେ ଦିଅଁ ଦେବତାଙ୍କୁ ପୂଜା ମନାସିଲା । ତା’ ପୁଅ ବଞ୍ଚିଗଲେ ସେ ନିଶ୍ଚୟ ବାର ଓଷା ତେର ବ୍ରତ ପାଳନ କରିବ ବୋଲି ସ୍ଥିରକଲା ।

 

ବୁଢ଼ୀ କହିଲେ, ‘‘ଜମ୍ୱୁବତୀ, ତୁ ମା’ ବୃନ୍ଦାବତୀଙ୍କୁ ଅପମାନ ଦେଲୁ । ଛୋଟ ଝିଅମାନେ ପୂଜା କରୁଥିବା ସମୟରେ ତୁ ସେମାନଙ୍କୁ ପରିହାସ କଲୁ; ସେଥିପାଇଁ ବୃନ୍ଦାବତୀ କୋପ କଲେ । ତୋ ପୁଅକୁ କାଳସର୍ପ ଦଂଶନ କରିଛି । ତୁମେ ସ୍ୱାମୀ ସ୍ତ୍ରୀ ଉଭୟେ ପରମ ଭକ୍ତିରେ ବୃନ୍ଦାବତୀଙ୍କର ପୂଜା କର । ସେ ତୁମ ଉପରେ ସନ୍ତୁଷ୍ଟ ହେଲେ ତୁମ ପୁଅ ତା’ ଜୀବନ ଫେରିପାଇବ ।’’ ଏହା କହି ସେ ଅଦୃଶ୍ୟ ହୋଇଗଲେ ।

 

ସେମାନେ ବୁଝିଲେ, ଏହା ନିଶ୍ଚୟ ମା’ ବୃନ୍ଦାବତୀଙ୍କର ମାୟା । ମହେଶ୍ୱର ଓ ଜମ୍ୱୁବତୀ ଉଭୟେ ନିଷ୍ଠାର ସହ ଜହ୍ନିଓଷା ପାଳନ କଲେ । ବୃନ୍ଦାବତୀ ଏ ଦୁହିଁଙ୍କର ଅଟଳ ଭକ୍ତି ଦେଖି ସନ୍ତୁଷ୍ଟ ହେଲେ । ପୂଜା ଶେଷରେ କୁନି ପୁଅଟି ଖିଲି ଖିଲି ହୋଇ ହସିଉଠିଲା । ସତେ ଯେପରି କଳାହାଣ୍ଡିଆ ମେଘ ତଳୁ ଚାନ୍ଦ ହସି ଉଠୁଛି । ଏତେବେଳେ ସେମାଙ୍କର ଆନନ୍ଦ ଦେଖେ କିଏ ? ବୃନ୍ଦାବତୀଙ୍କର ଏହିପରି ଅଶେଷ କୀର୍ତ୍ତି । ଯେ ବିଶ୍ୱାସ ରଖି ପୂଜା କରେ ତା’ର ମନକାମନା ପୂର୍ଣ୍ଣହୁଏ ।

 

ଆମ ଦେଶର ଝିଅମାନେ ଜହ୍ନିଓଷା ବିଶେଷ ଭାବରେ ପାଳନ କରନ୍ତି । ଚଉରା ମୂଳରେ ଘିଅ ଦୀପ, ଫଳ ମୂଳ, କାକରା ପ୍ରଭୃତି ଦେଇ ପୂଜା କରାଯାଏ । ଓଡ଼ିଶା ଝିଅମାନଙ୍କର ଏହା ପ୍ରଧାନ ପର୍ବ । ପୂଜାବେଳେ ହୁଳହୁଳି ଶବ୍ଦରେ ଗାଁ ଦାଣ୍ଡ ଉଛୁଳି ଉଠେ । ସବୁ ଝିଅ ସ୍ୱର ମିଳାଇ ଏକ କଣ୍ଠରେ ଗାଇ ଉଠନ୍ତି,

 

‘‘ଜହ୍ନି ଫୁଲ ଆଞ୍ଜୁଳି ଆଞ୍ଜୁଳି,

ନିତି ଢାଳେ ତିନି ଆଞ୍ଜୁଳି;

ମୋ ମନ କଥା ପୂରଣ ହେଉ,

ମା’ ବୃନ୍ଦାବତୀ ପୂଜା ପାଉ ।’’

★★★

 

କୋଜାଗରୀ ବା କୁମାରପୂର୍ଣ୍ଣିମା

 

ମଗଧ ବୋଲି ଗୋଟିଏ ଦେଶ ଅଛି । ସେଠାରେ ବଳିତ ନାମରେ ଜଣେ ଦରିଦ୍ର ବ୍ରାହ୍ମଣ ଥିଲେ । ସେ ବଡ଼ ନିଷ୍ଠାବାନ । ଧର୍ମଚର୍ଚ୍ଚାରେ ଅଧିକାଂଶ ସମୟ ଖର୍ଚ୍ଚ କରୁଥିଲେ । ତାଙ୍କର ସ୍ତ୍ରୀଙ୍କର ନାମ ଚଣ୍ଡିନୀ । ନାମ ଅନୁସାରେ ମଧ୍ୟ ତାଙ୍କର ଗୁଣ । ସେ ବଡ଼ କଳହପ୍ରିୟା । ଅଳଙ୍କାର ପାଇଁ ପ୍ରତିଦିନ ସ୍ୱାମୀଙ୍କ ସହିତ କଳହ କରେ । ସ୍ୱାମୀ ତାକୁ ଯାହା କରିବାକୁ କହନ୍ତି ସେ ତା’ର ବିପରୀତ କାମ କରେ । ଚଣ୍ଡିନୀ ପ୍ରତିଜ୍ଞା କରିଥାଏ ଯେ, ଯେ ପର୍ଯ୍ୟନ୍ତ ସେ ଧନଲାଭ ନ କରିଛି, ସେ ପର୍ଯ୍ୟନ୍ତ ଏହିପର ବିପରୀତ କାମ କରିବ ।

 

ବ୍ରାହ୍ମଣ ବିଚରା କରିବେ କ’ଣ ? ଧନ ବା କେଉଁଠାରୁ ମିଳିବ ? ସ୍ତ୍ରୀକୁ ସନ୍ତୁଷ୍ଟ କରିବାର କୌଣସି ଉପାୟ ସେ ପାଇଲେ ନାହିଁ । ମନ କଷ୍ଟରେ ସମୟ କଟାଇବାରେ ଲାଗିଲେ ।

 

ଦିନେ ସକାଳେ ବ୍ରାହ୍ମଣ ସ୍ତ୍ରୀକୁ ଡାକିଲେ । ସେଦିନ ତାଙ୍କ ପିତାଙ୍କର ଶ୍ରାଦ୍ଧଦିନ । ସେ କହିଲେ, ‘‘ଆଜି ଆମ ବାପାଙ୍କର ଶ୍ରାଦ୍ଧଦିନ । ସେ ବଞ୍ଚିଥିବା ସମୟରେ ଆମମାନଙ୍କ ପାଇଁ କିଛି ରଖିଯାଇ ନାହାନ୍ତି । ତେଣୁ ତାଙ୍କର ଶ୍ରାଦ୍ଧକାମ କରାଯିବ ନାହିଁ କିମ୍ୱା ବ୍ରାହ୍ମଣମାନଙ୍କୁ ନିମନ୍ତ୍ରଣକରି ଖାଇବାକୁ ଦିଆଯିବ ନାହିଁ ।’’ ଚଣ୍ଡିନୀ ସର୍ବଦା ସ୍ୱାମୀଙ୍କ କାମର ବିପରୀତ ଆଚରଣ କରନ୍ତି । ତେଣୁ ସ୍ୱାମୀଙ୍କ କଥା ନମାନି ଭଲରୂପେ ଶ୍ରାଦ୍ଧ ପୂଜା ଆଦି ଶେଷକଲା । ବ୍ରାହ୍ମଣମାନଙ୍କୁ ଡାକି ମନଇଚ୍ଛା ଖାଇବାକୁ ଦେଲା । ନିଜ ମନକଥା କାମରେ ପରିଣତ ହେବାରୁ ବ୍ରାହ୍ମଣ ଖୁସିରେ କଥା କହିବାର ଢଙ୍ଗ ହଠାତ୍‍ ଭୁଲିଗଲେ ।

 

ପିତାଙ୍କପାଇଁ ଯେଉଁପିଣ୍ଡ ବଢ଼ାଯାଇଥିଲା ତାହା ନଦୀରେ ପକାଇବାର କଥା । ସେ ପୋଖରୀରେ ପକାଇବାକୁ କହିଥିଲେ ଚଣ୍ଡିନୀ ତାହା ନଦୀରେ ପକାଇ ଥାନ୍ତା । କିନ୍ତୁ ଭୁଲରେ ସେ ନଦୀରେ ପକାଇବାକୁ ତାକୁ କହିଲେ । ବ୍ରାହ୍ମଣୀ ପିଣ୍ଡସବୁ ଗୋଟାଇ ନେଇ ଗୋଟିଏ ପଙ୍କ କାଦୁଅ ପୋଖରୀରେ ପକାଇ ଦେଲା । ଏହାଦେଖି ବ୍ରାହ୍ମଣଙ୍କର ଦେହ ସହିଲା ନାହିଁ । ତାଙ୍କ ନିଜ ଜୀବନ ଉପରୁ ସ୍ନେହ କମିଗଲା । ସେ ପ୍ରତିଜ୍ଞା କଲେ, ଯେ ପର୍ଯ୍ୟନ୍ତ ଲକ୍ଷ୍ମୀଙ୍କଠାରୁ ଧନ ପାଇ ନାହାନ୍ତି ସେ ପର୍ଯ୍ୟନ୍ତ ସେ ଘରକୁ ଫେରିବେ ନାହିଁ । ଏହା ଠିକ୍‍କରି ଖିଆପିଆ ଭୁଲି ବଣସାରା ବୁଲିବୁଲି ମହାଲକ୍ଷ୍ମୀଙ୍କୁ ଖୋଜିବାକୁ ଲାଗିଲେ ।

 

ସେଦିନ ଆଶ୍ୱିନ ପୂର୍ଣ୍ଣିମା । ବ୍ରାହ୍ମଣ ବଣଜଙ୍ଗଲ ଖୋଜି ଖୋଜି ଆସି ଶେଷରେ ଗୋଟିଏ ନଦୀ କୂଳରେ ଆଶ୍ରୟ ନେଲେ । ସୂର୍ଯ୍ୟ ବୁଡ଼ି ଗଲେଣି; ପୁନିଅଁ ଚାନ୍ଦ ଜୋଛନାର ପାଟପତନୀ ପିନ୍ଧି ପୂର୍ବ ଆକାଶର ମେଘ କୋଳରେ ମୁରୁକିହସା ଦେଲାଣି । ଠିକ୍‍ ଏତିକିବେଳେ ତିନିଜଣ ଦେବକନ୍ୟା ଆସି ନଦୀଜଳରେ ଗୋଧୋଇ ସାରି ଲକ୍ଷ୍ମୀପୂଜା ଆରମ୍ଭ କଲେ । ତତ୍‍ପରେ ସେମାନେ ପଶା ଖେଳିବା ପାଇଁ ବାହାରିଲେ । ତିନି ଜଣରେ କିପରି ପଶାଖେଳ ହେବ ? ଏଥିପାଇଁ ଆଉ ଜଣେ ଖୋଜାପଡ଼ିଲା । ଠିକ୍‍ ଏହି ସମୟରେ ସେମାନେ ବ୍ରାହ୍ମଣଙ୍କୁ ଦେଖି ଭାରି ଖୁସି ହୋଇଗଲେ ଓ ସେମାନଙ୍କ ସହିତ ପଶା ଖେଳିବାକୁ ଅନୁରୋଧ କଲେ । ବ୍ରହ୍ମଣ ନିଜର ଦୁଃଖକଥା କହିସାରି ମନ ଖରାପ ଯୋଗୁଁ ଖେଳିବାକୁ ରାଜି ହେଲେ ନାହିଁ । ଦେବକନ୍ୟାମାନେ କହିଲେ ‘‘ବ୍ରାହ୍ମଣ, ଆଜି କୋଜାଗରୀ ପୂର୍ଣ୍ଣିମା, ଆଜି ରାତିସାରା ଯେଉଁମାନେ ଚେତା ରହି ପଶା ଖେଳନ୍ତି ଲକ୍ଷ୍ମୀ ସେମାନଙ୍କ ଉପରେ ପ୍ରସନ୍ନ ହୁଅନ୍ତି । ଆଜି ଛଡ଼ା ଅନ୍ୟ ଦିନମାନଙ୍କରେ ପଶା ଖେଳିବା ଉଚିତ ନୁହେଁ ।’’

 

ଚାରିଜଣଙ୍କ ମଧ୍ୟରେ ଖେଳ ଆରମ୍ଭ ହେଲା । ବ୍ରାହ୍ମଣ ଖେଳରେ ପଣ କରି ପ୍ରଥମେ ନିଜର ଉତ୍ତରୀ, ଦ୍ୱିତୀୟରେ ପଇତା, ତୃତୀୟରେ ନିଜ କୌପୁନି ହରାଇଲେ । ତଥାପି ସେ ଖେଳରେ ଲାଗିଥାନ୍ତି । ଏହି ସମୟରେ ମହାଲକ୍ଷ୍ମୀ ପଶା ଖେଳୁଥିବା ଲୋକମାନଙ୍କୁ ଦେଖିବା ପାଇଁ ପୃଥିବୀକୁ ଆସିଲେ ।

 

ବ୍ରାହ୍ମଣ ସବୁ ହରାଇଥିବାର ଦେଖି ଲକ୍ଷ୍ମୀଙ୍କର ତାଙ୍କ ଉପରେ ଦୟା ହେଲା । ସେ ବ୍ରାହ୍ମଣଙ୍କୁ ଧନସମ୍ପତ୍ତି ଦେଲେ ଏବଂ କହିଲେ, ‘‘ବ୍ରାହ୍ମଣ, ମୁଁ ତୁମ କାମରେ ସନ୍ତୁଷ୍ଟ । ତୁମେ ଘରକୁ ଫେରିଯାଇ ଆନନ୍ଦରେ ରୁହ ।’’ ବ୍ରାହ୍ମଣ ଘରକୁ ଫେରି ଦେଖିଲେ, ତାଙ୍କ କୁଡ଼ିଆଘର କୋଠାରେ ପରିଣତ ହୋଇଛି । ଚାରିଆଡ଼େ ଧନସମ୍ପତ୍ତି ଭରି ରହିଛି ।

 

ଲକ୍ଷ୍ମୀଙ୍କର ଦୟା ପାଇବା ପାଇଁ ସମସ୍ତେ ଆଶ୍ୱିନ ପୂର୍ଣ୍ଣିମାଦିନ ଲକ୍ଷ୍ମୀପୂଜା କରନ୍ତି । ଏହାର ନାମ କୋଜାଗରୀ ପୂର୍ଣ୍ଣିମା । ଏ ଦିନ କାର୍ତ୍ତିକେୟଙ୍କର ପୂଜା ମଧ୍ୟ ହୁଏ ।

★★★

 

ନାଗଚତୁର୍ଥୀ

 

ଅବନ୍ତୀ ବୋଲି ଗୋଟିଏ ଦେଶ ଥିଲା । ସେଠାରେ ଧନୀ ମହାଜନମାନେ ବାସ କରନ୍ତି-। ଗରିବ ଲୋକ ପ୍ରାୟ କେହି ନଥିଲେ । ଲଖଣ୍ଡି ନାମରେ ସେଠାରେ ଜଣେ ସାଧବ ଥିଲେ-। ସାଧବାଣୀର ନାମ ଧନାଇତ୍ରୀ । ଧନଦଉଲତ କେଉଁଥିରେ ତାଙ୍କର ଊଣା ନଥିଲା । ଘରେ ସୁନାର କଳସ ବସିଥାଏ । ସାତପୁଅ...ସାତ ବୋହୂ । ବୋହୂମାନେ ଏକକୁ ଆରେକ ସୁନ୍ଦରୀ-

 

ସାଧବାଣୀ ବୁଢ଼ୀ ବଡ଼ ଛ’ ବୋହୂଙ୍କୁ ଝିଅପରି ପାଳିଥାଏ । ସେମାନଙ୍କ ହାତରେ କୁଟା ଖଣ୍ଡିକ ଦିଖଣ୍ଡି କରାଏ ନାହିଁ । ତାଙ୍କୁ ସାଙ୍ଗରେ ଖୁଆଏ, ସାଙ୍ଗରେ ଗାଧୋଇ ନିଏ । କିନ୍ତୁ ସାନବୋହୂରୁ ଛାଇ ମାଡ଼େନାହିଁ ।

 

ସାନବୋହୂଟି ନିତି ଦିନ ସକାଳୁ ସଞ୍ଜଯାଏ କାମ କରେ । ପ୍ରତିଦିନ ଭାତ ଖାଇଲାବେଳକୁ ଛାଇ ଲେଉଟିଥାଏ । ଏଥିପାଇଁ ସେ ଆଦୌ ଦୁଃଖ କରେନାହିଁ । ସେ ଭାରି ଚଞ୍ଚଳୀ । ଆଖି ପିଛୁଳାକେ ସେ ସାତକାମ ହାତେଇ ସାରିଥାଏ । ଘରର ସବୁକାମ କରୁଥିଲେ ମଧ୍ୟ ମନ ତା’ର ସଦାସର୍ବଦା ଚଞ୍ଚଳ ଥାଏ ।

 

ଦିନେ ସାଧବାଣୀ ବୋହୂମାନଙ୍କୁ ଧରି ଗାଧୋଇ ଯାଉଥାଏ । ସେ ପାଣିରୁ ସାତଗୋଟି ମାଛ ଧଇଲା । ମାଛଗୁଡ଼ିକ ଆଣି ସାନବୋହୂ ହାତରେ ଦେଲା । ସେ କାମରେ ବ୍ୟସ୍ତ ଥାଏ । ତର ତର ହୋଇ ମାଛଗୁଡ଼ିକ କବାଟର ଏରୁଣ୍ଡିବନ୍ଧ ଉପରେ ରଖିଦେଲା । ରାନ୍ଧିବାକୁ ତା’ର ମନେନାହିଁ । ବୁଢ଼ୀ ମଧ୍ୟ ଭୁଲିଗଲା । ମାଛ ସେଇଠାରେ ଥାଏ । ଚାରି ପାଞ୍ଚଦିନ ପରେ ତା’ର ମନେପଡ଼ିଲା । ସେ ସାନବୋହୂ ଉପରେ ବିରକ୍ତ ହେଲା । ତାକୁ କହିଲା, ‘‘ତୁ ସବୁ ଖାଇଛୁ ।’’

 

ସାନବୋହୂ ଏରୁଣ୍ଡି ଉପରୁ ମାଛତକ ଆଣି ଦେଖେ ତ ସେଗୁଡ଼ିକ ସାପ ପାଲଟି ଯାଇଛନ୍ତି । ସାନବୋହୂ ଚମକି ପଡ଼ି ସେମାନଙ୍କୁ ଛାଡ଼ିଦେଲା । ସେଗୁଡ଼ିକ ସାଲୁବାଲୁ ହୋଇ ଯାଇ ରୋଷେଇ ଘର କୋଣରେ ରହିଲେ ।

 

ସାନବୋହୂ ପ୍ରତିଦିନ ସାପ ପିଲାମାନଙ୍କୁ ଦୁଧଭାତ ଖାଇବାକୁ ଦିଏ । ଦିନକୁ ଦିନ ସେଗୁଡ଼ିକ ବଢ଼ି ବଡ଼ ହେବାରୁ ସେମାନଙ୍କୁ ବାଡ଼ିପଟ ହୁଙ୍କାରେ ସେ ଛାଡ଼ି ଦେଲା । ସାପଛୁଆଗୁଡ଼ିକ ହୁଙ୍କାବାଟ ଦେଇ ତାଙ୍କ ବାପା ମା’ଙ୍କ ପାଖରେ ପହଞ୍ଚିଲେ । ତାଙ୍କ ବାପା ନାଗ ଓ ମା’ ନାଗୁଣୀ ।

 

ଛୁଆମାନେ ଯାଇ ସମସ୍ତ ଘଟଣା ବାପା ମା’ଙ୍କୁ କହିଲେ । ସାଧବାଣୀ ବୁଢ଼ୀ କିପରି ତାଙ୍କୁ ମାରିବାକୁ ବସିଥିଲା, ସାନବୋହୂ ଦୁଧଭାତ ଦେଇ କିପରି ତାଙ୍କୁ ବଞ୍ଚାଇଲା ଏସବୁ କଥା ଗୋଟି ଗୋଟି କରି ସେମାନେ କହିଲେ ଏବଂ ଶେଷରେ କହିଲେ, ‘‘ଆମେ ତାକୁ ଆମର ଭଉଣୀ କରିଛୁଁ ।’’

 

ନାଗନାଗୁଣୀ ପାତାଳ ପୁରର ରାଜା ଓ ରାଣୀ । ଦିନେ ସାପ ସାତ ଭାଇ କହିଲେ, ‘‘ଆମେ ଆମ ଭଉଣୀକୁ ଦେଖିବାକୁ ଯିବୁଁ ।’’ ତା’ପରେ କେତେ ଭାରଥୋର ବନ୍ଦୋବସ୍ତ କଲେ । ବାଜା ବଜାଇ ସାପ ସାତ ଭାଇ ଯାଇ ସାଧବ ଘରେ ପହଞ୍ଚିଲେ । ଏମାନେ ସାନବୋହୂର ଭାଇ ବୋଲି ସାଧବ ବୁଢ଼ାକୁ ପରିଚୟ ଦେବାରୁ ସାଧବବୁଢ଼ା ଓ ତା’ର ପୁଅମାନେ ଏମାନଙ୍କୁ ଘର ଭିତରକୁ ନେଇ ଗଲେ । ଭାରଥୋଇ ସବୁ ଭିତରକୁ ଅଣାଗଲା । ଏତେବେଳେ ସାନବୋହୂର ପାଦ ଆଉ ତଳେ ଲାଗୁନାହିଁ । ଆନନ୍ଦରେ ସେ ଆଜି ବିଭୋର । ସେଠାରେ କିଛିଦିନ ରହିବା ପରେ ସାପ ଭାଇମାନେ ଭଉଣୀକୁ କେତେଦିନ ପାଇଁ ନିଜ ଘରକୁ ନେଇଯିବାକୁ ସାଧବ ବୁଢ଼ାକୁ କହିଲେ-। ବୁଢ଼ା କାହିଁକି ବା ମନା କରନ୍ତା ? ସେମାନେ ଭଉଣୀକୁ ପାଲିଙ୍କିରେ ବସାଇ ଘରକୁ ନେଇଗଲେ-

 

ଘରେ ନାଗୁଣୀ ପିଲାମାନଙ୍କର ଆସିବା ବାଟକୁ ଚାହିଁକରି ବସିଥାଏ । ଏମାନେ ସନ୍ଧ୍ୟାବେଳେ ଘରେ ପହଞ୍ଚିଲେ । ନାଗୁଣୀ ଝିଅକୁ ଘରକୁ ନେଇଗଲା । କେଉଁ ଦରବ ଅବା ତା’ଠାରେ ଅଭାବ ? ସାଧବ ବୋହୂ ମହା ଆନନ୍ଦରେ ସେଠାରେ ଅନେକ ଦିନ ରହିଗଲା । ଏପରିକି ନିଜର ଶାଶୁଘର କଥା ମଧ୍ୟ ଭୁଲିଗଲା । ସାଧବ ବୋହୂ ନାଗୁଣୀର ସବୁ ଘର ଭିତରକୁ ଯାଏ; କିନ୍ତୁ ଦେଖେ, ଗୋଟିଏ ଘର ସବୁବେଳେ ବନ୍ଦ ଅଛି । ଦିନେ ସେ ଲୁଚିକରି ଯାଇ ସେ ଘରଟି ଖୋଲିଦେଲା । ଦେଖିଲା ବେଳକୁ ତମ୍ପ, ଗୋଖର, ଅହିରାଜ ପ୍ରଭୃତି କେତେ ପ୍ରକାର ବିଷାକ୍ତ ସାପ ତା’ ମଧ୍ୟରେ ଖେଳୁଛନ୍ତି । ମଣିଷ ଦେଖିଲାକ୍ଷଣି ସାପମାନେ ଫଁ ଫଁ କରି ଗର୍ଜନ କରି ଉଠିଲେ । ସାନବୋହୂ କବାଟ ବନ୍ଦ କରି ଦେଇ ମନ ମାରି ବସିଥାଏ ।

 

କିଛି ସମୟପରେ ନାଗୁଣୀ ଆସି ଝିଅର ଶୁଖିଲା ମୁହଁ ଦେଖି ଦୁଃଖର କାରଣ ପଚାରିଲା । ସାଧବ ବୋହୂ କହିଲା, ‘‘ମା’, ତୁମେ କାହିଁକି ଏପରି ବିଷାକ୍ତ ସାପଗୁଡ଼ାଏ ପାଖରେ ରଖିଛ ?’’ ନାଗୁଣୀ କହିଲା, ‘‘ଝିଅ, ଏ ସଂସାରରେ ଯେଉଁମାନେ ଅନ୍ୟାୟ ଅନୀତି ଓ ପାପାକାମ ପ୍ରଭୃତି କରନ୍ତି ଏମାନେ ଯାଇ ତାଙ୍କୁ କାମୁଡ଼ନ୍ତି । ଯେଉଁମାନେ ଏମାନଙ୍କୁ ପୂଜା କରନ୍ତି ସେମାନେ ବର ପାଆନ୍ତି । ତାଙ୍କର ମଙ୍ଗଳ ହୁଏ । କାର୍ତ୍ତିକମାସ ଶୁକ୍ଳପକ୍ଷ ଚତୁର୍ଥୀ ଦିନ ଏମାନଙ୍କୁ ପୂଜା କରାଯାଏ । ଏହାକୁ ନାଗପୂଜା ବା ‘‘ନାଗଚତୁର୍ଥୀ’’ କୁହାଯାଏ ।

 

ସାନବୋହୂ ଶାଶୁଘରକୁ ଫେରିଆସି ନାଗପୂଜା ପାଳନ କଲା । ସେହିଦିନଠାରୁ ଆମ ଦେଶରେ ଏହା ଚଳି ଆସୁଅଛି । ଏହାକୁ ‘ନାଗଲ ଚଉଠି’ ମଧ୍ୟ କୁହାଯାଏ ।

★★★

 

ବଡ଼ଓଷା

 

ଆମ ଓଡ଼ିଶାରେ କ୍ରତୁ ବୋଲି ଜଣେ ରାଜା ଥିଲେ । ସେ ବଡ଼ ଦୟାଶୀଳ ଓ ସତ୍ୟପ୍ରିୟ-। ପ୍ରଜାମାନଙ୍କୁ ନିଜ ପୁଅ ପରି ପାଳିଥାନ୍ତି । ସେଥିପାଇଁ ତାଙ୍କୁ ସମସ୍ତେ ସ୍ନେହ ଓ ଭକ୍ତି କରନ୍ତି-। ତାଙ୍କର ସବୁଆଡ଼େ ସୁନାମ । ସେ ଭାରି ଶିକାରପ୍ରିୟ ।

 

ଦିନେ ରାଜା ଶିକାର କରିବାକୁ ବଣକୁ ଯାଇଥିଲେ । ହଠାତ୍‍ ଗୋଟିଏ ବଡ଼ ବାର୍‍ହା ଦେଖି ସେ ତା’ ପଛେ ପଛେ ଗୋଡ଼ାଇଲେ । ବାର୍‍ହା ବଣ ଭିତରେ କେଉଁଆଡ଼େ ଲୁଚିଗଲା । ରାଜା ତା’ ପଛେ ପଛେ ଧାଇଁ ଧାଇଁ ହାଲିଆ ହୋଇଗଲେ । ଟିକିଏ ବିଶ୍ରାମ କରିବା ପାଇଁ ସେ ଗୋଟିଏ ଗଛ ମୂଳରେ ବସିଲେ । ବଣର ଦୃଶ୍ୟ ଦେଖୁଛନ୍ତି, ଏହି ସମୟରେ ହଠାତ୍‍ ଗୋଟିଏ ସୁନ୍ଦର ଦେଉଳ ତାଙ୍କ ଆଖି ଆଗରେ ପଡ଼ିଲା । ବଣ ଭିତରେ ଏଡ଼େ ସୁନ୍ଦର ଦେଉଳ ! ସେ ନିକଟକୁ ଗଲେ । ଦେଖିଲେ, ଦେଉଳରେ ଗୋଟିଏ ସୁନ୍ଦରୀ ବାଳିକା ଠାକୁରଙ୍କୁ ପ୍ରଣାମ କରି କହୁଛି, ‘‘ହେ ଠାକୁର, ତୁମେ ଯଦି ମୋ ମନର ଦୁଃଖ ବୁଝୁଛ, ତାହାହେଲେ ମୋତେ ଏହି ବର ଦିଅ, ମୁଁ ଯେପରି ଉତ୍କଳର ବୀର ରାଜା କ୍ରତୁପତିଙ୍କୁ ବିବାହ କରିପାରିବି ।’’

 

ରାଜା ଏହା ଶୁଣି ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଲେ । ସେହି ଝିଅଟି ସହିତ ଗୁଡ଼ିଏ ଦାସୀ ଆସିଥିଲେ । ସେ କ୍ରତୁପତିଙ୍କର ପରିଚୟ ପାଇ ତାଙ୍କୁ ପ୍ରଣାମ କଲେ । ସେଥିମଧ୍ୟରୁ ଜଣେ ଦାସୀ ଧାଇଁ ଯାଇ ସେହି ଝିଅଟି ପାଖରେ ଖବର ଦେଲା । ସେ ଝିଅଟି ହେଉଛି ନାଗପୁର ରାଜଜେମା ‘ହରିପ୍ରିୟା’ । ରାଜା ଝିଅ ସିନା କ୍ରତୁଙ୍କର କଥା ଆଗରୁ ଶୁଣିଥିଲେ; ବର୍ତ୍ତମାନ ଭାଗ୍ୟବଳରୁ ତାଙ୍କୁ ଦେଖିବାକୁ ପାଇଲେ ।

 

ହରିପ୍ରିୟାଙ୍କର ମନ ଆନନ୍ଦରେ କୁରୁଳି ଉଠିଲା । ସେ ରାଜାଙ୍କୁ ପ୍ରଣାମ କଲେ । ଲାଜରେ ତାଙ୍କୁ ଚାହିଁବାର ଶକ୍ତି ନଥାଏ; ସେ ବିନୀତ ଭାବରେ ଦୂରେଇ ହୋଇ ଯିବାପରେ ଜଣେ ଦାସୀ ଏସବୁ କଥା ରାଜାଙ୍କୁ କହିଲା । କ୍ରତୁପତି ରାଜଜେମାଙ୍କୁ ଦେଖି ଆନନ୍ଦରେ ବିଭୋର ହୋଇଗଲେ । ସେ ହରିପ୍ରିୟାଙ୍କୁ କଥା ଦେଲେ, ମାଘମାସ ଶୁକ୍ଳପକ୍ଷ ପଞ୍ଚମୀ ଦିନ ବିଭାଘର ହେବ-। ସମସ୍ତେ ଆନନ୍ଦରେ ଘରକୁ ଫେରିଆସିଲେ ।

 

ରାଜା ମୃଗୟାରୁ ଫେରିଆସି ମନ୍ତ୍ରୀଙ୍କୁ ଏ ସମସ୍ତ ଘଟଣା କହିଲେ । ନାଗପୁରକୁ ଖବର ଦିଆଗଲା । ନାଗପୁର ରାଜା ମଧ୍ୟ ଏ ଖବର ପାଇ ଖୁସି ହେଲେ । ଜାକଯମକରେ ବିଭାଘର ହେଲା । ବିବାହ ଶେଷରେ ଝିଅ ଜ୍ୱାଇଁ ଘରକୁ ଗଲେ ।

 

କ୍ରତୁପତି ହରିପ୍ରିୟାଙ୍କୁ ପାଇ ଏପରି ବିଭୋର ହୋଇପଡ଼ିଥିଲେ ଯେ ସେ ରାଜ୍ୟ କଥା ବିଲ୍‍କୁଲ୍‍ ଭୁଲି ଗଲେ । ମନ୍ତ୍ରୀ ରାଜ୍ୟର ସମସ୍ତ ଖବର ବୁଝିଲେ । ହେଲେ କ’ଣ ହେବ, ରାଜା ନ ଥିଲେ କ’ଣ ରାଜ୍ୟ ଚଳେ ? ଚାରିଆଡ଼େ ଗଣ୍ଡଗୋଳ ମୁଣ୍ଡ ଟେକିଲା; ପ୍ରଜାମାନେ ଦୁଃଖ କଷ୍ଟରେ କାଳ କଟାଇଲେ । ରାଜ୍ୟ ସାରା ଅରାଜକତା ସୃଷ୍ଟି ହେଲା । ତଥାପି ରାଜା ରାଜ୍ୟର କୌଣସି ଖବର ବୁଝିଲେ ନାହିଁ । ଶେଷରେ ଅନ୍ୟ ରାଜାମାନେ ତାଙ୍କ ରାଜ୍ୟ ଦଖଲ କଲେ । ରାଜା ରାଣୀଙ୍କ ସହିତ ବଣକୁ ପଳାଇଗଲେ ।

 

ଯେଉଁ ରାଜା ନଅର ଭିତରେ ମହା ଆନନ୍ଦରେ କାଳ କଟାଉଥିଲେ ସେ ଆଜି ବନବାସୀ । ପତର କୁଡ଼ିଆ ତାଙ୍କର ଘର । ତଥାପି ମନରେ ତାଙ୍କର ଦୁଃଖ ନାହିଁ । ରାଣୀ ମଧ୍ୟ ରାଜାଙ୍କର ସେବା କରି ମହା ଆନନ୍ଦରେ ଥାଆନ୍ତି ।

 

ଦିନେ ରାଜା ଏକାକୀ ଗୋଟିଏ ମାଳତୀ କୁଞ୍ଜ ତଳେ ବସିଛନ୍ତି, ଏହି ସମୟରେ ଜଣେ ବାବାଜି ଗୋଟିଏ ସୁନ୍ଦର କେତକୀ ଫୁଲ ନେଇ ସେହି ବାଟେ ଗଲେ । କେତକୀ ଫୁଲ ଦେଖି ରାଜାଙ୍କର ମନ ଥୟ ଧରିଲା ନାହିଁ । ଧାଇଁଯାଇ ସେ ବାବାଜିଙ୍କୁ ଫୁଲଟି ମାଗିଲେ । ବାବାଜି କହିଲେ, ‘‘ମୁଁ ଏ ଫୁଲଟି ନେଉଛି ମହାଦେବଙ୍କୁ ପୂଜା କରିବି ବୋଲି । ତୁମେ ନେଇ କ’ଣ କରିବ ? ତା’ଠାରୁ ଆଉ କୌଣସି ଭଲ କାମରେ ଫୁଲଟି ଲଗାଇ ପାରିବ କି ?’’

 

ରାଜା କିଛି ଶୁଣିଲେ ନାହିଁ; ବରଂ ଜୋର୍‍ କରି ତାଙ୍କ ହାତରୁ ଫୁଲଟି ଛଡ଼ାଇ ଆଣିଲେ । ଏଥିରେ ବାବାଜିଙ୍କ ମନରେ ଖୁବ୍‍ ରାଗ ଆସିଲା । ସେ ଅଭିଶାପ ଦେଲେ, ‘‘ତୋ ଦେହରେ କୁଷ୍ଠ ବ୍ୟାଧି ହେଉ ।’’ ରାଜା ସେ କଥାକୁ ଖାତିରି ନ କରି ଫୁଲଟି ଧରି ହସି ହସି ଚାଲିଗଲେ ଓ ରାଣୀଙ୍କ ଗଭାରେ ଖୋସିଦେଲେ ।

 

ଏ କ’ଣ ? ଦୁଇଦିନ ପରେ ରାଜାଙ୍କର ହାତ, ଗୋଡ଼, ମୁହଁ ଫୁଲି ଉଠିଲା କାହିଁକି ? ଚାହୁଁ ଚାହୁଁ ଦିନ କେତେଟା ମଧ୍ୟରେ ରାଜାଙ୍କ ଦେହରେ କୁଷ୍ଠ ବ୍ୟାଧି ଫୁଟି ଉଠିଲା । ଆଙ୍ଗୁଳି ସବୁ ପଚି ଯାଇ ଛିଣ୍ଡିଗଲା । କେଡ଼େ ସୁନ୍ଦର ଦେହ ନାରଖାର ହୋଇଗଲା । ଦେହସାରା ଖଣ୍ଡିଆ, ଘା’ ଘାଉଡ଼, ପୂଜ ପୁଟୁପୁଟୁ । ରାଣୀ ନିର୍ବିକାରରେ ତାଙ୍କର ସେବା କରୁଥାନ୍ତି । ବରଣୁ ଫଳମୂଳ ସଂଗ୍ରହ କରି ଆଣି ତାଙ୍କୁ ଖାଇବାକୁ ଦିଅନ୍ତି । ଦୁଃଖରେ ତାଙ୍କର ଛାତି ଫାଟି ପଡ଼ୁଥାଏ ।

 

ରାଜା ମହାଦେବଙ୍କ ଭକ୍ତ ବାବାଜିଠାରୁ ଫୁଲଟି ଛଡ଼ାଇ ଆଣି ରାଣୀଙ୍କ ଗଭାରେ ଖୋସି ଦେଇଥିବାରୁ ମହାଦେବ ମଧ୍ୟ ତାଙ୍କ ଉପରେ ଭୀଷଣ ରାଗ ହୋଇଥିଲେ । ପାର୍ବତୀ ତାଙ୍କୁ ଅଟକାଇ ଦେଇ ନ ଥିଲେ ସେ ବୋଧହୁଏ ରାଜାଙ୍କୁ ମାରି ଦେଇଥାନ୍ତେ । ହରିପ୍ରିୟା ପାର୍ବତୀଙ୍କୁ ପୂଜା କରି କ୍ରତୁପତିଙ୍କୁ ସ୍ୱାମୀରୂପେ ପାଇଥିଲେ । ମହାଦେବ ଯଦି ତାଙ୍କୁ ମାରିଦେଇଥାନ୍ତେ, ତାହାହେଲେ ପାର୍ବତୀଙ୍କର ବରର ମୂଲ୍ୟ କ’ଣ ରହିଥାନ୍ତା ?

 

ଦିନେ ହରିପ୍ରିୟା ନିରାଶ ହୋଇ ବଣ ମଧ୍ୟରେ କାନ୍ଦୁଛନ୍ତି, ଏହି ସମୟରେ ସେ ଜଣେ ବାବାଜିଙ୍କୁ ଦେଖିଲେ । ରାଣୀ ବାବାଜିଙ୍କ ପାଦତଳେ ପଡ଼ି ସବୁ ଦୁଃଖ ଜଣାଇଲେ ।

 

ବାବାଜିଙ୍କର ଦୟା ହେଲା । ସେ ରାଣୀଙ୍କୁ କହିଲେ, ‘‘ବଡ଼ଓଷା କର; ତେବେ ତୁମ ସ୍ୱାମୀ ଆରୋଗ୍ୟ ହେବେ । ଓଡ଼ିଶାର ମହାନଦୀ ଭିତରେ ଯେଉଁ ମହାଦେବ ଅଛନ୍ତି ତାଙ୍କ ନାମ ଧବଳେଶ୍ୱର । ତୁମେ ତାଙ୍କୁ ପୂଜାକଲେ ସବୁ ଦୁଃଖ ଦୂର ହେବ । ଆଷାଢ଼ ଶୁକ୍ଳପକ୍ଷ ଚତୁର୍ବ୍ଦଶୀ ଦିନ ମହାଦେବଙ୍କୁ ପୂଜା କରିବା ପାଇଁ ମନରେ ଠିକ୍ କରି‍ ଉପବାସ ରହି ପୂଜା କରିବ । ତା’ପରେ ପ୍ରତି ସୋମବାର ଦିନ ବ୍ରତ ପାଳନ କରି ମହାଦେବଙ୍କୁ ପୂଜା କରିବ । କାର୍ତ୍ତିକ ମାସ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ଦିନ ଧବଳେଶ୍ୱରଙ୍କର ପୂଜା ଶେଷ କରିବ ।’’

 

ରାଣୀ ତାହା ଅକ୍ଷରେ ଅକ୍ଷରେ ପାଳନ କଲେ । କ୍ରତୁପତିଙ୍କ ଦେହରୁ କୁଷ୍ଠରୋଗ ଦୂର ହେଲା । ଶତ୍ରୁମାନଙ୍କ ହାତରୁ ରାଜ୍ୟ ଫେରି ପାଇଲେ । କିଛିଦିନ ପରେ ହରିପ୍ରିୟାଙ୍କ ଗର୍ଭରୁ ଗୋଟିଏ ସୁନ୍ଦର ପୁତ୍ର ଜାତ ହେଲା ।

 

ପୁଅ ଆସ୍ତେ ଆସ୍ତେ ବଡ଼ ହେଲା । ସେ ଯେତେବେଳେ ରାଜ୍ୟ ରକ୍ଷା କରିବାକୁ ସମର୍ଥ ହେଲା ସେତେବେଳେ ରାଜା ରାଜ୍ୟ ଛାଡ଼ି କୈଳାସ ପର୍ବତକୁ ଯାଇ ମହାଦେବଙ୍କୁ ପୂଜାକଲେ ।

 

ରାଣୀ ଓ ରାଜା ଧବଳେଶ୍ୱରଙ୍କୁ ପୂଜା କରିବାରୁ ରାଜାଙ୍କର କୁଷ୍ଠରୋଗ ଭଲ ହେଲା ଓ ଏତେ ସୌଭାଗ୍ୟରେ ସେମାନେ କାଳ କାଟିଲେ । ଆମ ଦେଶର ପୁରୁଷ ଓ ସ୍ତ୍ରୀଲୋକମାନେ ସେଥିପାଇଁ ଧବଳେଶ୍ୱରଙ୍କ ଓଷା ପାଳି ଆସୁଛନ୍ତି । ଏହାକୁ ‘‘ବଡ଼ଓଷା’’ କୁହାଯାଏ ।

★★★

 

ଧାନମାଣିକା

 

ମାର୍ଗଶିର ମାସ । ସେ ଦିନ ଗୁରୁବାର । ମହାଲକ୍ଷ୍ମୀ ଦାଣ୍ଡରେ ବିଜେ କରିଛନ୍ତି । ସବୁରି ଘରେ ପାଦ ଦେଇ ଆସିବେ । ତାଙ୍କ ପାଦ ପଡ଼ିଲେ ଧନରତ୍ନରେ ଘରଦ୍ୱାର ପୂରିଯିବ । ଲକ୍ଷ୍ମୀ ବିଜେ କରିବେ ବୋଲି ସବୁରି ଘରେ ଝିଅ ବୋହୂମାନେ ସକାଳୁ ଗାଧୋଇ ପାଧୋଇ ଭଲ ଲୁଗା ପିନ୍ଧି ତାଙ୍କ ପୂଜା କରିବାକୁ ବସିଛନ୍ତି । ସବୁଆଡ଼େ ହୁଳହୁଳି ଶବ୍ଦ । ଲକ୍ଷ୍ମୀ ଠାକୁରାଣୀ କାହାରିକୁ ଦେଖା ଦିଅନ୍ତି ନାହିଁ । ଯାହା ଉପରେ ତାଙ୍କର ଦୟା ହୁଏ, ସେଠି ଲୁଚି ଲୁଚି ପାଦ ପକାଇ ଆସନ୍ତି । ଯେ ଗର୍ବ କରେ, ଧନ ବଳରେ ଅନ୍ୟ ଲୋକକୁ ଘୃଣା କରେ, ଧନସମ୍ପତ୍ତିକୁ ଖାତିରି କରେ ନାହିଁ, ଲକ୍ଷ୍ମୀ ଠାକୁରାଣୀ ତା’ ଉପରେ କୋପ କରନ୍ତି । ତା’ର ସର୍ବନାଶ ହୁଏ ।

 

ଥରେ ଏହିପରି ମାର୍ଗଶିର ମାସର ଏକ ଗୁରୁବାର ଦିନ ଲକ୍ଷ୍ମୀ ଠାକୁରାଣୀ ବୁଲୁ ବୁଲୁ ଜଣେ ବଡ଼ ସାଧବ ଘରେ ପହଞ୍ଚିଲେ । ଘରଦ୍ୱାର ହୀରା, ନୀଳା, ମୋତି, ମାଣିକ୍ୟରେ ଝଟକୁଛି । ଧାଡ଼ି ଧାଡ଼ି ଧାନ ଅମାର । ହାତୀ ଶାଳ, ଘୋଡ଼ା ଶାଳ, ମଇଁଷି ଗୋଠ, ଗାଈ ଗୁହାଳ ପଛକୁ ପଛ ଲାଗିଛି । ସାଧବ ଘର କିପରି ପୂଜା କରୁଛନ୍ତି ବୋଲି ତାଙ୍କର ମନ ବଳିଲା ଦେଖିବାକୁ । ସେ ଯାଇ ଯାହା ଦେଖିଲେ, ତାଙ୍କର ଛାତି ସହିଲା ନାହିଁ ।

 

ଏଡ଼େ ଗର୍ବ ସାଧବାଣୀର ! ସାଧବାଣୀ ବସି ପିଲା ଧରିଛି । ଦାସୀମାନେ ବସି ଧାନ ସିଝାଉଛନ୍ତି । ହାଣ୍ଡିରେ ଧୋବ ଧାନ ସିଝାଉଛନ୍ତି ଓ ଚୁଲିରେ ଅଗାଡ଼ି ସବୁ ଜାଳୁଛନ୍ତି । ଧାନପରି ପଦାର୍ଥ; ଠିକ୍‍ ଲକ୍ଷ୍ମୀ ଠାକୁରାଣୀଙ୍କ ପରି । ତାକୁ ଫେର ଜାଳ କରାଯାଉଛି ! ମହାଲକ୍ଷ୍ମୀ କୋପ କଲେ । ତାକୁ ଦଣ୍ଡ ଦେବାକୁ ସ୍ଥିର କଲେ । ଦଣ୍ଡ ଦେବା ଆଗରୁ ସେ ସାଧବାଣୀକୁ ତାଗିଦ୍‍ କରିବାକୁ ଠିକ୍‍ କଲେ । ଯଦି ସାଧବାଣୀ ସାବଧାନ ହୋଇଯିବ ତାହାହେଲେ ତାକୁ କ୍ଷମା ଦେବେ ।

 

ଲକ୍ଷ୍ମୀ ଗୋଟିଏ ବୁଢ଼ୀ ରୂପ ଧରିଲେ । ମୁଣ୍ଡରେ ଗୋଟିଏ ବୋଝ ଓ ହାତରେ ଗୋଟିଏ ବାଡ଼ି ଧରି ଠୁକୁ ଠୁକୁ କରି ସାଧବାଣୀ ଘରେ ପହଞ୍ଚିଲେ । ଆଖିରୁ ଲେଞ୍ଜରା, ପୋଚଡ଼ା ବହିଯାଉଥାଏ । ବୁଢ଼ୀଟି ଦେଖିବାକୁ ବଡ଼ ଅପରିଷ୍କାର ।

 

ସାଧବାଣୀ ବୁଢ଼ୀକୁ ଦେଖି ନାକ ଟେକିଲା । ବୁଢ଼ୀ କହିଲା, ‘‘ଆଜି ମଗୁଶିର ମାସ ଗୁରୁବାର । ଚାରିଆଡ଼େ ଲକ୍ଷ୍ମୀ ପୂଜା । ଆଜି ମହାଲକ୍ଷ୍ମୀଙ୍କ ଦିନ । ତୁମେ ଜାଣିବା ଶୁଣିବା ଲୋକ ହୋଇ ଏପରି ଏକ ଶୁଭ ଦିନରେ କିପରି ଧାନ ସିଝାଇଲ ? ଧାନ ପରା ସାକ୍ଷାତ୍‍ ଲକ୍ଷ୍ମୀ ସଦୃଶ ! ତାଙ୍କ ପୂଜାରେ ତ ବେଶି କିଛି ଖର୍ଚ୍ଚନାହିଁ । ଧୋବଲା ଧାନ ଦୁଇ ଗଉଣି ହେଲେ ପୂଜା କାମ ଚଳିଯିବ । ତୁମେ ଲକ୍ଷ୍ମୀ ପୂଜା କର ।’’

 

ସାଧବାଣୀ ହୋଇ ପୁଣି ଏ ଛୋଟ ଲୋକ କଥା ଶୁଣିବେ ? ସଙ୍ଗେ ସଙ୍ଗେ ଦାସୀମାନଙ୍କୁ ଆଦେଶ ଦେଲେ, ‘‘ଧକ୍‍କା ଦେଇ ଏ ବୁଢ଼ୀକୁ ଘରୁ ବାହାର କରିଦିଅ ।’’

 

ଦାସୀମାନେ ତଣ୍ଟିଆ ଦେଇ ବୁଢ଼ୀକୁ ଘରୁ ବାହାର କରି ଦେଲେ । ସାଧବ ଘର ଡାହାଳ କୁକୁର ବୁଢ଼ୀକୁ ତଡ଼ି ନେଇ ଗାଁ ମୁଣ୍ଡରେ ଛାଡ଼ି ଦେଇ ଆସିଲା ।

 

ବୁଢ଼ୀ ରୂପ ଧରି ମହାଲକ୍ଷ୍ମୀ ଚାଲିଛନ୍ତି । ଦୁଃଖରେ ଆଖିରୁ ଧାର ଧାର ଲୁହ ବୋହି ଯାଉଛି । ଛିଣ୍ଡା ପଣତ କାନିରେ ଆଖିର ଲୁହ ପୋଛୁଛନ୍ତି । ଏହି ସମୟରେ ସାଧବାଣୀର ଝିଅ ଶାମା ଘରକୁ ଫେରୁଥିଲା । ଦେଖିଲା, ବୁଢ଼ୀଟି କାନ୍ଦୁଛି । ତା’ ମନରେ ଦୟା ହେଲା । ସେ ବୁଢ଼ୀ ପାଖକୁ ଯାଇ ସବୁ କଥା ପଚାରିଲା । ବୁଢ଼ୀ ଆମୂଳ ଚୂଳ ସବୁ କଥା ତା’ ଆଗରେ କହିଲା । ଶାମା ଏହା ଶୁଣିଲା କ୍ଷଣି ବଡ଼ ଦୁଃଖିତ ହେଲା । ସେ ସଙ୍ଗେ ସଙ୍ଗେ ବୁଢ଼ୀର ପାଦତଳେ ପଡ଼ି କହିଲା, ‘‘ବୁଢ଼ୀ ମା’, ମୋ ମା’ଙ୍କର ଭୁଲ ହୋଇଛି । ତୁମେ ତାଙ୍କୁ କ୍ଷମା ଦିଅ ।’’

 

ସାନ ପିଲାଟିର ଏପରି ମନ ଓ ଭକ୍ତି ଦେଖି ମହାଲକ୍ଷ୍ମୀ ଦୟା କଲେ । ତାକୁ ଶେଷରେ ପୂଜାର ସବୁ ବିଧି ବିଧାନ ବତାଇ ଦେଲେ । ଶାମା ଘରକୁ ଆସି ନୂଆ ଗଉଣି ବସାଇ ଧାନ ନେଇ ଲକ୍ଷ୍ମୀ ପୂଜା କଲା । କିଛିଦିନ ପରେ ତା’ର ବିବାହ ବୟସ ଆସି ପହଞ୍ଚିଲା । ବିଭା ଶେଷରେ ଶାଶୁଘରକୁ ଗଲାବେଳେ ସେ ଲକ୍ଷ୍ମୀ ପୂଜାର ସେର ଗଉଣି ପ୍ରଭୃତି ସାଥିରେ ନେଇକରି ଗଲା । ସେହି ଦିନଠାରୁ ସାଧବ ଘରୁ ଲକ୍ଷ୍ମୀ ଛାଡ଼ିଲେ । ବାଣିଜ୍ୟ କରିବା ପାଇଁ ପୁଅମାନେ ବିଦେଶ ଯାଇ ଆଉ ଫେରିଲେ ନାହିଁ । କୋଠାବାଡ଼ି ସବୁ ଭାଜି ପଡ଼ିଲା । ସାଧବ ବୁଢ଼ା ଉପାୟ ନ ଦେଖି ଝିଅ ଘରକୁ ଯିବାକୁ ଠିକ୍‍ କଲେ ।

 

ଝିଅଘର ଧନ ଦଉଲତରେ ଭରପୂର । ତା’ଠାରେ ମହାଲକ୍ଷ୍ମୀଙ୍କର ଦୟା ହୋଇଛି । ସାଧବ ବୁଢ଼ା ଓ ବୁଢ଼ୀ ଦୁହେଁ ଝିଅ ପାଖରେ ପହଞ୍ଚିଲେ । ଏମାନଙ୍କର ଅବସ୍ଥା ଦେଖି ଝିଅ କାନ୍ଦି ପକାଇଲା । ସେ ବାପାଙ୍କୁ ଏକ କଖାରୁ ଭିତରେ କେତେକ ସୁନା ପୂରାଇ ଦେଲା । ଘରେ ଆସି ଦେଖନ୍ତି ତ ତା’ ମଧ୍ୟରେ କେବଳ ଅଙ୍ଗାରଗୁଡ଼ିଏ । ମହାଲକ୍ଷ୍ମୀ ମାୟା କରିଛନ୍ତି । ତା’ର ଟାଣ ପଣ ଭାଙ୍ଗିବେ । ସାଧବ ବୁଢ଼ା ଯାହା ଛୁଇଁବ ତାହା ଅଙ୍ଗାର ପାଲଟି ଯିବ ।

 

କିଛିଦିନ ପରେ ସାଧବାଣୀ ବୁଢ଼ୀ ନିଜର ଦୋଷ କଥା ବୁଝିଲେ । ସେ ଝିଅ ସହିତ ଲକ୍ଷ୍ମୀ ପୂଜା ଆରମ୍ଭ କଲେ । ଏହିପରି ଲକ୍ଷ୍ମୀ ପୂଜା କରି ଠାକୁରାଣୀଙ୍କୁ ସେ ସନ୍ତୁଷ୍ଟ କଲେ । ଲକ୍ଷ୍ମୀ ପ୍ରସନ୍ନ ହେବାରୁ ସାଧବାଣୀ ବୁଢ଼ୀ ନିଜର ପୂର୍ବ ସମ୍ପତ୍ତି ଫେରି ପାଇଲେ ଓ ମହା ଆନନ୍ଦରେ କାଳ କାଟିଲେ ।

 

ଆମ ଦେଶର ପ୍ରତି ଘରେ ମାର୍ଗଶିର ମାସ ପ୍ରତି ଗୁରୁବାର ଦିନ ମହାଲକ୍ଷ୍ମୀ ପୂଜା କରନ୍ତି-। ସମସ୍ତଙ୍କର ବିଶ୍ୱାସ, ମହାଲକ୍ଷ୍ମୀ ସନ୍ତୁଷ୍ଟ ହେଲେ ମଣିଷର ଦାନା କନାର ଅଭାବ ରହେ ନାହିଁ-

★★★

 

ଶ୍ରୀପଞ୍ଚମୀ

 

ମାଘ ମାସ ଶୁକ୍ଳପକ୍ଷ ପଞ୍ଚମୀଦିନ ସରସ୍ୱତୀଙ୍କର ପୂଜା ହୁଏ । ଏ ପୂଜା ହିନ୍ଦୁ ମାତ୍ରେ ସମସ୍ତେ ମାନନ୍ତି । ସରସ୍ୱତୀଙ୍କର ମୂର୍ତ୍ତି ଦେଖିଲେ ଆମେ ତାଙ୍କୁ କାହିଁକି ପୂଜା କରୁଁ ସହଜରେ ଜାଣିପାରୁଁ । ସରସ୍ୱତୀଙ୍କର ବର୍ଣ୍ଣ ଧଳା । ତାଙ୍କର ପୋଷାକ ମଧ୍ୟ ଧଳା । ଧଳା ପଦ୍ମଫୁଲ ହେଉଛି ତାଙ୍କର ଆସନ । ସତେ ଯେପରି ଏହି ସଂସାରରୁ ସବୁ କାଳିମା ଧୋଇ ଦେଇ ଏହାକୁ ଧବଳମୟ କରିବା ପାଇଁ ସେ ବିଜେ କରିଛନ୍ତି ।

 

ସେ ହେଉଛନ୍ତି ସଙ୍ଗୀତର ଠାକୁରାଣୀ । ତାଙ୍କ ହାତରେ ବୀଣା । ସେହି ବୀଣା ବଜାଇ ସେ ଜଗତକୁ ମୋହିତ କରନ୍ତି । ତାଙ୍କର ଆଉ ଗୋଟିଏ ହାତରେ ବହି । ସେ ସମସ୍ତଙ୍କୁ ବିଦ୍ୟା ଦାନ କରନ୍ତି । ସେଥିପାଇଁ ତାଙ୍କୁ ବିଦ୍ୟାଦାତ୍ରୀ ବୋଲି କୁହାଯାଏ ।

 

ମହାକବି କାଳିଦାସଙ୍କୁ ଜଗତରେ କିଏ ନ ଜାଣେ ? ସେ ପ୍ରଥମେ ଅତି ମୂର୍ଖ ଥିଲେ । କିନ୍ତୁ କିପରି ଏତେ ବଡ଼ ପଣ୍ଡିତ ହେଲେ ସେ ବିଷୟରେ ଗୋଟଏ ପ୍ରବାଦ ଅଛି ।

 

କାଳିଦାସ ପ୍ରଥମେ ଗରିବ ଓ ନିପଟ ମୂର୍ଖ ଥିଲେ । ଥରେ ସେ କାଠ ହାଣିବା ପାଇଁ ବଣକୁ ଯାଇଥିଲେ । ସେ ଗୋଟିଏ ଗଛରେ ଚଢ଼ି ଖଣ୍ଡେ ଡାଳର ଅଗରେ ଛିଡ଼ା ହୋଇ ମୂଳକୁ ହାଣିବାକୁ ଲାଗିଲେ । ସେ ଏତିକି ମଧ୍ୟ ଜାଣନ୍ତି ନାହିଁ ଯେ ଡାଳଟି ତଳେ ପଡ଼ିବା ସଙ୍ଗେ ସଙ୍ଗେ ସେ ନିଜେ ମଧ୍ୟ ତଳେ ପଡ଼ିବେ । ହାଣୁ ହାଣୁ ଡାଳ ଛିଡ଼ିଲା ଓ ସେ ତଳେ ପଡ଼ି ତାଙ୍କର ଆଣ୍ଠୁ ଗଣ୍ଠି ସବୁ ଛିଣ୍ଡିଗଲା ।

 

କାଳିଦାସଙ୍କ ସ୍ତ୍ରୀ ଜଣେ ରଜାଘର ଝିଅ । ପୂର୍ବରୁ ସେ ଏହାଙ୍କ ବିଷୟରେ କିଛି ନ ଜାଣି ତାଙ୍କୁ ପଣ୍ଡିତ ବୋଲି ଭାବି ବିବାହ କରିଥିଲେ । ଯେତେବେଳେ ସେ ଜାଣିଲେ ଯେ କାଳିଦାସ ମୂର୍ଖ ସେତେବେଳେ ଆଉ କ’ଣ କରିବେ ? ସ୍ୱାମୀଙ୍କୁ ପାଠ ପଢ଼ାଇବାକୁ ଚେଷ୍ଟା କଲେ । କିନ୍ତୁ କାଳିଦାସଙ୍କ ପାଟିରୁ ପଦେ ହେଲେ କଥା ବାହାରିଲା ନାହିଁ । ସ୍ତ୍ରୀ ବିରକ୍ତ ହୋଇ ତାଙ୍କୁ ଶେଷରେ ବହୁତ ଅପମାନ ଦେଲେ । ସେ ଭାବିଲେ, ଏପରି ଘୃଣ୍ୟ ଜୀବନ ରଖି ଲାଭ କ’ଣ ? ସେ ପ୍ରତିଜ୍ଞା କଲେ ଯେ, ସରସ୍ୱତୀଙ୍କୁ ଖୋଜି ଖୋଜି ଯିବେ । ଯେଉଁଠାରେ ତାଙ୍କୁ ଦେଖିବେ ବିଦ୍ୟା ମାଗିବେ । ସେ ବିଦ୍ୟା ନ ଦେଲେ ତାଙ୍କରି ଆଗରେ ଜୀବନକୁ ହରାଇ ଦେବେ । ଏହି କଥା ଠିକ୍‍ କରି ସେ ଘରୁ ବାହାରିଲେ । ‘‘ମା’ ସରସ୍ୱତୀ ବିଦ୍ୟା ଦିଅ’’ ଏହି ପଦକ ଜପି ଜପି ସେ ଆଗେଇ ଚାଲିଥାନ୍ତି ।

 

ସେ କୁଆଡ଼େ ଯାଉଛନ୍ତି ନିଜେ ମଧ୍ୟ ଜାଣନ୍ତି ନାହିଁ । କେତେ ବଣ, ପାହାଡ଼, ନଈ, ନାଳ ଡେଇଁ ସେ ଚାଲିଛନ୍ତି । ତାଙ୍କର ଏପରି ମନ ବଳ ଦେଖି ସରସ୍ୱତୀଙ୍କର ମଧ୍ୟ ଦୟା ହେଲା । ସେ ଅଦୃଶ୍ୟରେ ତାଙ୍କ ପାଖେ ପାଖେ ଚାଲିଥାନ୍ତି । ତଥାପି ତାଙ୍କର ପରୀକ୍ଷା ସରି ନାହିଁ । ଶେଷରେ ଗୋଟିଏ ବଡ଼ ନଈ ପଡ଼ିଲା । ନଈ ଭିତରଯାକ ଖାଲି କୁମ୍ଭୀର ସାଲୁ ବାଲୁ । ଅକାତକାତ ପାଣି । କାଳିଦାସ ଏକମୁହାଁ ହୋଇ ଚାଲିଥାନ୍ତି ।

 

‘ସରସ୍ୱତୀ’....‘ସରସ୍ୱତୀ’ ବୋଲି କହି ସେ ନଈ ମଧ୍ୟକୁ ଡେଇଁ ପଡ଼ିବା ସମୟରେ ସରସ୍ୱତୀ ଉଭା ହୋଇଗଲେ । ତାଙ୍କର ଦୟା ହେଲା । ସେ ବର ଦେଇ କହିଲେ, ‘‘ତୁମେ ଘରକୁ ଫେରିଯାଅ । ମୁଁ ତୁମ ଭକ୍ତିରେ ସନ୍ତୁଷ୍ଟ ହୋଇଛି । ପଣ୍ଡିତପଣରେ ତୁମେ ଜଗତକୁ ଜିଣି ପାରିବ ।’’

 

ସେହି ବର ପାଇ କାଳିଦାସ ଜଣେ ବଡ଼ ପଣ୍ଡିତ ହେଲେ । ସେ ରଘୁବଂଶ, ଋତୁ ସଂହାର, ମେଘଦୂତ ପ୍ରଭୃତି ଅମୂଲ୍ୟ ଗ୍ରନ୍ଥ ଲେଖିଯାଇ ଅଛନ୍ତି । ସରସ୍ୱତୀଙ୍କ ଦୟାରୁ ନିପଟ ମୂର୍ଖ ମଧ୍ୟ ପଣ୍ଡିତ ହୁଏ ।

 

ସରସ୍ୱତୀ ସମସ୍ତଙ୍କୁ ବିଦ୍ୟା ଦିଅନ୍ତି ବୋଲି ହିନ୍ଦୁମାନେ ତାଙ୍କ ପୂଜା କରନ୍ତି । ‘ସରସ୍‍’ ଶବ୍ଦର ଅର୍ଥ ଗୁରୁ । ସରସ୍ୱତୀ ପୂଜା ଅର୍ଥ ଗୁରୁପୂଜା । ଗୁରୁ ଖୁସି ହେଲେ ସରସ୍ୱତୀ ଖୁସି ହେବେ ବୋଲି ଜାଣିବ । ବିଦ୍ୟାଳୟମାନଙ୍କରେ ପ୍ରତ୍ୟେକ ଛାତ୍ର ଛାତ୍ରୀ ସରସ୍ୱତୀଙ୍କ ପୂଜା ପାଳନ କରନ୍ତି ।

★★★

 

ଶିବରାତ୍ରି

 

ଗୋଟିଏ ଶବର ଥିଲା । ସେ ଦିନ ରାତି ବଣରେ ବୁଲି ବୁଲି ଶିକାର କରେ । ତା’ର ସେହି ଜୀବିକା । ମାଂସ ବିକ୍ରିକରି ଘର ଚଳାଏ । ସେ ବଡ଼ ନିର୍ଦ୍ଦୟ । ଗୋଟିଏ ସୁନ୍ଦର ଜୀବ ଦେଖିଲାକ୍ଷଣି ତାକୁ ମାରିବେକୁ ସେ ଚିନ୍ତା କରେ । ଜୀବଜନ୍ତୁଙ୍କର ସେ ସାକ୍ଷାତ ଯମପରି ।

 

ଦିନେ ସେ ବ୍ୟାଧ ଧନୁଶର ଧରି ଓ ଜାଲ ଧରି ବଣରେ ଶିକାର ଖୋଜି ବୁଲୁଥାଏ । ବୁଲି ବୁଲି ସନ୍ଧ୍ୟା ହେଲା । କେତେ ପକ୍ଷୀ ଧରି ପିଞ୍ଜରାରେ ପୂରାଇଲାଣି, ତଥାପି ତା’ ମନରେ ଶାନ୍ତି ନ ଥାଏ । ସେ ଯାଉ ଯାଉ କାଳିଗଞ୍ଜନ ବୋଲି ଗୋଟିଏ ପର୍ବତ ପାଖରେ ପହଞ୍ଚିଲା । କେଡ଼େ ପର୍ବତ । ଭୀଷଣ ବଣ । ସେଠାରୁ ଆଉ ଫେରିଆସିବାର ଉପାୟ ନାହିଁ । ଚାହୁଁ ଚାହୁଁ ଅନ୍ଧାର ମାଡ଼ି ଆସିଲା । ମୁହଁକୁ ମୁହଁ ଦିଶୁ ନ ଥାଏ । ସେ ବାଧ୍ୟହୋଇ ଗୋଟିଏ ଗଛରେ ଚଢ଼ି ରାତିଟି କଟାଇ ଦେବ ବୋଲି ସ୍ଥିର କଲା । ପାଖରେ ଗୋଟିଏ ବେଲ ଗଛ ଥାଏ । ସେ ସେହି ଗଛରେ ତୁନି ହୋଇ ବସିଥାଏ ।

 

ରାତି ଅଧ ହେଲା । ଏତିକିବେଳେ ଗୋଟାଏ ବଡ଼ ବାଘ ଭୀଷଣ ଗର୍ଜନ କରି ବଣରୁ ବାହାରିଲା । ମଣିଷ ବାସନା ବାରି ପାରି ସେ ଆସି ସେହି ଗଛ ମୂଳରେ ବସିଲା । ବାଘକୁ ଦେଖି ବ୍ୟାଧର କଲିଜା ଥରି ଯାଉଥାଏ । ଯେଉଁ ଗର୍ଜନ–ପର୍ବତ ଫାଟି ପଡ଼ୁଥାଏ । ସତେ ଯେପରି ତା’ ପାଟି ମଧ୍ୟରେ ଦୁଇ ତିନିଟା ମଣିଷ ଏକା ଥରକେ ପଶିଯିବେ ।

 

ବ୍ୟାଧ ଦେଖିଲା, ଶର ମାରି ବାଘକୁ ମାରି ହେବ ନାହିଁ । ତେଣୁ ସେ ବେଲ ଡାଳରୁ ଖଣ୍ଡିଏ ଖଣ୍ଡିଏ ଭାଙ୍ଗି ବାଘ ଉପରକୁ ପକାଉ ଥାଏ । ରାତି ପାହିଯିବାରୁ ବାଘ ବଣ ଭିତରକୁ ପଳାଇ ଗଲା । ବ୍ୟାଧ ଗଛରୁ ଓହ୍ଲାଇ ମାଇଲିଏ ବାଟ ଯାଇଛି କି ନାହିଁ ସେ ବାଘ ପୁଣିଥରେ ଆସି ତାକୁ ମାଡ଼ି ବସିଲା ଓ ମାରି ଖଣ୍ଡ ଖଣ୍ଡ କରି ଦେଲା ।

 

ବ୍ୟାଧ ମରିଯିବାରୁ ଯମଦୂତମାନେ ତା’ ଆତ୍ମାକୁ ବାନ୍ଧି ନେଲେ । ଯମପୁରରେ ମୁଦ୍‍ଗର ସାହାଯ୍ୟରେ ତାକୁ ପିଟିଲେ । ମାଡ଼ ଖାଇ ବ୍ୟାଧର ଆତ୍ମା ବିକଳ ହୋଇ କାନ୍ଦିଲା । ସେତେବେଳେ ମହାଦେବଙ୍କ ଚରମାନେ ସେଇ ବାଟ ଦେଇ ଯାଉଥିଲେ । ଏହି ବିକଳ କାନ୍ଦଣା ଶୁଣି ତାକୁ ଯମଦୂତମାନଙ୍କଠାରୁ ଛଡ଼ାଇ ନେଲେ ।

 

ଯମଦୂତମାନେ ଏଥିରେ ବିରକ୍ତ ହୋଇ କହିଲେ, ‘‘ଯମରାଜା ଆଦେଶ ଦେଇଛନ୍ତି, ଏହି ପାପୀକୁ ଆମ୍ଭେମାନେ ବାନ୍ଧି ନେଇ ତାଙ୍କ ପାଖରେ ହାଜର କରାଇବୁଁ ।’’

 

ଶିବଙ୍କର ଚରମାନେ କହିଲେ, ‘‘ସେ ଜଣେ ଶିବଭକ୍ତ । କାଲି ରାତି ସାରା ଉଜାଗର ରହି ବେଲପତ୍ର ଦେଇ ଶିବ ପୂଜା କରିଛି । ଶିବ ତା’ ଉପରେ ଖୁସି ହୋଇଛନ୍ତି । ସେ ଆଦେଶ ଦେଇଛନ୍ତି, ଆମେ ତାକୁ ନେଇ ସ୍ୱର୍ଗରେ ବସାଇବୁଁ ।’’ ବ୍ୟାଧ ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଲା । ସେ ତ ଶିବ ପୂଜା କରି ନାହିଁ । ବାଘ ଭୟରେ ତାକୁ ଘଉଡ଼ାଇବା ପାଇଁ ରାତି ସାରା ଚେଇଁ ରହି ତା’ ଉପରକୁ ବେଲପତ୍ରୀ ଫୋପାଡ଼ିଥିଲା ।

 

ସେ ଜାଣେ ନାହିଁ, ସେ ଯେଉଁ ଗଛରେ ଚଢ଼ିଥିଲା, ତା’ ମୂଳରେ ଗୋଟିଏ ଶିବ ଲିଙ୍ଗ ଥିଲା । ସେ ଯେଉଁ ବେଲେପତ୍ରୀ ବାଘ ଉପରକୁ ପକାଉଥିଲା ତାହା ସେହି ଶିବଲିଙ୍ଗ ଉପରେ ପଡ଼ୁଥିଲା । ସେଦିନ ଯୋଗକୁ ଫାଲ୍‍ଗୁନ ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ । ସେହି ଚତୁର୍ଦ୍ଦଶୀକୁ ଶିବ ଚତୁର୍ଦ୍ଦଶୀ କୁହାଯାଏ । ଅଜଣାରେ ହେଉ ପଛକେ ସେଦିନ ରାତି ସାରା ବ୍ୟାଧ ଚେତା ରହି ମହାଦେବଙ୍କ ଉପରେ ବେଲପତ୍ର ପକାଉଥିଲା । ସେଥିପାଇଁ ଶିବ ତା’ ଉପରେ ଖୁସି ହୋଇଥିଲେ-

 

ସ୍ୱୟଂ ଶିବ ଯାହା ଉପରେ ସନ୍ତୁଷ୍ଟ ଯମଦୂତମାନେ ତା’ର କ’ଣ କରିବେ ? ମହାଦେବଙ୍କ ଚରମାନେ ବ୍ୟାଧକୁ ଫୁଲର ବିମାନରେ ବସାଇ ମହାଦେବଙ୍କ ପାଖକୁ ନେଇଗଲେ । ଯମ ଦଣ୍ଡରୁ ସେ ରକ୍ଷା ପାଇଲା । ଏଥିରୁ ଜଣାଯାଏ, ଶିବରାତ୍ରି ଦିନ ଶିବ ପୂଜାକଲେ ସବୁ ପାପ ଦୂର ହୋଇ ପୁଣ୍ୟ ଫଳ ମିଳେ ।

 

ମହାଦେବଙ୍କୁ ଦେବ ଦେବ ବୋଲି କୁହାଯାଏ; ଅର୍ଥାତ୍‍ ସେ ଦେବତାମାନଙ୍କର ଦେବତା-। ଦେବତାମାନେ ମଧ୍ୟ ତାଙ୍କୁ ପୂଜା କରନ୍ତି । ଫାଲଗୁନ ମାସ କୃଷ୍ଣପକ୍ଷ ଚତୁର୍ବ୍ଦଶୀଦିନ ଶିବରାତ୍ରି ପୂଜା ପାଳନ କରାଯାଏ ।

★★★

 

ଦୋଳପୂର୍ଣ୍ଣିମା ଓ ହୋଲି ଉତ୍ସବ

 

ଦୋଳ ପୁନିଅଁ । କେଡ଼େ ମଜାର ଦିନ । ଫଗୁଖେଳର ମହା ଉତ୍ସବରେ କିଏ ନ ମାତେ-? ଗାଁ ଗାଁକେ ହୋଲି । ପିଲାଠାରୁ ଆରମ୍ଭ କରି ବୁଢ଼ା ପର୍ଯ୍ୟନ୍ତ ସମସ୍ତଙ୍କ ମୁହଁ ଆଜି ହସ ହସ-। ଘରେ ଝିଅବୋହୂମାନଙ୍କର ଆନନ୍ଦ ଦେଖେ କିଏ ? ଏହି ଉତ୍ସବ କାହିଁକି ପାଳିତ ହୁଏ, ସେ ବିଷୟରେ ଗୋଟିଏ ଗଳ୍ପ ଅଛି ।

 

ବହୁତ ପୁରୁଣା କାଳର କଥା । ସେ କାଳରେ ହିରଣ୍ୟକଶିପୁ ବୋଲି ଗୋଟିଏ ରାକ୍ଷସ ଥିଲା । ସେ ବଡ଼ ଦୁଷ୍ଟ; ଭଲମନ୍ଦ କିଛି ବିଚାର କରେ ନାହିଁ । ଈଶ୍ୱରଙ୍କଠାରେ ତା’ର ଆଦୌ ବିଶ୍ୱାସ ନ ଥାଏ । ବିଷ୍ଣୁଙ୍କର ନାମ ଶୁଣିଲେ ତା’ ଦାନ୍ତ କଡ଼ମଡ଼ ହୁଏ । ସେ ତାଙ୍କର ପ୍ରଧାନ ଶତ୍ରୁ ।

 

ହିରଣ୍ୟକଶିପୁର ଗୋଟିଏ ଭଉଣୀ ଥିଲା; ତା’ର ନାମ ହୋଳୀ । ଭାଇର ପ୍ରକୃତି ଯେପରି, ଭଉଣୀର ପ୍ରକୃତି ମଧ୍ୟ ସେହିପରି । କେହି କାହାକୁ ଊଣା ନୁହନ୍ତି । ତେବେ ହୋଳୀର ଶିବଙ୍କ ପ୍ରତି ଭକ୍ତି ଥିଲା । ସେ ଶିବଙ୍କୁ କୌଣସିମତେ ସନ୍ତୁଷ୍ଟ କରିଥିଲା ।

 

ଖଳର ତ ସବୁବେଳେ ଖଳ ବୁଦ୍ଧି । ସେ ଯେତେବେଳେ ଦେଖିଲା ଯେ ଶିବ ତା’ ଉପରେ ପ୍ରସନ୍ନ ଅଛନ୍ତି, ଠିକ୍‍ ଏତିକିବେଳେ ବେଳକାଳ ଉଣ୍ଡି ସେ ତାଙ୍କୁ ଗୋଟିଏ ବର ମାଗିଲା । ଶିବ କହିଲେ, ‘‘ତୁ ତୋ ଇଚ୍ଛା ଅନୁସାରେ ଗୋଟିଏ ବର ମାଗିପାରୁ । ତାହା ତୋତେ ଦିଆଯିବ ।’’

 

ହୋଳୀ କହିଲା, ‘‘ହେ ଭଗବାନ, ମୋତେ ଏହି ବର ଦିଅନ୍ତୁ ଯେପରି ମୁଁ ଅଗ୍ନିରେ ପୋଡ଼ିବି ନାହିଁ, କି ଜଳରେ ବୁଡ଼ିବି ନାହିଁ ।’’ ଶିବ ‘ତଥାସ୍ତୁ’ କହି ସେହି ବର ଦେଲେ । ହୋଳୀର ଆନନ୍ଦ ଦେଖେ କିଏ ? ତା’ର ମନରେ ଭାରି ଗର୍ବ । ବର ପାଇଛି; କୌଣସି ଶତ୍ରୁ ତା’ର ଅନିଷ୍ଟ କରିପାରିବ ନାହିଁ ।

 

ଖତ ଗଦାରେ ପଦ୍ମଫୁଲ ଫୁଟିଲା ପରି ହିରଣ୍ୟକଶିପୁର ଗୋଟିଏ ପୁଅ ହେଲା । ଶାମୁକା ଗର୍ଭରୁ ମୁକ୍ତା ବାହାରେ । ଶିଶୁଟି ମା’ ଗର୍ଭରେ ଥିବା ସମୟରୁ ବିଷ୍ଣୁଙ୍କର ଭକ୍ତ । ତା’ର ଲଲାଟରେ ବିଷ୍ଣୁଙ୍କର ନାମ ଲେଖା ହୋଇଅଛି । ହିରଣ୍ୟକଶିପୁ ଏହାର ନାମ ଦେଇଥିଲେ ପ୍ରହ୍ଲାଦ-

 

ପ୍ରହ୍ଲାଦର ଏପରି ବିଷ୍ଣୁଭକ୍ତି ଦେଖି ବାପ ଈର୍ଷାରେ ଜଳି ଉଠିଲା । ସେ ମନେମନେ ଭାବିଲା, ପ୍ରହ୍ଲାଦ ତା’ର ପୁଅ ନୁହେଁ । ବରଂ ଶତ୍ରୁରୂପେ ତା’ କୁଳରେ ଜନ୍ମ ହୋଇଛି ।

 

ହିରଣ୍ୟକଶିପୁ ବିଷ୍ଣୁଙ୍କୁ ନିନ୍ଦା କରି ପୁଅର ମନ ବଦଳାଇବାକୁ ଯଥେଷ୍ଟ ଚେଷ୍ଟା କଲା । ପ୍ରହ୍ଲାଦ ପରି ଭକ୍ତ କ’ଣ ସେପରି କଥାରେ ବଦଳି ଯିବ ?

 

ସେ ବାପାଙ୍କୁ କହିଲା, ‘‘ବାପା ! ମୁଁ ବିଷ୍ଣୁଙ୍କ ରୂପ ବ୍ୟତୀତ ଜଗତରେ ଆଉ କାହାକୁ ଦେଖିପାରୁ ନାହିଁ । ଏ ଜଗତ ମୋ ପାଖରେ ବିଷ୍ଣୁମୟ । ତୁମେ ବରଂ ମୋତେ ଜୀବନରେ ମାରିଦିଅ; କିନ୍ତୁ ମୁଁ ଭଗବାନଙ୍କଠାରୁ ବିଶ୍ୱାସ ତୁଟାଇ ପାରିବି ନାହିଁ । ତୁମେ ଯଦି ବିଷ୍ଣୁଙ୍କ ଉପରେ ବିଶ୍ୱାସ ରଖନ୍ତ ତା’ହେଲେ ତୁମ ମନରୁ ସବୁ ଖରାପ ଚିନ୍ତା ଦୂର ହୁଅନ୍ତା ।’’

 

ହିରଣ୍ୟକଶିପୁ ଏପରି କଥା ଶୁଣି ରାଗରେ ଥରିଉଠିଲା । ତା’ର ଦୁଧଖିଆ ଛୁଆ ପୁଣି ତାକୁ ଉପଦେଶ ଦେବ ? ସେ ଏହା ସହ୍ୟ କରିପାରିଲା ନାହିଁ । ପ୍ରହ୍ଲାଦର ଲଲାଟରୁ ବିଷ୍ଣୁଙ୍କର ନାମ ପୋଛି ଦେବାକୁ ପ୍ରାଣପଣେ ଚେଷ୍ଟାକଲା । କୌଣସିଥିରେ ତାହା ଲିଭିଲା ନାହିଁ । ଶେଷରେ ସେ ଗୋଟିଏ ଉପାୟ ସ୍ଥିରକଲା । କୌଣସି ପ୍ରକାରେ ପ୍ରହ୍ଲାଦକୁ ମରାଇଦେଲେ ସେ ଶାନ୍ତି ପାଇ ପାରିବ-

 

ହିରଣ୍ୟକଶିପୁ ତା’ ସାନଭଉଣୀ ହୋଳୀକୁ ପାଖକୁ ଡାକି ନିଜର ମନକଥା ସବୁ ଖୋଲିକରି କହିଲା–

 

‘‘ବର୍ତ୍ତମାନ ପ୍ରହ୍ଲାଦ ଆମର ଚିର ଶତ୍ରୁ ରୂପରେ ଛିଡ଼ା ହେଲାଣି । ତାକୁ ନ ମାରିବା ପର୍ଯ୍ୟନ୍ତ ମୋ ମନରେ ଶାନ୍ତି ନାହିଁ । ତୁ ତ ବର ପାଇଛୁ, ନିଆଁରେ ପୋଡ଼ିବୁ ନାହିଁ । ସେଥିପାଇଁ କାଲି ଗଦାଏ ନିଆଁ ଜାଳି ତୋ ପୁତୁରାକୁ କାଖରେ ଧରି ସେହି ନିଆଁ ମଧ୍ୟରେ ପଶିଯିବୁ । ତାହାହେଲେ ସେ ଆପେ ଆପେ ଜଳିଯିବ । ହୋଳୀ ଏଥିରେ ରାଜି ହେଲା ।

 

ତା’ ପରଦିନ ଫଗୁଣ ମାସ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ । ଗୁଡ଼ାଏ କାଠରେ ନିଆଁ ଲଗାଗଲା । ନିଆଁ ହୁ ହୁ ହୋଇ ଜଳୁଥାଏ । ଏହି ସମୟରେ ହୋଳୀ ପ୍ରହ୍ଲାଦକୁ ଭୁଲାଇ କାଖରେ ଧରି ସେହି ନିଆଁ ମଧ୍ୟରେ ପ୍ରବେଶ କଲା । କଥାରେ ଅଛି–

 

‘‘ଯେହୁ ପାଞ୍ଚଇ ପର ମନ୍ଦ,

ତା’ ମନ୍ଦ ପାଞ୍ଚନ୍ତି ଗୋବିନ୍ଦ ।’’

 

ଦେଖୁ ଦେଖୁ ଫଳ ଓଲଟା ହେଲା । ହୋଳୀ ନିଆଁରେ ପଶିଲାକ୍ଷଣି ନିଜ ଦେହ ଅଧା ପୋଡ଼ା ହୋଇଗଲା । ବିକଳ ହୋଇ ଚିତ୍କାର କଲା । କିଏ ଅଛି ଯେ ସେତେବେଳେ ସେହି ଡାକ ଶୁଣିବ ? କିଛି ସମୟ ପରେ ସେ ନିଜେ ପୋଡ଼ି ପାଉଁଶ ହୋଇଗଲା । ପ୍ରହ୍ଲାଦ ନିଆଁ ଭିତରେ ଆନନ୍ଦରେ ଖେଳୁଥାଏ । ତା’ର କିଛି କ୍ଷତି ହେଲାନାହିଁ ।

 

ନିଆଁ ଲିଭିବାପରେ ପ୍ରହ୍ଲାଦ ପାଉଁଶ ଗଦା ଭିତରୁ ହସି ହସି ବାହାରି ଆସିଲା । ତା’ର ସାଙ୍ଗସାଥୀମାନେ ମହା ଆନନ୍ଦରେ ନାଚି ଉଠିଲେ । ତା’ ଦେହରେ ଅବିର, ଚନ୍ଦନ ପ୍ରଭୃତି ଲେପିଦେଲେ ।

 

ହିରଣ୍ୟକଶିପୁ ଏହି ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଗଲା । ସେ ରାଗ ଏବଂ ଈର୍ଷାରେ ଜର ଜର ହୋଇ ଶିବଙ୍କ ପାଖକୁ ଯାଇ କହିଲା, ‘‘ତୁମେ ପରା ବର ଦେଇଥିଲ, ମୋର ଭଉଣୀ ନିଆଁରେ ପୋଡ଼ିଯିବ ନାହିଁ କିମ୍ୱା ଜଳରେ ବୁଡ଼ିଯିବ ନାହିଁ । ତେବେ ସେ ପୋଡ଼ିଗଲା କିପରି ?’’

 

ମହାଦେବ କହିଲେ, ‘‘ମୁଁ ତୋ ଭଉଣୀକୁ ବର ଦେବାର ଲକ୍ଷ୍ୟ ଥିଲା ଯେ, ଯଦି କୌଣସି ଶତ୍ରୁ ତାକୁ ନିଆଁରେ ପୋଡ଼ି କିମ୍ୱା ଜଳରେ ବୁଡ଼ାଇ ମାରିବାକୁ ଚେଷ୍ଟା କରିବ ତାହାହେଲେ ସେ ମରିବ ନାହିଁ । ତୋ ଭଉଣୀ ପାପ କଲା । ବିଷ୍ଣୁଭକ୍ତ ବାଳକକୁ ମାରିବା ପାଇଁ ନିଆଁରେ ପଶିବାରୁ ପାପର ଫଳସ୍ୱରୂପ ନିଜେ ଜଳିପୋଡ଼ି ପାଉଁଶ ହେଲା ।’’

 

ଏହା ଶୁଣି ହିରଣ୍ୟକଶିପୁ ମନଦୁଃଖରେ ଘରକୁ ଫେରିଆସିଲା । କ’ଣ କରିବ ? ମନେମନେ ଶିବଙ୍କ ଉପରେ ବିରକ୍ତ ହେଲା ।

 

ଫାଲ୍‍ଗୁନ ମାସ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ତିଥିରେ ଆମ ଦେଶରେ ଲୋକମାନେ ଏହିପରି ଗଦାଏ ନିଆଁ ଜାଳି ହୋଳୀ ରାକ୍ଷସୀକୁ ପୋଡ଼ନ୍ତି । ତା’ର ନାମ ଅନୁସାରେ ଏହାକୁ ହୋଳୀ ପୋଡ଼ା କୁହାଯାଏ । ହୋଳୀ ତ ସେକାଳୁ ମଲାଣି । ଲୋକମାନେ କିନ୍ତୁ କାଳ କାଳ ହେଲା ତା’ ଉପରେ ପ୍ରତିଶୋଧ ନେଉଛନ୍ତି । ହୋଳୀ ପୋଡ଼ା ଶେଷରେ ପ୍ରହ୍ଲାଦ ଦେହରେ ଯେପରି ତା’ର ସାଥୀମାନେ ଫଗୁ ବୋଳିଥିଲେ ସେହିପରି ଲୋକମାନେ ନିଜ ସାଙ୍ଗସାଥୀ ମଧ୍ୟରେ ଫଗୁ ବୋଳି ଖେଳନ୍ତି ।

 

ତା’ ପରଦିନ ହୁଏ ଦୋଳ ପୁନିଅଁ । ଠାକୁରଙ୍କୁ ବିମାନରେ ବସାଇ ଯାତ୍ରାପୂଜା କରାଯାଏ । ଗାଁ ଦାଣ୍ଡ ଲୋକ ଗହଳିରେ ଉଛୁଳି ଉଠେ ।

 

ଦୋଳ ପୂର୍ଣ୍ଣିମା ପରଦିନ ହୋଲି ଖେଳ ହୁଏ । ଲୋକେ ଲାଲ ରଙ୍ଗର ପାଣି କରି ସାଙ୍ଗସାଥୀଙ୍କ ଉପରକୁ ବିଚିକାରି ମାରନ୍ତି । ହୋଳୀ ରାକ୍ଷସୀର ରକ୍ତରେ ହୋଲି ଖେଳ ହୋଇଥିଲା ବୋଲି କଳ୍ପନା କରାଯାଇଛି ଓ ସେହି ଦିନଠାରୁ ହୋଲି ଖେଳ ହୋଇଆସୁଛି ।

Image